କଟକର ଆଇପିଏଲ୍‌ ଦଳ ଆଶା ଉଜ୍ଜ୍ବଳ

କଟକ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଏକ ସ୍ଥାୟୀ ଆୟୋଜକ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି। ୨୦୨୨ରୁ ଆଇପିଏଲ୍‌ରେ ଆଉ ୨ଟି ନୂଆ ଦଳ ସାମିଲ ହେବେ। ଫଳରେ ବର୍ତ୍ତମାନ ଖେଳୁଥିବା ୮ଟି ଦଳ ବଦଳରେ ୧୦ଟି ଦଳ ଆଇପିଏଲ୍‌ ଖେଳିବେ। ଏହି ୨ଟି ନୂଆ ଦଳ ୬ଟି ସହର ମଧ୍ୟରେ ସୀମିତ ରହିବ। ଏହି ୬ଟି ସହର ହେଲେ ଓଡ଼ିଶାର କଟକ, ଗୁଆହାଟୀ, ରାଞ୍ଚି, ଲକ୍ଷ୍ନୌ, ଧର୍ମଶାଳା ଓ ଅହମ୍ମଦାବାଦ। ବିସିସିଆଇ ମଧ୍ୟସ୍ଥ ସୂତ୍ର ଅନୁସାରେ କଟକର ଦଳ କିଣିବା ପାଇଁ ସବୁଠାରୁ ଅଧିକ ଆଗ୍ରହ ପ୍ରକାଶ କରିଛି ଦେଶର ଅନ୍ୟତମ ନାମୀ ବ୍ୟାବସାୟିକ ସଂସ୍ଥା ଜିନ୍ଦଲ ଗ୍ରୁପ୍‌। ଶେଷତାରିଖ ଅକ୍ଟୋବର ୨୦ରେ ଜିନ୍ଦଲ ଗ୍ରୁପ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ୧୦ ଲକ୍ଷ ଟଙ୍କା ଦେଇ ନୂଆ ଆଇପିଏଲ୍‌ ଦଳ କିଣିବା ଲାଗି ଟେଣ୍ଡର କାଗଜ କିଣି ସାରିଛନ୍ତି। କଟକର ଆଇପିଏଲ୍‌ ଦଳ କିଣିବା ପାଇଁ ସେ ଆଗ୍ରହୀ ଥିବା କଥା ନବୀନ ଜିନ୍ଦଲ ବିସିସିଆଇ କର୍ମକର୍ତ୍ତାଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି।

ଅନ୍ୟ କୌଣସି ସହର ନୁହେଁ; କେବଳ କଟକ ଭିତ୍ତିକ ଆଇପିଏଲ୍‌ ଦଳ କିଣିବା ପାଇଁ ଜିନ୍ଦଲ ଗ୍ରୁପ୍ ଦାବି ଉପସ୍ଥାପନ କରିବ ବୋଲି ସ୍ପଷ୍ଟ କରିଛି। କାରଣ ଓଡ଼ିଶାରେ ଜିନ୍ଦଲ ଗ୍ରୁପ୍‌ର ଏକାଧିକ ଶିଳ୍ପ ସଂସ୍ଥା ରହିଛି। ଆଇପିଏଲ୍‌ ଦଳର ମାଲିକାନା ମିଳିଲେ ଜିନ୍ଦଲ ଗ୍ରୁପ୍‌ କଟକର ବାରବାଟୀ ଷ୍ଟାଡିୟମ୍‌କୁ ଘରୋଇ ଷ୍ଟାଡିୟମ୍‌ କରିବ। ପୁଣି ଜିନ୍ଦଲ ଗ୍ରୁପ୍ ସହ ଆଉ ୨ଟି ବ୍ୟାବସାୟିକ ସଂସ୍ଥା କଟକର ଫ୍ରାଞ୍ଚାଇଜି ହାସଲ କରିବା ପାଇଁ ଆଗ୍ରହ ପ୍ରକାଶ କରି ଟେଣ୍ଡର କାଗଜ କିଣିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ହେଲା ଦୂରସଞ୍ଚାର କମ୍ପାନୀ ଅପ୍‌ଟିମସ୍ ଇନ୍‌ଫ୍ରା କମ୍‌। ପୃଥକ୍ ୨ଟି ଆଇପିଏଲ୍‌ ଦଳ କିଣିବା ପାଇଁ ସର୍ବାଧିକ ମୂଲ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିବା ବ୍ୟାବସାୟିକ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଏହି ୨ଟି ଦଳର ମାଲିକାନା ମିଳିବ।

ମୋଟ ୨୦ଟି ଟେଣ୍ଡର କାଗଜାତ ବିକ୍ରି ହୋଇଥିବା ବେଳେ ସମସ୍ତେ ଦଳର ମାଲିକାନା ହାସଲ ପାଇଁ ଦାବି କରିବା ନିଶ୍ଚିତ ନୁହେଁ। ଅକ୍ଟୋବର ୨୫ ସୁଦ୍ଧା ଦୁବାଇରେ ସେମାନେ ଦାବି ଉପସ୍ଥାପନ କରିବେ ଏବଂ ସର୍ବାଧିକ ମୂଲ୍ୟ ଦେବାକୁ ଦାବି କରିଥିବା ୨ଟି ସଂସ୍ଥାକୁ ଏହି ୨ଟି ନୂଆ ଦଳର ମାଲିକାନା ମିଳିବ। ୨୬ରେ ଦୁବାଇରେ ନୂଆ ୨ଟି ଆଇପିଏଲ୍‌ ଦଳର ନାମ ଘୋଷଣା କରାଯିବ। ଦଳ କିଣିବା ପାଇଁ ସର୍ବନିମ୍ନ ମୂଳ ମୂଲ୍ୟ ୨୦୦୦ କୋଟି ଟଙ୍କା ରଖାଯାଇଛି। ଏଥର ବିସିସିଆଇ ନିୟମ କରିଛି ଯେ ଯେଉଁ ବ୍ୟାବସାୟିକ ସଂସ୍ଥା ବା ବ୍ୟକ୍ତିବିଶେଷ ୨ଟି ନୂଆ ଆଇପିଏଲ୍‌ ଦଳ କିଣିବାକୁ ଦାବି ଉପସ୍ଥାପନ କରିବେ; ସେମାନଙ୍କ ବାର୍ଷିକ କାରବାର ୩୦୦୦ କୋଟି ଟଙ୍କା ଥିବ ଏବଂ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୨୫୦୦ କୋଟି ଟଙ୍କା ହୋଇଥିବ। ଜିନ୍ଦଲ ଗ୍ରୁପ୍ ଓ ଅପ୍‌ଟିମସ୍‌ ଇନ୍‌ଫ୍ରା କମ୍ ନିକଟରେ ଏହି ଯୋଗ୍ୟତା ରହିଛି।

କଟକର ଆଇପିଏଲ୍‌ ଫ୍ରାଞ୍ଚାଇଜି କିଣିବା ଏବଂ ବାରବାଟୀ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନର ସମ୍ଭାବନା ନେଇ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ)ର କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି। ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଆଇପିଏଲ୍‌ ଏବଂ ଅନ୍ୟ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ସର୍ବଦା ପ୍ରସ୍ତୁତ ରହିଥାଏ। ୨/୩ଟି ସଂସ୍ଥା କଟକର ଆଇପିଏଲ୍‌ ଦଳ କିଣିବାକୁ ଆଗ୍ରହୀ ବୋଲି ଆମେ ଶୁଣିବାକୁ ପାଉଛୁ। ତାଲିକାରେ ଥିବା ୬ଟି ସହର ମଧ୍ୟରୁ ଅହମ୍ମଦାବାଦର ମୋଟେରା ପରେ ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ ବସିବା ସଂଖ୍ୟା ସର୍ବାଧିକ। ତେଣୁ ବ୍ୟାବସାୟିକ ଦୃଷ୍ଟିକୋଣରୁ କଟକର ଫ୍ରାଞ୍ଚାଇଜି ହାସଲ କରିଥିବା ଦଳ ଏଥିରୁ ଲାଭବାନ ହେବ। ଯଦି କୌଣସି ଦଳ କଟକର ଆଇପିଏଲ୍‌ ଦଳର ମାଲିକାନା ପାଆନ୍ତି; ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ହେବ। ବିଶ୍ବ କ୍ରିକେଟ୍‌ ମାନଚିତ୍ରରେ ଓଡ଼ିଶା ସ୍ଥାନପାଇବ। ଉକ୍ତ ସଂସ୍ଥାକୁ ଏଠାରେ ମ୍ୟାଚ୍‌ ଆୟୋଜନ ପାଇଁ ଆମେ ସମସ୍ତ ସହଯୋଗ କରିବୁ। ଓଡ଼ିଶା ସରକାର ମଧ୍ୟ ପୂର୍ଣ୍ଣ ସହଯୋଗ କରିବେ। ପୂର୍ବରୁ ବାରବାଟୀରେ ୭ଟି ଆଇପିଏଲ୍‌ ମ୍ୟାଚ୍ ସଫଳତାର ସହ ଶେଷହୋଇଛି ଏବଂ ଓଡ଼ିଶାର କ୍ରିକେଟପ୍ରେମୀ ଏହାର ଭରପୂର ମଜା ଉଠାଇଛନ୍ତି।

Comments are closed.