ଓଡ଼ିଶାର ବ୍ୟକ୍ତିମାନେ ସଂଗ୍ରାମୀ: ରାଜ୍ୟପାଳ

ଜଷ୍ଟିସ୍‍ ରାଜକିଶୋର ଦାସଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ

କଟକ  : ଓଡ଼ିଶାରେ ବହୁ ମହାନ୍ ବ୍ୟକ୍ତି ଜନ୍ମ ନେଇଛନ୍ତି। ଏହି ମାଟିରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ସଂଗ୍ରାମୀ। ସିପାହି ବିଦ୍ରୋହର ବହୁ ପୂର୍ବରୁ ଉତ୍କଳ ମାଟିରେ ହୋଇଥିଲା ପାଇକ ବିଦ୍ରୋହ। ପାଇକ ବିଦ୍ରୋହ ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସଂଗ୍ରାମ। ତେଣୁ ଏହି ମାଟି ମହାନ୍ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍‍ ମତବ୍ୟକ୍ତ କରିଛନ୍ତି।
ପ୍ରବୀଣ ଆଇନଜ୍ଞ, ସୁସାହିତ୍ୟିକ ତଥା ସମାଜସେବୀ ଜଷ୍ଟିସ୍‍ ରାଜକିଶୋର ଦାସଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସହିଦ ଭବନରେ ଆୟୋଜିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଲେ, ଓଡ଼ିଶା ହେଉଛି ଦେବଭୂମି। ଶ୍ରୀଜଗନ୍ନାଥ ଏହାର ମାଲିକ। ଶ୍ରୀଜଗନ୍ନାଥ ପ୍ରତି ମୁହୂର୍ତ୍ତରେ ଆଶୀର୍ବାଦ କରୁଛନ୍ତି। ଜଷ୍ଟିସ୍‍ ରାଜକିଶୋର ଦାସ ଏହି ପବିତ୍ର ମାଟିରେ ଜନ୍ମ ଗ୍ରହଣ କରିଥିବାରୁ ଓଡ଼ିଶା ମାଟିକୁ ସଲାମ କରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ। ମୁଖ୍ୟବକ୍ତା ପ୍ରଫେସର ଡ. ଶୈଳଜା ନନ୍ଦିନୀ ଜେନା କହିଲେ, ସ୍ୱର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ଯୋଗୁ ସେ ଆଜି ବି ଜନମାନସରେ ବଞ୍ଚି ରହିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଥିବା ବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ ରାଜକିଶୋର ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ସେ ଗାନ୍ଧୀ, ମଧୁବାବୁଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ଓଡ଼ିଆ ନାଟ୍ୟ ସାହିତ୍ୟକୁ ବହୁ ଭାବେ ଋଦ୍ଧିମନ୍ତ କରିଥିବା ବିଶିଷ୍ଟ ନାଟ୍ୟକାର ଡ. ନାରାୟଣ ସାହୁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜଷ୍ଟିସ୍‍ ରାଜକିଶୋର ଦାସ ପୁରସ୍କାର’ ପ୍ରଦାନ କରାଯାଇଥିଲା। ତାଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଚେକ୍‍ ପ୍ରଦାନ କରାଯାଇଥିଲା। ଏଥିସହ ସମାଜସେବା କ୍ଷେତ୍ରରେ ରାଜକିଶୋର ସାବତ, ବିଜ୍ଞାନ କ୍ଷେତ୍ରରେ ଡକ୍ଟର ଶରତ ଚନ୍ଦ୍ର ସାହୁ, ସଙ୍ଗୀତ କ୍ଷେତ୍ରରେ ଦେବାଶିଷ ମହାପାତ୍ର ଓ ସାମ୍ବାଦିକତା କ୍ଷେତ୍ରରେ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ‘ଜଷ୍ଟିସ୍‍ ରାଜକିଶୋର ଦାସ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ସମ୍ପାଦକ ଡ. ସତ୍ୟ ରାୟ କୃତଜ୍ଞତା ଜ୍ଞାପନ କରିଥିଲେ। ଆଡ୍‌ଭୋକେଟ ରମାକାନ୍ତ ମହାପାତ୍ର, ଶଶିଭୂଷଣ ଦାସ, ସୁଶାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହାଇକୋର୍ଟର ବହୁ ବିଚାରପତି, ଆଇନଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.