କଟକରେ ନିୟନ୍ତ୍ରଣରେ ରହିଛି କରୋନା, ଆକ୍ରାନ୍ତଙ୍କଠାରୁ ସୁସ୍ଥ ହାର ଅଧିକ:ଜିଲାପାଳ

ଭୁବନେଶ୍ବର: ‘ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଉକ୍ତି ଏବଂ ଏଥିରେ ଭରି ରହିଥିବା ସମ୍ବେଦନଶୀଳତା କଟକ ଜିଲାର ସମସ୍ତ କୋଭିଡ କାର୍ୟ୍ୟାଳୟରେ ପରିଲକ୍ଷିତ ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଜିଲା ପ୍ରଶାସନ କରୋନା ମହାମାରୀକୁ ସଫଳତାର ସହିତ ମୁକାବିଲା କରୁଛି। ଫଳରେ ଏବେ କଟକରେ ନିୟନ୍ତ୍ରଣରେ ରହିଛି କରୋନା। କଟକ ଜିଲାରେ ଆକ୍ରାନ୍ତଙ୍କଠାରୁ ସୁସ୍ଥହାର ଅଧିକ ରହିଛି। କଟକ ଜିଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଞ୍ଚିଛି। ସେହିପରି କରୋନା ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭ ପ୍ରତିଶତରେ ପହଞ୍ଚିଛି ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ପ୍ରକାଶ କରିଛନ୍ତି।
କଟକ ଜିଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ କୋଭିଡ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ୧୮୨୧ କମିଟି ଓ ସହରାଞ୍ଚଳରେ ୧୧୩ଟି ୱାର୍ଡ କମିଟି କାର୍ଯ୍ୟ କରୁଛନ୍ତି। ଏହାର ସଦସ୍ୟମାନେ ଘରକୁ ଘରୁ ବୁଲି ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉଛି ଓ ପଜିଟଭି କଣ୍ଟାକ୍ଟରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରି କୋଭିଡ୍‌ ଟେଷ୍ଟ କରୁଛନ୍ତି। ରାପିଡ ଆଣ୍ଟିଜେନ କିଟ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ମିଳୁଛି। ଫଳରେ ଆମେ ଅଧିକ ଟେଷ୍ଟ କରିପାରିଛୁ। କଟକ ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪ ହଜାର ୮୮୪ଟି ନମୁନା ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୩୭୪୭ ପଜିଟିଭ ମିଳିଛି। ୧୦୨୦ ଜଣ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି। ସେଥିମଧ୍ୟରୁ ୫୯ ପ୍ରତିଶତ କରୋନା ଆକ୍ରାନ୍ତ ସହରାଞ୍ଚଳର ହୋଇଥିବାବେଳେ ଅନ୍ୟମାନେ ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଅଧିକ ଟେଷ୍ଟ କରାଯାଇଛି। ଆରଟିପିସିଆର ଟୁର୍ଣ୍ଣାଣ୍ଟ କିଟ୍‌ରେ ନମୁନା ପରୀକ୍ଷା କରାଯାଉଛି। ଏସସିବିରେ ୧୮ଟି ଜିଲାର ୧ ଲକ୍ଷ ୩୩ ହଜାର ୭୦୦ଟି ନମୁନା ପରୀକ୍ଷା ହୋଇଛି। କଟକ ଜିଲାରେ ଆମେ ଗତ ସପ୍ତାହରେ ୧୩ ହଜାର ୧୨୪ ନମୁନା ପରୀକ୍ଷା କରିଥିଲୁ ଏହି ସପ୍ତାହରେ ୧୭୪୩୫ ଟେଷ୍ଟ ହୋଇପାରିଛି ବୋଲି ଜିଲାପାଳ କହିଛନ୍ତି।
କୋଭିଡକୁ ନିୟନ୍ତ୍ରଣରେ ରଖିବାରେ ଆମେ ସୁଦୃଢ଼ ଭିତ୍ତିଭୂମି ତିଆରି କରିପାରିଛୁ। ଏକ ଉତ୍ସର୍ଗୀକୃତ କୋଭିଡ ହସ୍‌ପିଟାଲ ନିର୍ମାଣ ହୋଇଛି। କଟକ ଜିଲାରେ ମୋଟ ୮ଟି କୋଭିଡ କେୟାର ସେଣ୍ଟରରେ ୧୨ ଶହରୁ ଅଧିକ ଶଯ୍ୟା ଅଛି। ଏଥିରେ ୭୪ଟି ଆଇସିୟୁ ଓ ୧୫ଟି ଭେଣ୍ଟିଲେଟର ରହିଛି। କଟକ ଜିଲାରେ ୨୨୩ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। କଟକରେ ହସ୍ପିଟାଲ, କୋଭିଡ କେୟାର ସେଣ୍ଟରକୁ ଡାକ୍ତରମାନଙ୍କୁ ପଠାଯାଉଛି। ସେହିପରି ପ୍ଲାଜମା ଥେରାପି ଚିକିତ୍ସା ପାଇଁ ୧୧୨ ଜଣଙ୍କ ଠାରୁ ୨୨୪ ୟୁନଟି ପ୍ଲାଜମା ସଂଗ୍ରହ କରାଯାଇଥିବାବେଳେ ୧୭୯ ୟୁନିଟ ବ୍ୟବହାର ହୋଇଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚଇନି ପ୍ରକାଶ କରିଛନ୍ତି।

Comments are closed.