କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କହିଲେ ମହାନଦୀର ଜଳଧାରା ସୃଷ୍ଟି କରିବ ରୋଜଗାର ପନ୍ଥା

କଟକ: ମହାନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଉଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଗତି କରୁଥିବା ଏହି ମହାନଦୀର ଉତ୍ପତ୍ତି ସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଏହାର ଧାରାକୁ ସ୍ୱଚ୍ଛ ଓ ପରିସ୍କାର କରିବା ରଖିବା ସହ ନଦୀର ଦୁଇ କୂଳରେ ବିଭିନ୍ନ ପ୍ରକାର ଯୋଜନା କରାଯାଇ ରୋଜଗାର ପନ୍ଥା ସୃଷ୍ଟି କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କଟକ ବିଡ଼ାନାସୀଠାରେ ଥିବା ଧବଳେଶ୍ୱର ଡଙ୍ଗା ଘାଟରେ ଆଜି ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ମହାନଦୀର ପୂଜାର୍ଚ୍ଚନା ଓ ଆଳତି କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଗଙ୍ଗା ନଦୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଥିବା ନଦୀ ଧାରା ଓ ଏହାର ପାର୍ଶ୍ବ ଅଞ୍ଚଳକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନମାମୀ ଗଙ୍ଗେ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିସହ ନଦୀଗୁଡ଼ିକରେ ପ୍ରବାହିତ ହେଉଥିବା ଜଳଧାରା ଯେପରି ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବ ସେ ନେଇ ଉଦ୍ୟମ କରାଯାଉଛି।

ଐତିହାସିକ ସହର କଟକର ଗଡ଼ଗଡ଼ିଆ ଘାଟରୁ ଆମ ପୂର୍ବଜମାନେ ବିଦେଶକୁ ନଦୀ ବାଟ ଦେଇ ବାଣିଜ୍ୟ କରିବାକୁ ଯାଉଥିଲେ। ଏଣୁ କଟକ ସହରରେ ପ୍ରବାହିତ ମହାନଦୀ ଓ କାଠଯୋଡ଼ି ଜଳଧାରା ଯେପରି ସ୍ୱଚ୍ଛ ରହିବ ଓ ବର୍ଷକଯାକ ଏହାର ଜଳରାଶି ଲୋକଙ୍କ ଉପଯୋଗୀ ହୋଇପାରିବ ସେ ନେଇ ତାଙ୍କ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି। ଏଥିପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ କରାଯିବ ବୋଲି ସେ କହିବା ସହ ଏହି ଦୁଇ ନଦୀ କୂଳରେ ବିଭିନ୍ନ ପ୍ରକାର ଯୋଜନା କରିବା ପାଇଁ କେନ୍ଦ୍ର ଜଳସମ୍ପଦ ବିଭାଗର ଅଧିକାରୀମାନେ କଟକ ଆସି ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ ମହାନଦୀର ଜଳରାଶି ଶୁଖିଯିବା ନେଇ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଯେ ଏହି ‘ନମାମୀ ଗଙ୍ଗେ’ ଯୋଜନାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ସଫଳ ରୂପାୟନ କରାଯାଇପାରିବ। ଏଣୁ ରାଜ୍ୟ ସରକାର ଯେକୌଣସି ନଦୀ ଉପରେ ଅଧିକା ବ୍ୟାରେଜ୍‍ ନିର୍ମାଣ କରିବାକୁ ଚାହୁଁଛନ୍ତି ସେ ଦିଗରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସେଗୁଡ଼ିକ ନିର୍ମାଣ କରାଯାଇପାରିବ। ଫଳରେ ରାଜ୍ୟରେ ଯେକୌଣସି ସମୟରେ ନଦୀ ଜଳ ଆବଶ୍ୟକତା ଅନୁଯାୟୀ ମିଳିପାରିବ। ‘ନମାମୀ ଗଙ୍ଗେ’ ରାଜ୍ୟ ଆବାହକ ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ବରିଷ୍ଠ ନେତ୍ରୀ ସ୍ମୃତି ପଟ୍ଟନାୟକ, ଲଲାଟେନ୍ଦୁ ବଡ଼ୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ‘ନମାମୀ ଗଙ୍ଗେ’ ଯୋଜନା ବିଷୟରେ କହିଥିଲେ।

Comments are closed.