କଟକ ବାଲିଯାତ୍ରା ଜାତୀୟ ପର୍ବର ମାନ୍ୟତା ଦାବି କରେ

ଅତୀତରେ କଳିଙ୍ଗସାଧବ ସାତ ସମୁଦ୍ର ତେର ନଈ ପାରିହୋଇ ଦେଶବିଦେଶରେ ବାଣିଜ୍ୟ କରୁଥିଲେ। କଳିଙ୍ଗର ଯେଉଁ ବୈଭବ ଦିନେ ବହିର୍ବାଣିଜ୍ୟ ଯୋଗୁଁ ସମ୍ଭବ ହୋଇଥିଲା ତାହା କୈବର୍ତ୍ତମାନଙ୍କ ନୌଯାତ୍ରାର ଦକ୍ଷତା ଯୋଗୁଁ ହିଁ ସମ୍ଭବ ହୋଇଥିଲା। କୈବର୍ତ୍ତମାନେ କେବଳ ଦକ୍ଷ ନାବିକ ନଥିଲେ, ସେମାନେ ସାହସୀ, ଲଢ଼ୁଆ ନୌସେନା ମଧ୍ୟ ଥିଲେ।
ଜଳପଥରେ ବାଣିଜ୍ୟ କାରବାରରେ ଓଡ଼ିଆ ବଣିକର ନାଁ ଡାକ ଥିଲା। ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ମାଳୟ ଦ୍ୱୀପପୁଞ୍ଜକୁ ମିଶାଇ ସୁବର୍ଣ୍ଣ ଦ୍ୱୀପ ପେଗୁରେ ମଧ୍ୟ ଓଡ଼ିଆ ସାଧବ ବାଣିଜ୍ୟ ବିସ୍ତାର କରିଥିଲା। କାମ୍ବୋଡ଼ିଆ, ବ୍ରହ୍ମଦେଶ, ଇତ୍ୟାଦି ସ୍ୱର୍ଣ୍ଣଭୂମିରେ ଓଡ଼ିଆ ବଣିକ ରାଜସିଂହାସନ ଅଧିକାର କରି ରାଜତ୍ୱ ବି କରୁଥିଲେ। ଖାଲି ସେତିକି ନୁହେଁ, କଳିଙ୍ଗ ବଣିକମାନେ ପ୍ରଶାନ୍ତ ମହାସାଗର ପାରିହୋଇ ଚୀନ୍ ଓ ଜାପାନ ଦେଶ ସହ ବାଣିଜ୍ୟ ସଂପର୍କ ସ୍ଥାପନ କରିଥିଲେ। ଏ’ତ ଗଲା ପୂର୍ବ ସମୁଦ୍ରର କଥା। ପଶ୍ଚିମ ସମୁଦ୍ର ଆରବ ସାଗର ଭେଦି କଳିଙ୍ଗ ବଣିକ ବାଣିଜ୍ୟରେ ହୋଇଥିଲା ଏକଚ୍ଛତ୍ରପତି ରାଜା। ଆଫ୍ରିକା ମହାଦେଶର ମାଡ଼ାଗାସ୍କର ଦ୍ୱୀପରେ କଳିଙ୍ଗ ବଣିକ ବାଣିଜ୍ୟ ପୋତ ନେଇ ପହଞ୍ଚି ଯାଇଥିଲେ! ବାରଶହ କି ପନ୍ଦର ଶହ ବର୍ଷ ପୂର୍ବେ ତାମ୍ରପର୍ଣ୍ଣୀ ଦ୍ୱୀପ ଆଉ କଳିଙ୍ଗ ମଧ୍ୟରେ ସମୁଦ୍ର ପଥରେ ଚାଲିଥିଲା ହାତୀ ବାଣିଜ୍ୟ। ତାମ୍ରପର୍ଣ୍ଣୀ ଦ୍ୱୀପର ନାମ ପରେ ହେଲା ଲଙ୍କା ଦ୍ୱୀପ। ଲଙ୍କା ଦ୍ୱୀପର କୃଷ୍ଣହାତୀ ଥିଲା ଜଗତ ବିଖ୍ୟାତ। ଲଙ୍କା ହାତୀମାନ ଥିଲେ ରାବଣ, କୁମ୍ଭକର୍ଣ୍ଣ ପରି ବିଶାଳ ଆକାର ଓ ବଳୀୟାନ। ତେଣୁ କଳିଙ୍ଗ ରାଜା ଲଙ୍କାହାତୀ କିଣି ଉତ୍ତର ଭାରତର ରାଜାମାନଙ୍କୁ ବିକ୍ରୟ କରି ହାତୀ ବାଣିଜ୍ୟରେ ହାତୀପ୍ରମାଣ ଲାଭବାନ ହେଉଥିଲେ। କଳିଙ୍ଗ ସହ ଲଙ୍କା ଦ୍ୱୀପର ସଂପର୍କର ଇତିହାସ ଅତି ପ୍ରାଚୀନ।
ଉତ୍କଳ ଉପକୂଳରେ ସେତେବେଳେ ଥିଲା କେତେ କେତେ ବନ୍ଦର। ମସଲିପଟ୍ଟମ, କୋଣାର୍କ ନଗର, ଦନ୍ତପୁର, ଚୈତ୍ର, ତାମ୍ରଲିପ୍ତ, ଆଡ଼ଜିଟା, କଳିଙ୍ଗପତ୍ତନ, ଚିଲିକା, ପୁରୀ, ଚରିତ୍ର, ସୁବର୍ଣ୍ଣରେଖା, ହିଜ୍ଲୀ ଓ କଟକ ଜିଲାର ମରିଚପୁର, ହରିଶପୁର ଗଡ଼ରେ ଥିଲା ଉତ୍କଳର ପ୍ରସିଦ୍ଧ ବନ୍ଦରମାନ। ଦିନେ ସେଇ ବନ୍ଦର ଦେଇ ଉତ୍କଳର ବହିର୍ବାଣିଜ୍ୟ ଶହଶହ ବର୍ଷ ଧରି ଚାଲିଥିଲା। ସ୍ଥାନୀୟ ଗ୍ରାମଦେବତୀ ଠାକୁରାଣୀଙ୍କୁ ମାଜଣା କରି ଉତ୍କଳ ସାଧବକୁଳର ବୁନିଆଦ୍ ନାବିକମାନଙ୍କ ପୂର୍ବପୁରୁଷଗଣ ବଙ୍ଗୋପସାଗରରେ ମେଲି ଦେଉଥିଲେ ନିଜ ହାତଗଢ଼ା କଳିଙ୍ଗ ବୋଇତ। ସେତେବେଳେ ହରିପୁରର ଏବଂ ଉତ୍କଳର ଅନ୍ୟାନ୍ୟ ସ୍ଥାନରେ ପାଟବସ୍ତ୍ର ପ୍ରସିଦ୍ଧ କଳିଙ୍ଗବସ୍ତ୍ର ଭାବରେ ଥିଲା ଭାରତ ଏବଂ ଭାରତ ବାହାରେ ପରିଚିତ। କଳିଙ୍ଗବସ୍ତ୍ରର ଚାହିଦା ସୁବର୍ଣ୍ଣ ଦ୍ୱୀପ ଓ ଲଙ୍କା ଦ୍ୱୀପରେ ଏପରି ପ୍ରସିଦ୍ଧ ହୋଇଥିଲା ଯେ ଲଙ୍କାବାସୀ ତାମିଲମାନେ ବସ୍ତ୍ର ବୋଇଲେ କଳିଙ୍ଗ ବସ୍ତ୍ରକୁ ହିଁ ବୁଝୁଥିଲେ। ଅବଶେଷରେ ତାମିଲ ଭାଷାକୋଷରେ ‘କଳିଙ୍ଗ’ ଶବ୍ଦର ଅର୍ଥ ‘ବସ୍ତ୍ର’ ବୋଲି ଅଭିହିତ ହୋଇଥିଲା।
ସମୁଦ୍ର ପଥରେ ବଳୁଆ, ବପୁଆ ଆକାଶ ପ୍ରମାଣ ହାତୀମାନଙ୍କୁ ଲଙ୍କାଦ୍ୱୀପରୁ କଳିଙ୍ଗ ରାଜ୍ୟକୁ ବୋହି ଆଣିବା ପାଇଁ ତହୁଁ ବଳି ମଜଭୁତ ବିଶାଳ, ସମୁଦ୍ର ଆକ୍ରାନ୍ତ ହାତୀଆ ବୋଇତମାନ କଳିଙ୍ଗ ବନ୍ଦରମାନଙ୍କରେ ନିର୍ମାଣ କରାଯାଉଥିଲା। କଳିଙ୍ଗର ଖାରବେଳ ରାଜା ପାଣ୍ଡ୍ୟ ରାଜାଙ୍କଠାରୁ ଅଧିକାର କରିଥିଲେ ଅନେକଗୁଡ଼ିଏ ହାତୀବୋଇତ। ଉତ୍କଳ କୈବର୍ତ୍ତଙ୍କ ପୂର୍ବପୁରୁଷମାନେ ଏଇ ବୋଇତମାନ ତିଆରି କରୁଥିଲେ ଓ ସମୁଦ୍ରରେ ଚାଳନା କରୁଥିଲେ। ଏଡ଼େ ପରାକ୍ରମୀ ହାତୀମାନଙ୍କୁ ଲଙ୍କା ଦ୍ୱୀପରୁ କିଣିବା ପାଇଁ କଳିଙ୍ଗ ରାଜା ହାତୀଏ ମୂଲ୍ୟ ଦେଉଥିଲେ! କାହିଁକି ବା ନଦେବେ- ସେତେବେଳେ ଉତ୍କଳ ଭୂଇଁରେ ନଥିଲା କ’ଣ? ସେକାଳେ ଉତ୍କଳ ହୀରା ଥିଲା ଜଗତ ବିଖ୍ୟାତ। ଦୁଇହଜାର ବର୍ଷ ପୂର୍ବେ ଉତ୍କଳ ହୀରା ଅମୂଲ୍ୟ ମୂଲ୍ୟରେ ରୋମ୍ ନଗରୀରେ ବିକ୍ରୟ ହେଉଥିଲା। ସାଗରପାରେ ଦୂର ଦେଶରେ ବାଣିଜ୍ୟ କରିବାକୁ ଯାଇ ବସବାସ କରି ସ୍ୱଦେଶ ଚଳଣି ଓ ସଭ୍ୟତା ବିସ୍ତାର କରିବାରେ ଭାରତ ବଣିକଙ୍କ ମଧ୍ୟରେ ଓଡ଼ିଆ ଥିଲେ ଆଗୁଆ, ଯାହାର ପ୍ରମାଣ ଏଯାବତ୍ ସେହି ଦେଶମାନଙ୍କରେ ଅଛି ଏବଂ ସେ ଦେଶର କେତେକ ଚଳଣି କୋଣାର୍କ ଗାତ୍ରରେ ପ୍ରସ୍ତରକଳାରେ ଖୋଦିତ ହୋଇ ରହିଛି। ଉଦାହରଣ ସ୍ୱରୂପ କୋଣାର୍କ ଗାତ୍ରରେ ଜିରାଫ ଉପହାର, ଟେବୁଲରେ ବସି କାଠି ସାହାଯ୍ୟରେ ଖାଇବା, ନାରୀମାନଙ୍କ ହାତରେ ଭ୍ୟାନିଟି ବ୍ୟାଗ୍ ଇତ୍ୟାଦି। ଇଣ୍ଡୋନେସିଆର ବିଭିନ୍ନ ସହରର ପ୍ରତ୍ୟେକ ଘର ସାମ୍ନାରେ ଏବେବି ଚଉରା ଥିବାର ଦେଖାଯାଏ। ଉତ୍କଳ ବଣିକମାନେ ବହିର୍ବାଣିଜ୍ୟ ଦ୍ୱାରା ଦେଶ ବିଦେଶରେ କେବଳ ବାଣିଜ୍ୟ ବିସ୍ତାର କରୁନଥିଲେ ତା’ ସହିତ ଉତ୍କଳୀୟ ସଂସ୍କୃତିର ପ୍ରଚାର ମଧ୍ୟ କରୁଥିଲେ। ସେମାନେ ଥିଲେ ଉତ୍କଳର ବାଣିଜ୍ୟ ଓ ସାଂସ୍କୃତିକ ରାଜଦୂତ। ସେତେବେଳେ ମାଳମାଳ ଉତ୍କଳୀୟ ରଣପୋତ ଭାରତ ମହାସାଗର ମଧ୍ୟରେ ଉତ୍କଳର ବାଣିଜ୍ୟ ରକ୍ଷା ନିମନ୍ତେ ନିଯୁକ୍ତ ଥିଲା। କୈବର୍ତ୍ତମାନଙ୍କ ପୂର୍ବପୁରୁଷ ଥିଲେ ପୋତ ନିର୍ମାଣକାରୀ, ପୋତଚାଳକ ଏବଂ ପୋତରକ୍ଷାକାରୀ କୈବର୍ତ୍ତ। ସେମାନେ ଦେଶବିଦେଶ ଭ୍ରମଣ କରି ପୋତ ନିର୍ମାଣ କରୁଥିଲେ ଓ ଉତ୍କଳର ଯଶବାନା ଉଡ଼ାଉଥିଲେ। ଅତୀତର ଏହି ହଜିଲା ଇତିହାସର ପୃଷ୍ଠା ଓଡ଼ିଆମାନଙ୍କୁ ଗର୍ବିତ କରେ।
କଟକର ବାଲିଯାତ୍ରା କେବଳ ଏକ ମନୋରଞ୍ଜନକାରୀ ସାଂସ୍କୃତିକ ପର୍ବ ନୁହେଁ। ଏହା ହେଉଛି ପ୍ରାଚୀନ କଳିଙ୍ଗ (ଓଡ଼ିଶା) ନୌବାଣିଜ୍ୟର ଗୌରବମୟ ଐତିହ୍ୟ ଓ ସଂସ୍କୃତିର ସ୍ମାରକୀ ପର୍ବ। କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିବସରେ ସାଧବକୁଳର ବୁନିୟାଦ ନାବିକମାନଙ୍କର ପୂର୍ବପୁରୁଷଗଣ ବଙ୍ଗୋପସାଗରରେ ମେଲିଦେଉଥିଲେ ନିଜ ହାତଗଢ଼ା କଳିଙ୍ଗ ବୋଇତ। ଏହି ଗୌରବମୟ ଇତିହାସକୁ ଜୀବିତ ରଖିବା ପାଇଁ ଉତ୍କଳର ଶେଷ ରାଜଧାନୀ କଟକ ନଗରର ବାରବାଟୀ ଦୁର୍ଗ ନିକଟସ୍ଥ ମହାନଦୀର ଗଡ଼ଗଡ଼ିଆ ଘାଟରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ। ଏହି ପର୍ବ କ୍ରମେ ଲୋକପ୍ରିୟ ହୋଇ ଉତ୍କଳର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି।
ସମ୍ଭବତଃ ଭାରତରେ ଏହା ହେଉଛି ନୌବାଣିଜ୍ୟ ଐତିହ୍ୟର ଏକମାତ୍ର ପର୍ବ। କୁହାଯାଏ ଏହା ହେଉଛି ଏସିଆର ବୃହତ୍ତମ ଜାତୀୟ ଐତିହ୍ୟର ମୁକ୍ତାକାଶ ପର୍ବ। କେବଳ ରାଜ୍ୟରୁ ନୁହେଁ, ଭାରତବର୍ଷର ବିଭିନ୍ନ ସ୍ଥାନରୁ ଦର୍ଶକ ଏବଂ ବଣିକ ଏହି ମେଳାରେ ଭାଗ ନେବା ପାଇଁ ଆସନ୍ତି। ଏଠାରେ ପ୍ରତିବର୍ଷ ଲକ୍ଷଲକ୍ଷ ସଂସ୍କୃତିପ୍ରେମୀଙ୍କର ସମାଗମ ହୁଏ ଏବଂ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ ଏହାଦ୍ୱାରା ସଂସ୍କୃତିର ଆଦାନପ୍ରଦାନ ହୁଏ। ଏଭଳି ବାଣିଜ୍ୟପର୍ବ ଭାରତ ଭଳି ଏକ ବିବିଧ କଳା ସଂସ୍କୃତିର ବୈଚିତ୍ର୍ୟମୟ ଦେଶରେ ସାଂସ୍କୃତିକ ସମନ୍ୱୟ ଏବଂ ଜାତୀୟ ଐକ୍ୟର ଅବସର ସୃଷ୍ଟି କରେ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସୁଖର ବିଷୟ ଯେ ଲୋକମତକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପର୍ବକୁ ଉତ୍କଳର ଜାତୀୟ ପର୍ବର ମାନ୍ୟତା ଦେଇଛନ୍ତି, କିନ୍ତୁ ଏହା ଉତ୍କଳର ଜାତୀୟ ପର୍ବ କେବଳ ନୁହେଁ, ବରଂ ଭାରତର ନୌବାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଗୌରବମୟ ଆଦିପର୍ବର ମାନ୍ୟତା ଦାବି କରେ। ତେଣୁ ଭାରତ ସରକାର ଏହାକୁ ଜାତୀୟ ମାନ୍ୟତା ଦେବା ପାଇଁ ସଂସ୍କୃତିପ୍ରେମୀ ନାଗରିକଗଣ, ନେତୃସ୍ଥାନୀୟ, ବୁଦ୍ଧିଜୀବୀଗଣ ଦାବି କରନ୍ତି।

 

ପ୍ରତିଭା ରାୟ

ବନ୍ଦେ ଉତ୍କଳ ଜନନୀ।
‘ଆଖ୍ୟାୟିକା’ ୨୭, ଗଜପତି ନଗର, ଭୁବନେଶ୍ୱର-୭୫୧୦୦୫

Comments
Loading...