ଐତିହାସିକ ବାଲିଯାତ୍ରା ରାଜ୍ୟ ମହୋତ୍ସବ ଉଦ୍‍ଯାପିତ : ମାନ୍ୟତା ବଢ଼ାଇଲା ଆକର୍ଷଣ

କଟକ : ଦୀର୍ଘ ୯ଦିନ ଧରି ଚାଲିଥିବା କଟକର ଐତିହାସିକ ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ ବୁଧବାର ଉଦ୍‍ଯାପିତ ହୋଇଯାଇଛି। ବାଲିଯାତ୍ରା ସହିତ ୨ମାସ ଧରି କଟକ ସହରରେ ଲାଗି ରହିଥିବା ପାର୍ବଣର ପରିସମାପ୍ତି ଘଟିଛି। ଆଜି ବାଲିଯାତ୍ରାର ଶେଷଦିନରେ ୨ଟି ଯାତ୍ରାପଡିଆରେ ଅପରାହ୍ଣରୁ ଗହଳି ଲାଗିଯାଇଥିଲା। ଶେଷଦିନରେ ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ଘଟିଥିବା ପ୍ରଶାସନ ପକ୍ଷରୁ ଆନୁମାନିକ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ଷ୍ଟଲ ଖୋଲିଥିବା ବ୍ୟବସାୟୀମାନେ ଶେଷ ଦିନରେ ଭଲ ବ୍ୟବସାୟ କରିଛନ୍ତି। ଏଥର ମଧ୍ୟ ଓରମାସ ପକ୍ଷରୁ ଖୋଲାଯାଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ରେକର୍ଡ ବ୍ୟବସାୟ ହୋଇଛି। ଆଜି ଶେଷ ଦିନରେ ପ୍ରାୟ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସର ଯୁଗ୍ମନିର୍ଦେଶକ ବିପିନବିହାରୀ ରାଉତ ସୂଚନା ଦେଇଛନ୍ତି। ବାଲିଯାତ୍ରା ଶେଷ ହୋଇଥିଲେ ମଧ୍ୟ ଚଳିତବର୍ଷ ଏହି ମହୋତ୍ସବ ଆୟୋଜନ ଦୀର୍ଘଦିନ ଧରି ମନେ ରହିବ। ଚଳିତଥର ବାଲିଯାତ୍ରାକୁ ସରକାର ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଥିବାବେଳେ ବାଲିଯାତ୍ରା ଇତିହାସରେ ପ୍ରଥମଥର ପାଇଁ ପଥୋତ୍ସବ ,ମହାନଦୀ ଆଳତି ସମେତ ଏକାଧିକ ପଦକ୍ଷେପ ପ୍ରଶାସନ ଆରମ୍ଭ କରିଥିଲା। ପ୍ରଶାସନର ପଦକ୍ଷେପକୁ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ବୁଦ୍ଧିଜୀବୀ ଓ ସହରବାସୀ ପ୍ରଶଂସା କରିଛନ୍ତି। ଦୀର୍ଘ ୯ଦିନ ଧରି ଆୟୋଜିତ ହୋଇଥିବା ମେଳା ଦୁର୍ଘଟଣା ମୁକ୍ତ ହୋଇଥିବାରୁ କମିସନରେଟ ପୁଲିସକୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି। ଚଳିତବର୍ଷ ବାଲିଯାତ୍ରାର ୯ଦିନରେ ୩୦ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ ପ୍ରଶାସନ ପକ୍ଷରୁ ମୋଟ ୧୭୫୦ରୁ ଊର୍ଦ୍ଧ୍ବ ଷ୍ଟଲ ନିର୍ମାଣ କରାଯାଇଥିଲା। ମୋଟ ୫୫ଏକର ଜମିରେ ହେଉଥିବା ଏହି ବାଲିଯାତ୍ରାରୁ ଜିଲା ପ୍ରଶାସନ ୬୦ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିବାର ଲକ୍ଷ୍ୟ ରଖିଥିଲା। ୧୨ ଏକର ଜମିରେ ଓରମାସ ପକ୍ଷରୁ ୪୧୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ବାଲିଯାତ୍ରାକୁ ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନେକାଂଶରେ ସଫଳ ହୋଇଥିଲା।
ଗତକାଲି ସୁଦ୍ଧା ଓରମାସରେ ଖୋଲିଥିବା ୪୧୦ଟି ଷ୍ଟଲରେ ମୋଟ ୯.୭୦କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଚଳିତବର୍ଷ ବାଲିଯାତ୍ରାରେ ଓର୍‍ମାସରେ ପ୍ରାୟ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟବସାୟ ହୋଇଥିବା ଜଣାପଡିଛି।
ଆଜି ବୁଧବାର ତଥା ବାଲିଯାତ୍ରାର ଶେଷ ଦିବସ ହୋଇଥିବା ଯୋଗୁଁ ଅପରାହ୍ଣ ୩ଟାଠାରୁ ଉପର ଓ ତଳ ମେଳା ପଡିଆରେ ଲୋକଙ୍କ ଗହଳି ଆରମ୍ଭ ହୋଇଯାଇଥିଲା। ସହରର ଚାରି ଦିଗରୁ ହଜାର ହଜାର ଲୋକ ଗାଡିମୋଟର ଧରି ଯାତ୍ରା ପଡିଆକୁ ମୁହାଁଇଥିଲେ। ଯାହାଫଳରେ ଅପରାହ୍ଣ ୪ଟାଠାରୁ ମେଳା ପଡିଆ ଜନସମୁଦ୍ର ପାଲଟିଥିଲା। ମହାନଦୀ ରିଙ୍ଗ ବନ୍ଧର ଯୋବ୍ରା ଆନିକଟଠାରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ରାସ୍ତାରେ ଶହ ଶହ ଯାନ ଯାତ୍ରା ପଡିଆକୁ ଯିବାକୁ ଅଟକି ରହିଥିଲେ। ଏଥିସହିତ ଡିଅରପାର୍କ, ଗୋପବନ୍ଧୁ ପାର୍କ, ମାତାମଠ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ୨ଟି ପଡିଆରେ ଜନସମାଗମକୁ ନିୟନ୍ତ୍ରଣ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯାତ୍ରାରେ ଅଘଟଣକୁ ରୋକିବା ଓ ଅପରାଧୀଙ୍କ ଉପରେ ଦୃଷ୍ଟି ରଖିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ନିର୍ମିତ ୱାଚ ଟାୱାର, ସିସିଟିଭି ବ୍ୟବସ୍ଥା ସହିତ ପୁଲିସ ପଇଁତରାକୁ କଡାକଡି କରାଯାଇଥିଲା। ବାଲିଯାତ୍ରା ଶେଷ ହୋଇଥିବାବେଳେ ପୁଣି ଏକ ବର୍ଷ ଅପେକ୍ଷା।

Comments are closed.