ଆରମ୍ଭ ହେଲା କଟକ ବାଲିଯାତ୍ରା,ଉଦଘାଟନ କଲେ ଅର୍ଥମନ୍ତ୍ରୀ

0

କଟକ : ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକରେ ଐତିହାସିକ ବାଲିଯାତ୍ରା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ତେବେ ଏଥର ବାଲିଯାତ୍ରାକୁ ୭ ଦିନ ପରିବର୍ତ୍ତେ‌େ‌ ୧୦ ଦିନ ପାଇଁ ଅନୁଷ୍ଠିତ ହେବ।

ତଳ ଓ ଉପର ଉଭୟ ମେଳା ପଡିଆରେ ଏବେ ଦୋକାନ, ଦୋଳି ଓ ଷ୍ଟଲ୍‌ରେ ସଜେଇ ହୋଇ ଯାଇଛି। ତଳ ମେଳା ପଡିଆରେ ପଲ୍ଲୀଶ୍ରୀ ମେଳା(ଓରମାସ୍‍), ଗାନ୍ଧୀ ଶିଳ୍ପ ବଜାର ଓ ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚ, ବାଲୁକା କଳା ସ୍ଥଳ ଏବଂ ସମସ୍ତ ଷ୍ଟଲ୍‍ ନିର୍ମାଣ ହୋଇଛି। ଓରମାସ୍ ଭିତରେ ଟେରାକୋଟା ଛାପରେ ତିଆରି ହୋଇଛି ଆକର୍ଷଣୀୟ ଅଫିସ୍‍ ଘର।  ମେଳାପଡିଆ ଆଲୋକମାଳାରେ ଝଲସି ଉଠୁଛି।

ତଳ ପଡିଆର ମେଳା ପରିସୀମାକୁ ଏଥର ବଢାଇ ଦିଆଯାଇଛି। ଗାଡି ପାର୍କିଂଲାଗି ଏକାଧିକ ବ୍ୟବସ୍ଥା ୪ ଦିଗରୁ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା କିଭଳି ନିୟନ୍ତ୍ରିତ ହୋଇପାରିବ ଏବଂ ମେଳା ପଡିଆରେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି। ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ବାଓ ଟଏଲେଟ୍ ସୁବିଧା ମଧ୍ୟ କରାଯାଇଛି। ଏଥର ମେଳା ପଡିଆରେ ଯେଭଳି ଧୂଳି ନ ଉଡେ ସେଥିପାଇଁ  ପ୍ରଥମ ଥର ଲାଗି ରସାୟନିକ ପ୍ରୟୋଗ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply