କମୁଛି ଦିନ, ବିକଳ ହେଉଛି ମନ

0

କଟକ : ନଅ ଦିନ ଲୋକେ ବେଦମ୍‍ ବୁଲିଲେ, ଶେଷ ଚାରି ଦିନ ଜବର ଭିଡରେ ମେଳାକୁ ବେହାଲ କଲେ। ଆମିଷ ବାରିରେ ଖାଇ ଖାଇ ହାଲିଆ ହେଲେ। ତଥାପି ମନ ପୂରିଲା ନାହିଁ, ଅନାଇଛନ୍ତି ରବିବାର ଶେଷ ଦିନକୁ। ଯେମିତି ଆଉ କିଛି ବାକି ରହିଗଲା; ଅମୁକଟା ଟିକେ ଦେଖି ହେଲାନି, ସମୁକଟା କିଣି ହେଲାନି। ଏଇ ତ ବାଲିଯାତ୍ରା। ଯାହାକୁ ଶେଷ କରି ବି ଲାଗେ ଶେଷ ହୋଇନି।
ଏଥର ବାଲିଯାତ୍ରା ଥିଲା ସବୁଠାରୁ ଲମ୍ବା ଦିନର; ଏ ମେଳା ପୂର୍ବରୁ ଏତେଦିନ(୧୦) କେବେ ଚାଲି ନ ଥିଲା। ଏହା ମଧ୍ୟ ସତ୍ୟ ଯେ; ଏ ମେଳା କେବେ ନଅ ଦିନ ବି ହୋଇ ନ ଥିଲା, ତେଣୁ ଶନିବାର ଦିନଟିର ଗୁରୁତ୍ୱ ମଧ୍ୟ ଥିଲା ନିଶ୍ଚିତ ରୂପେ କିଛିଟା ଅଲଗା। ବାଲିଯାତ୍ରାର ନବମ ଦିନ ଶନିବାର ତେଣୁ ଡାକିଆଣିଥିଲା ଶୁକ୍ରବାରର ଗହଳିକୁ; ଅବଶ୍ୟ ମେଳା ସରିଆସିଲାବେଳକୁ ଦୁଇଦିନ ଜବର ଭିଡ ହୁଏ…ଇଏ ମେଳାର ପରଂପରା। ରାତି ପାହିଲେ ରବିବାରକୁ ମେଳା ସରିବ, ତେଣୁ ଲୋକେ ଢିଲା ଦେଇ ନ ଥିଲେ ଶନିବାରରେ; ଦିନ ୧୦ରୁ ଲୋକେ ଗଡିଲେ ଯେ, ମଧ୍ୟାହ୍ନ ବେଳକୁ ହାଉଯାଉ। ସନ୍ଧ୍ୟାରେ ପାଦ ଥୋଇବାକୁ ଜାଗା ନାହିଁ ଏବଂ ଏ ସ୍ଥିତି ରହିଲା ରାତି ୧୦ ପର୍ଯ୍ୟନ୍ତ।
ସବୁ ଭିଡ ଯେ କେବଳ ମେଳା ପଡିଆରେ ସେ କଥା ନୁହେଁ; ପୁଣି ସବୁ ମଜା ବି ଯାତରା ଭିତରେ ସୀମିତ ନୁହେଁ। ବାଲିଯାତରା ଯେମିତି ସମଗ୍ର ସହରକୁ ଗୋଟିଏ ସୂତାରେ ଗୁନ୍ଥି ଦିଏ ଏହି ପହିଲି ମଗୁଶିରର ସାତ/ଆଠ ଦିନ। ସାହି ସାହିରେ ବ୍ୟସ୍ତତା ସାଙ୍ଗକୁ ଘରେ ଘରେ ପ୍ରସ୍ତୁତି ଚାଲେ ବାଲିଯାତ୍ରାକୁ ନେଇ। ଯାତ୍ରାକୁ କିଏ କେତେବେଳେ ଯିବ, ଘର କିଏ ଜଗିବ। ପୁଣି ଜିନିଷ କ’ଣ ସବୁ ଆସିଲା ସେ ନେଇ ଘରେ ବସିଯାଏ ଛୋଟକାଟର ଏକ ଆସର। ଘର ଭିତରେ ଯେତେ ଦରବ ଖୁନ୍ଦି ହୋଇ ଥାଉ ପଛକେ, ବାଲିଯାତ୍ରାରୁ କିନ୍ତୁ ଯାହା କିଣା ହୋଇ ଆସେ, ତାହାର ଏକ ଅଲଗା ଆକର୍ଷଣ। ଅନ୍ୟପକ୍ଷରେ ବଜ୍ରକବାଟିଛକରୁ ପଶ୍ଚିମମୁହାଁ ଗଡିଲେ କିମ୍ବା ରାଣୀହାଟରୁ ମଙ୍ଗଳାବାଗ ଆଡକୁ ସିଧାରାସ୍ତା ଧରିଲା ବେଳକୁ ବାଲିଯାତ୍ରା ଭିଡ ସ୍ପଷ୍ଟ ବାରିହୁଏ। ଶନିବାରକୁ ସହରର ଦୃଶ୍ୟପଟ ଥିଲା କିଛିଟା ଏହିଭଳି। ଦିନବେଳା ବି ଭିଡ ଜମୁଛି ବାଲିଯାତ୍ରାରେ। ଯୁଆଡେ ଚାହିଁବ ଖାଲି ଦରବ ଆଉ ଦରବ। କାହାକୁ ନେବ ବା ନ ନେବ କିମ୍ବା ଥରେ ପରଖିବ, ଏହାରି ଭିତରେ ମନ ଉଚ୍ଚାଟ ହେଲା ବେଳକୁ କାନରେ ପଡୁଛି ସୁନ୍ଦର ବଂଶୀସ୍ୱନ। ନଦୀକୂଳିଆ ପବନରେ ମିଠା ମିଠା ସେ ସୁର ଭାସି ବୁଲୁଛି ପଡିଆ ଗୋଟାକ। ମୁହଁ ବୁଲାଇ ଚାହିଁଲେ ଆଖିରେ ପଡୁଛି ସେଇ ବଂଶୀବାଲା। ରାଇପୁରର ଏଇ ବେପାରୀ ଏଠି ମେଳାରେ ସୁର ବିକେ। କେବେଠୁଁ ସିଏ ମେଳାକୁ ଆସୁଛି ପଚାରିଲେ ମନେପକାଇ ସେ କହି ପାରେନାହିଁ। କେବଳ ଏତିକି ତା’ର ମନେ ଅଛି ଏହି ମେଳାରେ ସେ ବଂଶୀ ଗୋଟା ୩ଟଙ୍କାରେ ବିକୁଥିଲା, ଏବେ ୩୦ଟଙ୍କା ନେଉଛି। ଛୋଟ ବଂଶୀ ଅଛି ୧୦/୧୫ ଟଙ୍କାର। ଏ ବେପାର ବି ତା’ର କିଛି ମନ୍ଦ ହେଉନାହିଁ।

Leave A Reply