ଅନିଶ୍ଚିତତାରେ ୬ ୱାର୍ଡର ଭୂତଳ ପ୍ରକଳ୍ପ : ସର୍ଭେରେ ସୀମିତ କାମ

କଟକ : କଟକ ମହାନଗର ନିଗମ (ସିଏମ୍‌ସି)ର ୬ଟି ୱାର୍ଡରେ ସ୍ବରେଜ ଓ ଡ୍ରେନେଜ୍‌ର ଉନ୍ନତିକରଣ ପାଇଁ ଭୂତଳ ​‌​ସ୍ବେରେଜ ଓ ଡ୍ରେନେଜ ନିର୍ମାଣ କରାଯିବ। ଦୁଇବର୍ଷ ହେବ ଏକ ଘରୋଇ ସଂସ୍ଥା ମାଧ୍ୟମରେ ସର୍ଭେ କରାଯାଇଛି; ହେଲେ ସର୍ଭେରେ ନିର୍ମାଣ କାର୍ଯ୍ୟ ସୀମିତ ରହିଛି। ରାଜ୍ୟ ସରକାର କେବଳ ଉନ୍ନତିକରଣ ସ୍ବପ୍ନ ଦେଖାଇ ବସିଯାଇଥିବା ବେଳେ କାର୍ଯ୍ୟର ନାଁ ଗନ୍ଧ ନାହିଁ। ସହର ମଧ୍ୟରେ ଥିବା ୱାର୍ଡଗୁଡ଼ିକ ବିକାଶ ହେଉଥିବା ବେଳେ ଏହି ୬ଟି ୱାର୍ଡ ଅବହେଳିତ ହୋଇରହିଛି।

୨୦୧୩ରେ ସହରରେ ଜାଇକା ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ସର୍ଭେରେ ନିଗମ ଅନ୍ତର୍ଗତ ୬ଟି ୱାର୍ଡକୁ ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଏ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ସରକାର ୬ଟି ୱାର୍ଡ ଯଥା ୪୮, ୪୯, ୫୬, ୫୭, ୫୮ ଓ ୫୯ ୱାର୍ଡର ସ୍ବରେଜ ଓ ଡ୍ରେନେଜ୍‌ର ଉନ୍ନତିକରଣ ହେବ ବୋଲି ୨୦୧୮ରେ ଯୋଜନା ହୋଇଥିଲା। ଏଥିପାଇଁ ୧ ମାସ ମଧ୍ୟରେ ସର୍ଭେ କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସରକାରଙ୍କ ଅନୁମୋଦନ ପାଇଁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଓଡ଼ିଶା ଜଳଯୋଗାଣ ଓ ​‌ସ୍ବେରେଜ ବୋର୍ଡ (ଓଡବ୍ଲୁଏସଏସବି) ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପରେଖ ଦେଇଥାନ୍ତା। ତେବେ ସର୍ଭେ ଶେଷ ହୋଇଥିଲେ ବି ଏହି ପ୍ରକଳ୍ପ ଫାଇଲ ଭିତରେ ରହିଛି। ସହରକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଥିବାରୁ ଜୋନ୍‌-୧ ଏବଂ ଜୋନ୍‌-୪ରେ ଏହି ୱାର୍ଡଗୁଡ଼ିକୁ ସାମିଲ କରାଯାଇଛି। ୱାର୍ଡ ନମ୍ବର ୪୮ର ନିମପୁର, ଜଗତପୁର, ନଜରପୁର, ଶିକାରୀପୁର, ଲକ୍ଷ୍ମଣପୁର, ଫକିରପୁର ଓ ଭୁବନପୁର ସମେତ ୱାର୍ଡ ୪୯ର ଇମାମନଗର, ତରୋଳ, ଜଗତପୁର ଶିଳ୍ପାଞ୍ଚଳ, ପୋଡ଼ାବର, ନୂଆସାହି, ଷ୍ଟେସନ ବଜାର, ଜଗତପୁର ଗୋଲେଇଛକ, ନାନକାରରେ ଭୂତଳ ଡ୍ରେନ ବ୍ୟବସ୍ଥା ହେବାକୁ ଥିବା ବେଳେ ୫୬ ନମ୍ବର ୱାର୍ଡର ମୁକାମେଶ୍ବର, ବେହେରା ସାହି, କାଜିପାଟଣା, ଉତ୍ତମାପୁର, ସୁଭଦ୍ରାପୁର, ପାଇକସାହି, ଭାଣପୁର, ୫୭ ନମ୍ବର ୱାର୍ଡର ଗୋପାଳପୁର ବେହେରା ସାହି, ଜଗନ୍ନାଥ ବିହାର, ଶ୍ରୀକୋରୁଅଁା, ଖଣ୍ଡାୟତା, ଢ଼ିଅସାହି, ପାଇକସାହି ଏବଂ ୫୮ ଓ ୫୯ ୱାର୍ଡର ଭାଣପୁର, ହରିଜନ ସାହି, କେଉଟ ସାହି, ପ୍ରତାପନଗରୀ ସମେତ ଅରଖକୁଦ, କାଚରାମାଳ, ବମ୍ଫକୁଦ, ତେଲେଙ୍ଗାପେଣ୍ଠ ପ୍ରଭୃତି ସ୍ଥାନରେ ଭୂତଳ ନୂତନ ଡ୍ରେନ ବ୍ୟବସ୍ଥା ହେବାର ଯୋଜନା କରାଯାଇଥିଲା। ୨୦୩୦କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ ଏହି ୱାର୍ଡଗୁଡ଼ିକରେ ସର୍ଭେ କରାଯାଇ ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ପୁନର୍ବାର ବାଦ୍‌ ପଡ଼ିଥିବା ଅଞ୍ଚଳକୁ ସାମିଲ କରିବା ପାଇଁ ଓଡବ୍ଲୁଏସଏସବିପକ୍ଷରୁ ଯୋଜନା କରାଯାଇଥିଲା। ପ୍ରତାପନଗରୀରେ ଏକ ଜଳ ବିଶୋଧନାଗାର ଓ ଜଗତପୁରରେ ମଧ୍ୟ ଏକ ଜଳବିଶୋଧନାଗାର କରାଯିବ। ୫୭ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଲଳିତ ଶେଖର ନାୟକ କହନ୍ତି ସହରର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି, ତାହା ସ୍ବାଗତଯୋଗ୍ୟ; କିନ୍ତୁ ୬ ଅନୁନ୍ନତ ୱାର୍ଡ ଉନ୍ନତି ପାଇଁ ସରକାର ଆଦୌ ଯତ୍ନବାନ ନୁହନ୍ତି। ଏପରିକି ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ଥରୁଟିଏ ଅନୁନ୍ନତ ୱାର୍ଡ ପାଇଁ ବୈଠକ ଡାକି ଆଲୋଚନା କରିନାହାନ୍ତି। ପ୍ରକଳ୍ପ କେବେ ହେବ ତା’ର ଠିକଣା ନାହିଁ। ୪୮ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ନୀରୋଦଚନ୍ଦ୍ର ପଣ୍ଡା କହନ୍ତି କାଉନସିଲ ଥିବା ସମୟରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା; ଆଜିସୁଦ୍ଧା ଆଦୌ କାମ ଆରମ୍ଭ ହୋଇନାହିଁ। ୬ଟି ୱାର୍ଡକୁ ସର୍ବଦା ପ୍ରଶାସନ ଓ ସିଏମସି ପାତରଅନ୍ତର କରିଚାଲିଛନ୍ତି। ୫୮ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ବାଇଁ କହନ୍ତି ଆମ ୱାର୍ଡଗୁଡ଼ିକ ଅନ୍ୟ ୱାର୍ଡ ଅପେକ୍ଷା ବଡ଼। ସହର ୱାର୍ଡଗୁଡ଼ିକ ବିକଶିତ। ଆମ ୱାର୍ଡଗୁଡ଼ିକ ଆଦୌ ବିକଶିତ ନୁହେଁ। ସରକାର ଜାଣିଶୁଣି ୱାର୍ଡବାସୀଙ୍କୁ ଅବହେଳା କରୁଛନ୍ତି। ଯେଉଁ ୬ଟି ୱାର୍ଡ ପରେ ସାମିଲ ହୋଇଛି ସେଗୁଡ଼ିକ ଜାଇକା ସହିତ କୌଣସି ସମ୍ପର୍କ ନାହିଁ। ଓଡବ୍ଲୁଏସଏସବି ତାହାକୁ କରିବ ବୋଲି ଜାଇକା ପ୍ରକଳ୍ପ ଅଧିକାରୀ ବସନ୍ତ ପରିଡ଼ା କହିଛନ୍ତି।

Comments are closed.