ଚାଷୀଙ୍କ ନିକଟରୁ ଧାନ କ୍ରୟ ପାଇଁ କ’ଣ ବ୍ୟବସ୍ଥା ରହିଛି ଜଣାଅ: ହାଇକୋର୍ଟ

କଟକ : ଚାଷୀଙ୍କ ନିକଟରୁ ଧାନ କ୍ରୟ ନେଇ ସରକାରଙ୍କ କ’ଣ ନୀତି ରହିଛି ସେ ନେଇ ସ୍ପଷ୍ଟ କରିବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍.‌କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଚାଷୀମାନେ କିଭଳି ଭାବେ ସୁଚାରୁ ରୁପେ ସର୍ବନିମ୍ନ ନିର୍ଦ୍ଧାରିତ ମୂଲ୍ୟ‌େର ନିଜ ଧାନ ବିକ୍ରି କରି ପାର‌େବ ଓ ଏଥି ପାଇଁ କ’ଣ ପ୍ରକ୍ରିୟା ରହିଛି ସେ ନେଇ ଚାରି ସପ୍ତାହ ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଅବଗତ କରିବେ ବୋଲି ନିର୍ଦେଶ ଦିଆଯାଇଛି। ଅନେକ ସମୟରେ ଚାଷୀମାନେ ନିଜ ଉତ୍ପାଦିତ ଧାନର ଉପଯୁକ୍ତ ମୂଲ୍ୟ ପାଇ ପାରୁ ନାହାନ୍ତି। ଫଳରେ ଧାନର ଅଭାବୀ ବିକ୍ରି କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ସରକାର ନିର୍ଦ୍ଧାରଣ କରୁଥିବା ଧାନର ସର୍ବନିମ୍ନ ମୂଲ୍ୟ ଚାଷୀଙ୍କୁ ମିଳୁ ନାହିଁ। ଏଥି ସହିତ ଧନ ବିକ୍ରୟ କରିବା ସମୟରେ ଅନେକ ସମୟରେ ଚାଷୀ ହଇରାଣ ହେଉଛନ୍ତି। ମଣ୍ଡିକୁ ଧାନ ନେବା ପରେ ଚାଷୀ ବିକ୍ରି ପାଇଁ ଅପେକ୍ଷା କରି ରହୁଥିବା ବେଳେ ଏଥିରେ ବିଳମ୍ବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଏପରି ପରିସ୍ଥିିତିରେ ଧାନ କ୍ରୟ ପ୍ରସଂଗରେ ସରକାର ଠୋସ୍ ପଦକ୍ଷେପ ନେବା ଆବଶ୍ୟକ। ନଚେତ ଚାଷୀ ନିଜ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେବ ବୋଲି ଦାୟର ଆବେଦନରେ ଦର୍ଶାଯାଇଥିଲା।

Comments are closed.