‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ : କାର୍ତ୍ତିକ ରଥଙ୍କୁ ମରଣୋତ୍ତର ‘ଜୀବନବ୍ୟାପୀ ସାଧନା ସମ୍ମାନ’

କଟକ : ‘ସମାଜ’ର ଏକଶହ ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଆସନ୍ତା ୨୧ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ‘ସମାଜ ଶତବାର୍ଷିକ ସାଂସ୍କୃତିକ ସମାରୋହ’ ଆୟୋଜିତ ହେବ। ଏହି ଅବସରରେ କଳା, ସଂସ୍କୃତି, ନାଟକର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ କାର୍ତ୍ତିକ ରଥଙ୍କୁ ମରଣୋତ୍ତର ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ। ସ୍ୱର୍ଗତ ରଥଙ୍କ ପରିବାର ଏହି ସମ୍ମାନ ଗ୍ରହଣ କରିବେ। ଆସନ୍ତା ୨୩ତାରିଖରେ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେବାକୁ ଥିବା ସମାରୋହର ଉଦଯାପନୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ରବିବାର ଅପରାହ୍ଣରେ ଗୋପବନ୍ଧୁ ଭବନରେ ଲୋକସେବକ ମଣ୍ଡଳର ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ‘ସମାଜ’ର ଏକଶହ ବର୍ଷ ପୂର୍ତ୍ତି ପାଳନ ଅବସରରେ ଲୋକସଂସ୍କୃତି ଓ ଲୋକସଙ୍ଗୀତକୁ ପ୍ରୋତ୍ସାହନ ଓ ଲୋକାଭିମୁଖୀ କରିବା ପାଇଁ ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଏଭଳି ଅନନ୍ୟ ପ୍ରୟାସ କରାଯାଇଛି।

Comments
Loading...