ବାରବାଟୀର ପ୍ରଦର୍ଶନ ମୋତେ ଟେଷ୍ଟ ଦଳରେ ସ୍ଥାନ ଦେଇଥିଲା: ଶେଖର

କଟକ : ୧୯୮୩ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ବୋଲିଂ ପ୍ରଦର୍ଶନ ବଳରେ ତାଙ୍କୁ ପାକିସ୍ତାନ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ଏହା କହିଛନ୍ତି ପୂର୍ବତନ ଟେଷ୍ଟ ଫାଷ୍ଟବୋଲର ତଥା ଏମ୍‌ଆର୍‌ଏଫ୍ ପେସ୍ ଫାଉଣ୍ଡେସନ୍‌ର ପୂର୍ବତନ ବୋଲିଂ ପ୍ରଶିକ୍ଷକ ଟି.ଏ. ଶେଖର। କଟକର ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍ ଦ୍ବାରା ଆୟୋଜିତ ପିଭିଆର୍ ମୂର୍ତ୍ତି ସ୍ମାରକୀ ଆନ୍ତଃସ୍କୁଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଶେଖର ସ୍ମୃତିଚାରଣ କରି ଏପରି କଥା କହିଛନ୍ତି। ତାଙ୍କ ଅନୁସାରେ, ୧୯୮୩ରେ ପାକିସ୍ତାନ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ମୋତେ ସ୍ଥାନ ମିଳିନଥିଲା। ଏହି ଗସ୍ତ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଆମେ ପଶ୍ଚିମାଞ୍ଚଳ ବିପକ୍ଷରେ ଦେଓଧର ଟ୍ରଫି ଖେଳିଥିଲୁ। ପଶ୍ଚିମାଞ୍ଚଳର ସୁନୀଲ ଗାଭାସ୍କର, ଦିଲୀପ ଭେଙ୍କସରକାର, ରବି ଶାସ୍ତ୍ରୀ ପ୍ରଭୃତିଙ୍କୁ ବୋଲି˚ କରିଥିଲି। ବହୁତ କମ୍‌ ବ୍ୟବଧାନରେ ଆମେ ପରାଜିତ ହୋଇଥିଲୁ। ମୋ ବଲ୍‌ ଭେଙ୍କସରକାରଙ୍କ ମୁଣ୍ତରେ ବାଜିଥିଲା। ପରେ କପିଳ ଦେବ ମୋ ବୋଲିଂକୁ ପ୍ରଶଂସା କରିଥିଲେ। ମଦନଲାଲ ଆହତ ହେବାରୁ ତାଙ୍କ ବଦଳ ଖେଳାଳି ଭାବେ ମୋତେ ପାକିସ୍ତାନ ଗସ୍ତରେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା।

ଏମ୍‌ଆର‌୍‌ଏଫ୍‌ ଫାଉଣ୍ଡେସନ୍‌ରେ ତାଙ୍କ ଅନୁଭୂତି ସମ୍ପର୍କରେ ଶେଖର କହିଥିଲେ, ଏହି ଫାଉଣ୍ଡେସନ୍‌ ପାଇଁ ଦକ୍ଷ ଯୁବ ବୋଲରଙ୍କୁ ମନୋନୟନ କରା ଯାଇଥାଏ। ନିର୍ଦେଶକ ଡେନିସ୍‌ ଲିଲି ମୋ ସହ ଆଲୋଚନା କରି ଖେଳାଳିଙ୍କୁ ବାଛୁଥିଲେ। ମନୋନୀତ ବୋଲରଙ୍କୁ ଫାଉଣ୍ଡେସନ୍‌ରେ ପ୍ରାୟ ୫ ମାସ ରହିବାକୁ ପଡ଼େ। ତାଙ୍କ ବୋଲି˚ରେ କିଛି ସମସ୍ୟା ଥିଲେ; ତା’କୁ ସୁଧାରିବାର ପ୍ରୟାସ କରିଥାଏ। ଏପରିକି ବୋଲର ମୋ ପାଖକୁ ଭିଡିଓ ପଠାଇଲେ ମଧ୍ୟ ମୁଁ ସେମାନଙ୍କୁ ମାର୍ଗଦର୍ଶନ ଦେଇଥାଏ। କିନ୍ତୁ ଆଇପିଏଲ୍‌ ଢାଞ୍ଚା ଅଲଗା। ଟି.ଏ. ଶେଖର ପ୍ରଥ​‌େ​‌ମ ଆଇପିଏଲ୍‌ ଦଳ ଦିଲ୍ଲୀ ଡେୟାରଡେଭିଲ୍‌ସ ଓ ପରେ ମୁମ୍ବଇ ଇଣ୍ଡିଆନ୍‌ସରେ କାମ କରିଛନ୍ତି। ଏହା ବିଷୟରେ ସେ କହନ୍ତି, ଗୋଟିଏ ନିର୍ଦିଷ୍ଟ ସ୍ତରରେ ପହଞ୍ଚିବା ପରେ ଖେଳାଳି ଆଇପିଏଲ୍‌ ଖେଳିଥାଆନ୍ତି। ଆନ୍ତର୍ଜାତିକ ତାରକା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିଥାଆନ୍ତି। ତଥାପି ଏବେ ଘରୋଇ ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯାଉଛି। ଗୋଟିଏ ଦଳରେ ୨୫ ଖେଳାଳି ରହୁଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୧୮ ଜଣ ବହୁତ ଭଲ ଖେଳାଳି ଅଛନ୍ତି। ତେବେ ଅନ୍ୟ ଯୁବ ଖେଳାଳିଙ୍କୁ ପରବର୍ତ୍ତୀ ଦୁଇ, ତିନି ବର୍ଷ ପାଇଁ ପ୍ରସ୍ତୁତ କରା ଯାଇଥାଏ। ଆସନ୍ତା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ ପ୍ରସଙ୍ଗରେ ଶେଖର କହିଥିଲେ ​ଯେ ଏହି ଦଳରେ ଥିବା ଯଶସ୍ବୀ ଜୟସୱାଲ ଓ ପ୍ରିୟମ୍ ଗର୍ଗ ବହୁତ ପ୍ରତିଭାବାନ। ସେ ଆହୁରି କହିଥିଲେ, ରାହୁଲ ଦ୍ରାବିଡ଼ ଏନ୍‌ସିଏର ନିର୍ଦେଶକ ହେବା ପରେ ପିଲାମାନେ ସଠିକ୍ ଦିଗ୍‌ଦର୍ଶନ ପାଉଛନ୍ତି। ତୃଣମୂଳ ସ୍ତରୀୟ କ୍ରିକେଟ୍‌ର ବିକାଶରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ଅଛି। ଆଇପିଏଲ୍‌ ମଧ୍ୟ କିଛି ନୂଆ ଖେଳାଳିଙ୍କୁ ବାହାର କରିପାରୁଛି। ତେଣୁ ଭାରତର ଭବିଷ୍ୟତ ଉଜ୍ବଳ ରହିଛି।

ଓଡ଼ିଶାରୁ ଭଲ କ୍ରିକେଟ ନ ବାହାରିବା ସମ୍ପର୍କରେ ଶେଖର କହିଥିଲେ, ସ୍ଥାନୀୟ କ୍ରିକେଟ ମୂଳଦୁଆ ଦୃଢ଼ ଥିଲେ ଏବ˚ କ୍ଲବ୍‌, ସ୍କୁଲ୍‌ସ୍ତରରେ ପ୍ରତିଦ୍ବନ୍ଦ୍ବିତାମୂଳକ ଖେଳ ହେଉଥିଲେ ଖେଳାଳି ବାହାରି ପାରିବେ। ତଥାପି ଓଡ଼ିଶା ବିଷୟରେ କିଛି ଜାଣିନଥିବାରୁ କିଛି କହିବା ଠିକ୍‌ ହେବନି। ସଚିନ ତେନ୍ଦୁଲକର ଏକଦା ପେସ୍ ବୋଲର ହେବା ପାଇଁ ଏମ୍‌ଆର‌୍‌ଏଫ୍‌ ପେସ୍ ଫାଉଣ୍ଡେସନ୍ ଆସିଥିଲେ। ଏହା ବିଷୟରେ ଶେଖର କହିଥିଲେ, ଟ୍ରାଏଲ୍‌ସ ପାଇଁ ବିଭିନ୍ନ ରାଜ୍ୟଙ୍କୁ ଯୁବ ପେସ୍ ବୋଲରଙ୍କୁ ପଠାଇବାକୁ କୁହା ଯାଇଥିବା ବେଳେ ମୁମ୍ବଇରୁ ସଚିନ୍ ଆସିଥିଲେ। କମ୍‌ ଉଚ୍ଚତାର ହୋଇଥିବାରୁ ଡେନିସ୍‌ ଲିଲି ତାଙ୍କୁ ବୋଲର ଭାବେ ନେବାକୁ ରାଜି ହୋଇନଥିଲେ। ତାଙ୍କୁ ବ୍ୟାଟି˚ରେ ଅଧିକ ଧ୍ୟାନ ଦେବା ପାଇଁ ଲିଲି ପରାମର୍ଶ ଦେଇଥିଲେ। ପରେ ସଚିନ୍ ମହାନ୍‌ ବ୍ୟାଟ୍‌ସମ୍ୟାନ୍ ହୋଇଥିଲେ। ତାଙ୍କୁ ପେସ୍ ଫାଉଣ୍ଡେସନ୍‌ରୁ ଆମେ ନାକଚ କରିଥିବାରୁ ସଚିନ ବିଶ୍ବବନ୍ଦିତ ବ୍ୟାଟ୍‌ସମ୍ୟାନ୍ ହୋଇପାରିଲେ ବୋଲି ଲିଲି ମୋତେ ମଜାରେ କହିଥାଆନ୍ତି। ଶେଷରେ ଏପରି ସ୍କୁଲ୍‌ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍‌ର ପ୍ରୟାସକୁ ​‌େ​‌ଶଖର ପ୍ରଶଂସା କରିଥିଲେ।

Comments are closed.