ଚଳିତ ବର୍ଷ କମିବ ଆମ୍ବ ଅମଳ

ବିକ୍ରି ପାଇଁ ପଞ୍ଜୀକରଣ କଲେଣି ୧୫୦୦ ଚାଷୀ: ମନ୍ତ୍ରୀ

ଭୁବନେଶ୍ବର: ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୬୦ରୁ ୭୦ପ୍ରତିଶତ ଆମ୍ବ ଅମଳ(ଉତ୍ପାଦନ) କମ୍‌ ରହିବ। ଜାନୁଆରୀ ଏବଂ ଫେବୃଆରୀରେ ବର୍ଷା କୁଆପଥର ମାଡ଼ ଯୋଗୁଁ ଗଛରୁ ବଉଳ ଝଡି ପଡିଛି। ବର୍ଷା ମାଡ଼ରୁ ଯେତିକି ବଉଳ ବଞ୍ଚିଗଲା ପରବର୍ତ୍ତୀ ସମୟରେ କୁହୁଡି ଏବଂ ଜଉ ନଷ୍ଟ କରି ଦେଇଛି। ଫଳରେ ଏ ବର୍ଷ ଗଛରେ ଆମ୍ବ ଭଲ ଆସିଲା ନାହିଁ। ଅପରପକ୍ଷରେ ଯେତିକି ଆମ୍ବ ଆସିଛି ତାକୁ ବିକ୍ରି କରିବା ପାଇଁ ବଜାର ସ୍ବାଭାବିକ ହୋଇନାହିଁ। ଗତ କିଛି ଦିନତଳେ ବ୍ରହ୍ମପୁର ଆମ୍ବ ବଜାର ଖୋଲିଥିଲା। ହେଲେ ଜିଲାରେ କରୋନା ସ୍ଥିତିକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆମ୍ବ ବଜାରକୁ ବନ୍ଦ କରି ଦିଆଯାଇଛି। ଆଖାପାଖ ଜିଲାର ଚାଷୀ ଆମ୍ବ ଆଣି ବିକ୍ରୟ କରି ପାରୁନାହାନ୍ତି। ବ୍ୟବସାୟୀ ମଧ୍ୟ ଚାଷୀଙ୍କ ପାଖରୁ ଆମ୍ବ କିଣିବା ବନ୍ଦ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସି ଥିବାବେଳେ ସରକାର ଚାଷୀଙ୍କ ପାଖରୁ ଆମ୍ବ ସଂଗ୍ରହ କରିବା ନିମନ୍ତେ ୱେବସାଇଟ୍‌ ଖୋଲିଛନ୍ତି। ବିକ୍ରୟ କରିପାରୁ ନଥିବା ଚାଷୀ ପଞ୍ଜୀକରଣ କରିବାକୁ କୃଷି ଓ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇ ଥିବା ଜଣାପଡିଛି।

ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲାରେ ମେ ଦ୍ବିତୀୟ ସପ୍ତାହରୁ ଆମ୍ବ ତୋଳିବା ଆରମ୍ଭ ହୋଇଛି। ଜୁନ୍ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଆମ୍ବ ଅମଳ ଜାରି ରହିବ। ତେବେ ଲକ୍‌ଡାଉନ୍ ଯୋଗୁଁ ଚାଷୀ ନିଜ ଉଦ୍ୟମରେ ଆମ୍ବ ଆଣି ଭୁବନେଶ୍ବର, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ବଜାରରେ ପହଞ୍ଚାଇ ପାରୁନାହାନ୍ତି। ସେପଟେ ବ୍ରହ୍ମପୁର ଆମ୍ବ ବଜାର ବନ୍ଦ ହୋଇଯିବାରୁ ରାୟଗଡା, ଗଜପତି, କୋରାପୁଟ, କନ୍ଧମାଳ ଏବଂ ଗଞ୍ଜାମ ଜିଲା ଚାଷୀଙ୍କ ପାଖରୁ ବେପାରୀ ଆମ୍ବ କିଣିବା ବନ୍ଦ କରି ଦେଇଛନ୍ତି। ଏହାଦ୍ବାରା ଚାଷୀ କ୍ଷତି ସହୁଥିବା ଜଣାପଡିଛି। ସେହିଭଳି ଢେଙ୍କାନାଳ, ଅନୁଗୋଳ, କଟକ, କେନ୍ଦ୍ୁଝର, ମୟୂରଭଞ୍ଜ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲାରେ ଜୁନ୍ ମଧ୍ୟଭାଗରୁ ଆମ୍ବ ଅମଳ ହୁଏ। ଏସବୁ ଜିଲାର ଚାଷୀଙ୍କ ଆମ୍ବ ରପ୍ତାନି କରିବା ପାଇଁ ସରକାର ଢେଙ୍କାନାଳ ଜିଲାରେ ଆମ୍ବ ହବ୍ ନିର୍ମାଣ କରିଥିଲେ। କିଛି ବର୍ଷଧରି ହବ୍ କାର୍ଯ୍ୟକ୍ଷମ ହେବାରୁ ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଆମ୍ବ ରପ୍ତାନି କରାଯାଉ ଥିଲା। କିନ୍ତୁ ୪ବର୍ଷ ହେଲା ହବ୍ ବନ୍ଦ ହୋଇଯିବାରୁ ଏଠାରୁ ବାହାର ରାଜ୍ୟକୁ ଆମ୍ବ ରପ୍ତାନି ହୋଇପାରୁନାହିଁ। ଚାଷୀ ନିଜ ଉଦ୍ୟମରେ ବାହାର ରାଜ୍ୟକୁ ଆମ୍ବ ରପ୍ତାନି କରି ଆସୁଛନ୍ତି। ହେଲେ ଏ ବର୍ଷ କରୋନା ମହାମାରୀ ବ୍ୟାପିବା ଏବଂ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ ବୃଦ୍ଧି ହେଉଛି। ତେଣୁ ଚାଷୀ ନିଜ ଉଦ୍ୟମରେ ଆମ୍ବ ରପ୍ତାନି କରିବା ଆଶ କ୍ଷୀଣ ରହିଛି। ଓଡ଼ିଶାର ଅମରପାଲି ଏବଂ ଦଶହରୀ ଆମ୍ବ ବିହାର, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ବଜାରରେ ଚାହିଦା ରହୁଛି। ଏହି ଆମ୍ବ ପ୍ରଥମେ ଅମଳ କରାଯାଉ ଥିବାରୁ ଓଡ଼ିଶା ଜୁନ୍ ଏବଂ ଜୁଲାଇ ଦୁଇ ମାସ ଏସବୁ ରାଜ୍ୟର ବଜାରକୁ ରପ୍ତାନି କରିଛି।

ବୌଦ୍ଧ ଜିଲା ପୁରୁଣାକଟକ ଅଞ୍ଚଳ ଚାଷୀ ସଂଗ୍ରାମ ପ୍ରଧାନ କହିଛନ୍ତି, କିଛି ଚାଷୀ ଆମ୍ବକୁ ନେଇ ରିଲିଆନ୍ସ ଫ୍ରେସ୍‌ ଏବଂ ବଡ ବ୍ୟବସାୟୀଙ୍କୁ ଦିଅନ୍ତି। ଯେଉଁ ଚାଷୀଙ୍କ ୧୫ରୁ ୨୦ ଗଛ ଅଛି ସେମାନେ ଆମ୍ବ ତୋଳି ସକାଳୁ ସ୍ଥାନୀୟ ବଜାରରେ ବିକ୍ରୟ କରି ଦେଉଛନ୍ତି। କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ବଡ ଚାଷୀ ଚାଷୀ ନିଶ୍ଚିତ ଭାବେ ପ୍ରଭାବିତ ହେବେ। କୃଷି ଓ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି, ଆମ୍ବ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ସରକାର ସଂଗ୍ରହ କରି ବିକ୍ରି କରିବା ପାଇଁ ୱେବସାଇଟ୍‌ (www.odihortmarketing.nic.in) ଖୋଲାଯାଇଛି। ଯେଉଁ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ବଳକା ରହିବ ସେମାନେ ପଞ୍ଜୀକରଣ କଲେ ସରକାର ତାଙ୍କ ପାଖରୁ ଆମ୍ବ ସଂଗ୍ରହ କରିବେ। ତେବେ ଏ ପର୍ଯ୍ୟନ୍ତ ୧୫୦୦ ଚାଷୀ ପଞ୍ଜୀକରଣ କରି ସାରିଲେଣି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରାଜ୍ୟରେ ଆମ୍ବ ଉତ୍ପାଦନ କମ୍‌ ରହିବ ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ଓଡ଼ିଶା ବର୍ଷକୁ ୮୦ରୁ ୧୦୦ ମେଟ୍ରିକ୍ ଟନ୍‌ ଆମ୍ବ ଅମଳ କରୁଛି। ସୁନ୍ଦରୀ, ଗୁରୁଡି, ଅମରପାଲି, ମଲିକା, ଚନ୍ଦ୍ରମା, ନାକେଇ, ଲୋରି, ମିଠା, ବାଇଗଣପଲେଇ, ବଡମୋହନ ଏବଂ କାଳିଆ ଆମ୍ବ ଅମଳ କରାଯାଉଛି। ୨ ଲକ୍ଷ ହେକ୍ଟର ଜମିରୁ ଆମ୍ବ ଅମଳ କରାଯାଉଛି। କିନ୍ତୁ ପ୍ରତିବର୍ଷ ୧୦ ହଜାର ହେକ୍ଟର ଜମିରେ ନୂଆକରି ଆମ୍ବ ଚାଷ ପାଇଁ ଚାରାରୋପଣ କରାଯାଉଥିବା ଜଣାପଡିଛି।

Comments are closed.