ଆଜି ରାତି ୧୦ଟା ଯାଏ କର୍ଫ୍ୟୁ କୋହଳ

କଟକଣାରେ ରଜ ବଜାର କାରବାର, ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରଜପର୍ବର ଭିଡ଼କୁ ଦୃ​‌ଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ସମୟକୁ ପରିବର୍ତ୍ତନ କରାଯାଇଛି। ଆସନ୍ତାକାଲି ୭ଘଟିକା ପରିବର୍ତ୍ତେ ରାତ୍ରି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ ରହିବ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଗୁରୁବାର ଏସଆରସି ପ୍ରଦୀପ ଜେନା ଏକ ନିର୍ଦେଶନାମା ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପକ୍ଷରୁ ଜୁନ୍ ପହିଲାରେ ଜାରି କରାଯାଇଥିବା ସବୁ ନିୟମ ଯେମିତି ରହିଛି ତାହା ଚାଲୁ ରହିବ; ମାତ୍ର ଆସନ୍ତାକାଲି କଟକଣା ସମୟ ୩ଘଣ୍ଟା ପର୍ଯ୍ୟନ୍ତ ବଢ଼ିବ। ଶନିବାର ଓ ରବିବାର ୧୧ଟି ଉପକୂଳ ଜିଲାରେ ସଟ୍ ଡାଉନ ଲାଗୁ ହେଉଥିବାରୁ ରଜପର୍ବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
ରଜ ଖାସ୍‌ ଓଡ଼ିଆଙ୍କ ପର୍ବ। ଉପକୂଳ ଜିଲା ସମେତ ସାରା ରାଜ୍ୟରେ ରଜ ମଉଜ ପାଇଁ ସମସ୍ତେ ପ୍ରସ୍ତୁତ। ତେବେ କରୋନା ଭୂତାଣୁ ସଂକ୍ରମଣ ରଜ ପାଇଁ ଆଣିଛି ନୂଆ ସଂକଟ। ରାଜ୍ୟର ୧୧ଟି ଜିଲାରେ ଶନିବାର ଓ
ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ଦିନକ ପାଇଁ ସାନ୍ଧ୍ୟକାଳୀନ କର୍ଫ୍ୟୁ କଟକଣାକୁ ସନ୍ଧ୍ୟା ୭ଟା ପରିବ​ର୍ତ୍ତେ ରାତି ୧୦ଟା ପର୍ଯ୍ୟନ୍ତ ସରକାର କୋହଳ କରିଛନ୍ତି। ରଜ ବଜାରରେ ଭିଡ଼ ଜମିବା ଆଶଙ୍କା କରି କିଭଳି ସାମାଜିକ ଦୂରତା ରକ୍ଷା ସହିତ କରୋନା କଟକଣା ନିୟମ ପାଳି ଲୋକେ ଜିନିଷପତ୍ର କିଣିପାରିବେ ସେଥିପାଇଁ ଏଭଳି କର୍ଫ୍ୟୁ ଅବଧିକୁ ଅଧିକ ୩ ଘଣ୍ଟା ମାତ୍ର ଗୋଟିଏ ଦିନ(୧୨ ତାରିଖ) ଲାଗି ବଢାଇ ଦିଆଯାଇଛି। ଅନ୍ୟପକ୍ଷରେ କରୋନା ସଂକଟ ଓ କଟକଣା ସମୟରେ ରାଜ୍ୟରେ କିଭଳି ଓଡ଼ିଆଙ୍କ ଗଣପର୍ବ ରଜ କିଭଳି ପାଳନ କରାଯିବ ସେଥିନେଇ ରାଜ୍ୟ ସରକାରଙ୍କ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସୂଚନାନୁଯାୟୀ, ଗୋଟିଏ ରଜ ପାଇଁ ଜୀବନକୁ ବିପନ୍ନ ନ କରିବାକୁ କହିଛନ୍ତି। ଏହି ଅବସରରେ ରଜ କିଣାବିକା ନେଇ ଗାଇଡ୍‌ଲାଇନ୍‌ ସମ୍ପର୍କରେ ସେ କହିଛନ୍ତି ଯେ. ଦୋକାନୀ ମାସ୍କ ପିନ୍ଧିବେ ଓ ମାସ୍କ ଖୋଲି କଥା ହେବେନାହିଁ। ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡ଼ିବେନି ଏବଂ ହାତ ସାନିଟାଇଜ୍‌ କରିବେ। ନଗଦ କାରବାର ହ୍ରାସ କରି ଡିଜିଟାଲ୍‌ ପେମେଣ୍ଟ ଗ୍ରହଣ କରିବେ। ଲୁଗା ଦୋକାନୀମାନେ ହାତରେ ଗ୍ଲୋଭସ୍‌ ପିନ୍ଧି ଲୁଗା ଦେଖାଇବେ। ଗ୍ରାହକମାନେ ଦୋକାନ ବାହାରେ ୬ଫୁଟ୍‌ ଦୂରତ୍ବ ରଖି ଛିଡ଼ା ହୁଅନ୍ତୁ। ଭିଡ଼ ଦୋକାନକୁ ଯାଆନ୍ତୁନି। ଜିନିଷ ଆଣି ଘରେ କିଛି ସମୟ ଅଲଗା ରଖନ୍ତୁ। ପରିବାରର ସବୁ ଲୋକ ଜିନିଷ ପାଇଁ ଯାଆନ୍ତୁନି, ଜଣେ ହିଁ ଯାଆନ୍ତୁ। ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ ସବୁ ପୌରପ୍ରଶାସନ, ପୁଲିସ ପ୍ରଶାସନକୁ ଏନେଇ ସଜାଗ କରାଯାଇଛି। ସେମାନେ ଏଣିକି ଫଟୋ ଓ ଭିଡ଼ିଓ ଉଠାଇ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଜୋରିମାନା କରିବେ।
ରଜରେ ବାହାରକୁ ଯାଇ ତାସ୍‌ ଖେଳନ୍ତୁନି, ପରିବାର ସହ ଘରେ ରୁହନ୍ତୁ ବୋଲି ରଜ ବଜାର ଓ ରଜ ପାଳନ ନେଇ ପ୍ରସ୍ତୁତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ସୁବ୍ରତ ବାଗ୍‌ଚୀ କହିଛନ୍ତି। ଏଥର ନିଜ ଘରେ କିମ୍ବା ପାର୍କରେ ରଜ ଦୋଳି ଖେଳି ନ ପାରିଲେ ମଧ୍ୟ ସମସ୍ତ ଓଡ଼ିଆଙ୍କ ଘରେ ପୋଡ଼ ପିଠା ତିଆରି କରନ୍ତୁ। ପାରମ୍ପରିକ ରୀତିନୀତିରେ ପିଠାପଣା ଓ ଭୋଜିଭାତ କରି ଖିଆପିଆ କରନ୍ତୁ। ଘରେ ରହି ତାସ ଖେଳନ୍ତୁ ଓ ରଜ ପାନ ଖିଲଟିଏ ଖାଇ ପାଟି ଏବଂ ଓଠକୁ ଲାଲ୍‍ କରନ୍ତୁ, କିନ୍ତୁ ଘରୁ ବାହାରକୁ ଯାଇ ବୁଲାବୁଲି କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Comments are closed.