ମୁରିବାହାଲ ପଞ୍ଚାୟତରେ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି

ମୁରିବାହାଲ : ମୁରିବାହାଲ ଅଞ୍ଚଳରେ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ୪୮ଘଣ୍ଟା କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରପଞ୍ଚ ଆଉ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି କରିଛନ୍ତି। ଗତକାଲି ସନ୍ଧ୍ୟାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ବିଭିନ୍ନ ସ୍ଥାନରୁ ଫେରୁଥିବାରୁ ଭିଡ଼ ଜମିବାର ସମ୍ଭାବନା ରହିଥିବାରୁ ଏବଂ ମଙ୍ଗଳବାର ମୁରିବାହାଲ ସାପ୍ତାହିକ ବଜାର ବସୁଥିବାରୁ ସରପଞ୍ଚ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଯେତେ ପ୍ରବାସୀ ଶ୍ରମିକ ଆସିଥିଲେ ସେମାନଙ୍କୁ ସ୍ଥାନୀୟ ତହସିଲଦାର ନାରାୟଣ ସାହୁ ଓ ଥାନା ଆଇଆଇସି ତାରା ଜସ୍ମିନ ଗୁରିଆ, ସରପଞ୍ଚଙ୍କୁ ଆଣିବାର ବ୍ୟବସ୍ଥା କରିଥିଲେ। ଗତ ରାତିରେ କୋଭିଡ଼୧୯ ନୋଡ଼ାଲ ସେଣ୍ଟରରେ ଜଣେ ମଧ୍ୟ ଅଧିକାରୀ ନଥିବା ଅଭିଯୋଗ ହୋଇଛି। ତେଣୁ ଆସିଥିବା ପ୍ରବାସୀ ଶ୍ରମିକ ରାତି ତମାମ ହାଇସ୍କୁଲ ପଡ଼ିଆରେ ଶୋଇଥିବା ଦେଖିବାକୁ ମିଳିଥିଲା। ସକାଳୁ ଏବିଡ଼ିଓ ନରେଶଚନ୍ଦ୍ର ବେହେରା, ସରପଞ୍ଚ ଆସି ସମସ୍ତଙ୍କୁ ନିଜ ନିଜ ପଞ୍ଚାୟତ ସେଣ୍ଟରକୁ ପଠାଇବାର ବ୍ୟବସ୍ଥା କରିଥିଲେ।

Comments are closed.