ଚାକିରି ତୁଚ୍ଛ; ଚାଷ ମୁଖ୍ୟ

0

ହିଞ୍ଜିଳିକାଟୁ (ପ୍ରିୟଦର୍ଶୀ ପଟ୍ଟନାୟକ) : ଚାଷ କାମ ଯାହାର କେଡ଼େ ସୁଖ ତହାର ପଙକ୍ତିର ସାର୍ଥକତା ରହିଛି। ଯାହାର ନିଚ୍ଛକ ପ୍ରମାଣ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ଯୁବଚାଷୀ ଜୟସିଂ ବରଡ। ବୈଷୟିକ ଶିକ୍ଷା ସମାପ୍ତି ପରେ ବି ଚାକିରି ପଛରେ ନଗୋଡାଇ ବାପା ଜେଜେବାପା ଅମଳର ପାରମ୍ପରିକ ବେଉଷା ଚାଷକୁ ଆଦରି ନେବାକୁ ଶ୍ରେୟ ମଣିଛନ୍ତି ସେ। ସେଥିପାଇଁ ସେ ରାଉରକେଲାରେ ଆଇଟିଆଇ ଅନୁଷ୍ଠାନରୁ ତାଲିମ ଗ୍ରହଣ କରି ଚାକିରି ପାଇ ମାତ୍ର ଚାରିମାସ ପରେ ପ୍ରତ୍ୟାଖ୍ୟାନ କରି ଛୁଟି ଆସିଥିଲେ ନିଜ ପୈତୃକ ଗ୍ରାମକୁ। ୧୯୮୮ ମସିହାରୁ ସେ ଚାଷ ସହ ନିଜକୁ ଏଭଳି ଜଡାଇ ରଖିଛନ୍ତି ଯେ, ସମସ୍ତ ଘାତ ପ୍ରତିଘାତ ସତ୍ତ୍ବେ ଏହି କାମରୁ ସେ ବିରତି ନହେବାକୁ ପଣ କରିଛ୍‍ନ୍ତି। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ ଏବଂ ୨୦୧୮ ତିତଲି ବାତ୍ୟାରେ ସେ ପ୍ରଭୃତ କ୍ଷତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେଥିରେ ଭାଙ୍ଗିନପଡି ପୁନର୍ବାର ଅଣ୍ଟା ସଳଖି ଚାଷକାମ ବଜାୟ ରଖିଛନ୍ତି, ଯାହାକି ଚାଷ ପ୍ରତି ବିମୁଖ ବର୍ତ୍ତମାନର ପୀଢି ପାଇଁ ସେ ଉଦାହରଣ ପାଲଟିଛନ୍ତି। ରାଳବ ଗ୍ରାମର ସ୍ୱର୍ଗତ କୃଷ୍ଣ ବରଡଙ୍କ ଏକମାତ୍ର ପୁତ୍ର ଜୟସିଂ ହିଞ୍ଜିଳି ଏନ୍‍ଏସି ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ରାଉରକେଲାରେ ଆଇଟିଆଇ ତାଲିମ ଗ୍ରହଣ କରିଥିଲେ।
ସେଠାରୁ ସେ ଗୋପାଳପୁର ବନ୍ଦରରେ ୪ମାସ କାମ କରିଥିଲେ। କିନ୍ତୁ କାହାର ଅଧସ୍ତନ ହେବା ଅପେକ୍ଷା ସ୍ୱାଧୀନ ଭାବେ କାମ କରି ଚଳିବା ଶ୍ରେୟସ୍କର ମଣି ସେ ଫେରି ଆସିଥିଲେ ନିଜ ଗ୍ରାମକୁ। ବାପାଙ୍କ ୫ ଏକର ଧାନଚାଷ ଜମିକୁ ସେ ପ୍ରଥମେ ସମତୁଲ କରି ଆରମ୍ଭ କରିଥିଲେ ପାନ, ନଡିଆ, ଗୁଆ, କଦଳୀ ଓ ଅମୃତଭଣ୍ଡା ଚାଷ। କିଛି ଗ୍ରାମ୍ୟ ଶ୍ରମିକଙ୍କୁ ସାଥିରେ ନେଇ ନିଜେ ଅକ୍ଲାନ୍ତ ପରିଶ୍ରମ କରି ଜମିରେ ଖୋଳିଥିଲେ ୩ଟି ବିରାଟକାୟ ପୋଖରୀ। ୧୯୯୯ ମହାବାତ୍ୟାରେ ଚାଷ ଉଜୁଡି ଯାଇଥିଲା। ଏହା ପରେ ସେ ଚାଷର ତରିକା ବଦଳାଇ ଆରମ୍ଭ କରିଥିଲେ ଛତୁ ଓ ଫୁଲ ଚାଷ। ଥରେ କ୍ଷତି ସହିଲେ ଚାଷୀ ୧୦ ବର୍ଷ ପଛକୁ ଠେଲି ହୋଇଯାଇଥାଏ ବୋଲି ଜୟସିଂ ସୂଚନା ଦେଇ କହିଛନ୍ତି ଯେ, ତିନୋଟି ବୃହତ୍ତ ପ୍ରାକୃତିକ ବିପର୍ଯ୍ୟୟରେ ତାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲେ ହେଁ ସେ ସଂଘର୍ଷରେ ହାରି ନାହାଁନ୍ତି। ୫ ଏକର ଜମିରେ ଭିନ୍ନଢଙ୍ଗରେ ଅତ୍ୟାଧୁନିକ ଶୈଳୀରେ ଜୟସିଂ କରିଥିବା ବିଭିନ୍ନ କିସମର ଚାଷ ଅନ୍ୟ ପାଇଁ ଉଦାହରଣ ହୋଇଛି। ଏହାବାଦେ ସେ ଜୟସିଂ ନର୍ସରୀ ନାମରେ ଏକ ସ୍ୱତନ୍ତ୍ର ଚାରା ଉତ୍ପାଦନ କେନ୍ଦ୍ର ଖୋଲି ପ୍ରସ୍ତୁତ ଚାରାର ବିକ୍ରିବଟା ମଧ୍ୟ କରୁଛନ୍ତି। ତାଙ୍କର ନିଆରା ପ୍ରଣାଳିର ଚାଷ ଦେଖିବାକୁ ବିଭିନ୍ନ ସମୟରେ କୃଷି, ଉଦ୍ୟାନକୃଷି, ଜିଲା ଓ ରାଜ୍ୟ ପ୍ରଶାସନର ଅଧିକାରୀମାନେ ବହୁବାର ଭ୍ରମଣରେ ଆସିଛନ୍ତି। ଚାଷୀ ଜୟସିଂଙ୍କ ଫାର୍ମରେ ଏବେ ନଡିଆ, ଗୁଆ, ଆମ୍ବ, ପୋଟଳ, ଅଲଡି, ବିନ୍ସ, ମନ୍ଦାର, ଗେଣ୍ଡୁ, ମଲ୍ଲୀ ଆଦି ଫୁଲ ଚାଷ ଅବ୍ୟାହତ ରହିଛି। ନେଟ ହାଉସ ଓ ପଲ୍ଲୀ ହାଉସ ପ୍ରଣାଳିରେ ସେ ଚାଷ କାମକୁ ଅଧିକ ପସନ୍ଦ କରନ୍ତି। ଏହି ଦୁଇ ପ୍ରଣାଳିରେ ପନିପରିବା, ଫଳ ଓ ଫୁଲ ଚାଷ ଅଧିକ ଗୁଣବତ୍ତା ଏବଂ ଅଧିକ ଅମଳକ୍ଷମ ବୋଲି ସେ କହନ୍ତି। ଏବେ ସେ କିଛି ପରିମାଣର ଜମିରେ ନେଟ ପ୍ରଣାଳିରେ ଚାଷ କରୁଛନ୍ତି। ପଲ୍ଲୀ ଓ ନେଟ ପ୍ରଣାଳି ଚାଷ ପାଇଁ ସରକାରୀ ସହାୟତା ରହିଥିଲେ ମଧ୍ୟ ବ୍ୟାଙ୍କଗୁଡିକର ଅସହଯୋଗରୁ ତାହା ବେଶ ଫଳପ୍ରଦ ହୋଇପାରୁନି। ବୃନ୍ଦା ଜଳସେଚନ ମାଧ୍ୟମରେ ସେ ଭଳିକିଭଲି ଫୁଲ, ପନିପରିବା ଚାଷ କରି ସ୍ୱାବଲମ୍ବନଶୀଳ ହୋଇଛନ୍ତି। ଫାଇଲିନରେ ୪୦ ଲକ୍ଷ ଟଙ୍କା ମୂଲ୍ୟର ଚାଷ ଉପକରଣ, ଫସଲ ଉଜୁଡି ଯାଇଥିଲା। ସେଥିରୁ ମୁକୁଳି ଅଣ୍ଟା ସଳଖିବା ବେଳକୁ ସଦ୍ୟ ତିତଲି ବାତ୍ୟାରେ ୧୦ ଲକ୍ଷ ଟଙ୍କାର ଫସଲ ହାନି ହୋଇଥିଲା। ତଥାପି ସେ ଚାଷ ପ୍ରତି ତିଳେ ହେଲେ ବିମୁଖ ହୋଇ ନାହାଁନ୍ତି। ମାଟି ମା’ର ଯତ୍ନ ନେଇ ସେଥିରୁ ଯାହା ଆଦାୟ ସେଥିରେ ଚଳିବା ଏବଂ ଅନ୍ୟକୁ ଚଳାଇବାର ପ୍ରୟାସ କରିବାର ଆନନ୍ଦ ଅନ୍ୟ କୌଣସିଟିରେ ନାହିଁ ବୋଲି କହିଛନ୍ତି ଜୟସିଂ ବରଡ। ତାଙ୍କ ଉତ୍ପାଦିତ ପନିପରିବା ଓ ଫୁଲ ଜିଲା, ରାଜ୍ୟ ଏବଂ ରାଜ୍ୟ ବାହାରକୁ ମଧ୍ୟ ରତ୍ପାନି ହେଉଛି। ରାଜ୍ୟ ସରକାର ଚାଷର ବିକାଶ ପାଇଁ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଦେଉଥିଲେ ମଧ୍ୟ ବ୍ୟାଙ୍କଗୁଡିକ ଅସହଯୋଗ କରୁଥିବାରୁ ଚାଷୀ ଆଗକୁ ବଢିପାରୁନି ବୋଲି ସେ କହିଛନ୍ତି। ଗୋଟିଏ ଜାଗାରେ ସବୁକିଛି (ଅଲ ଇନ ୱାନ) ଭଳି ସେ ନିଜ ଫାର୍ମ ଭିତରେ ୩ଟି ପୋଖରୀରେ ମାଛଚାଷ ମଧ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ମନରେଗା ଯୋଜନା ଦ୍ୱାରା ଚାଷ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି। ମନରେଗାରେ ବିନା ପାରିଶ୍ରମରେ ଶ୍ରମିକମାନେ ପାରିଶ୍ରମିକ ପାଇ ଯାଉଥିବାରୁ ଚାଷ କାମରେ ନିୟୋଜିତ ହେବାକୁ ଆଉ ଶ୍ରମିକ ଉଚିତ ମଣୁନାହାଁନ୍ତି ବୋଲି ସେ କହିଛନ୍ତି। ଉନ୍ନତମାନର ଚାଷ ସହ ଅନ୍ୟ ପାଇଁ ଉଦାହରଣ ସାଜିଥିବା ଜୟସିଂ ବରଡ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ୨ଥର ଏବଂ କୃଷି ମନ୍ତ୍ରୀଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ତାଙ୍କର ଏଭଳି ନିଆରା ଚାଷ ପ୍ରଣାଳି ଦେଖିବାକୁ ସୁଦୂର ଖଡଗପୁରର ଆଇଆଇଟି ପ୍ରତିନିଧି ଦଳ ମଧ୍ୟ ଚାଷସ୍ଥଳ ପରିଦର୍ଶନ କରି ଆନନ୍ଦ ପ୍ରକାଶ କରଥିବା ବେଳେ ଜୟସିଂ ମଧ୍ୟ ସରକାରଙ୍କ ପକ୍ଷରୁ ଭାରତର ବହୁ ରାଜ୍ୟକୁ ଗସ୍ତ କରି ଚାଷ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିଛନ୍ତି।

Comments
Loading...