କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ

ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓ ସାମାଜିକ ଦୂରତା ପାଳନ ଜରୁରୀ ହୋଇଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ – ସିବିଏସଇ ଆସନ୍ତା ମାସ ଅର୍ଥାତ ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଗତକାଲି କେନ୍ଦ୍ର ସରକାର ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିବା ପରେ ଆଜି ସିଟିଇଟି ପରୀକ୍ଷାକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଜି ଏ ନେଇ ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ନୋଟିସ ଜାରି କରିଛନ୍ତି।

ବର୍ଷକୁ ଦୁଇଥର ଏହି କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହୋଇଥାଏ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ – ସିବିଏସଇ ଏହି ପରୀକ୍ଷା ପରିଚାଳନା କରିଥାଏ। ଚଳିତ ବର୍ଷ ଜାନୁଆରୀ ୨୩ରେ ଦରଖାସ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୯କୁ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ୩୦ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଦେଶର ୧୧୨ଟି ପରୀକ୍ଷା କେନ୍ଦ୍ରରେ ଆସନ୍ତା ଜୁଲାଇ ୫ରେ ପରୀକ୍ଷା ହୋଇଥାନ୍ତା।

Comments are closed.