ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ଷ୍ଟାଚ୍ୟୁ ଅଫ୍‍ ହ୍ୟୁମାନିଟି’ ଅନାବରଣ

କଟକ : କଟକ କ୍ୟାଣ୍ଟନମେଣ୍ଟ ରୋଡର ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଗୋପବନ୍ଧୁ ଛକଠାରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରୟାସର ଅନ୍ୟତମ ସାରଥି,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ସମାଜ ସଂସ୍କାରକ, ସାମ୍ବାଦିକ, କବି ଏବଂ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‍ ହ୍ୟୁମାନିଟି’ ( ମାନବିକତାର ପ୍ରତିମୂର୍ତ୍ତି) ଉତ୍କଳ ଦିବସ ଅବସରରେ ଆଜି ଉଦଘାଟିତ ହୋଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିମୂର୍ତ୍ତି ଅନାବରଣ କରିବା ସହିତ ସେହି ମହାନ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ‘ସମାଜ’ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।
ଏହି ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, କନ୍ଧମାଳ ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍‍ , ଲୋକସେବକ ମଣ୍ଡଳ ସଭାପତି ରାଜକୁମାର,ଲୋକସେବକ ମଣ୍ଡଳ ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ପ୍ରତିମୂର୍ତ୍ତିର ସ୍ଥପତି ରବି ରଥ, ‘ସମାଜ’ର ସମସ୍ତ ପରିଚାଳକ, କର୍ମଚାରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଓଡ଼ିଶାରେ ମାନବତାର କଥା ଆସିଲେ ପ୍ରଥମେ ଗୋପବନ୍ଧୁ ହିଁ ମନେପଡନ୍ତି। ଦୀନ, ଦରିଦ୍ର, ଦୁଃଖୀ ଲୋକଙ୍କୁ ସହାୟତା କରିବାର ମହତ କାର୍ଯ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସହୋଇ ରହିଆସିଛନ୍ତି। ସେ ଥିଲେ ମାନବତାର ମହାନ ଉଦ୍‍ଗାତା। ସେଥିପାଇଁ ଏହି ପ୍ରତିମୂର୍ତ୍ତିକୁ ମାନବିକତାର ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି ନାମରେ ନାମିତ କରାଯାଇଛି। ଗୋପବନ୍ଧୁଙ୍କର ଏହି ପ୍ରତିମୂର୍ତ୍ତି ମାନବତାର ପ୍ରତୀକ ଭାବେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ଦେଶ ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିବା ଉତ୍କଳ ସମ୍ମିଳନୀର ସମସ୍ତ ସଦସ୍ୟ ୧୯୨୦ରେ ଅସହଯୋଗ ଆନ୍ଦୋଳନରେ ସାମିଲ ହେବାପରେ ଉତ୍କଳମଣି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ। ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ଉତ୍କଳ ସମ୍ମିଳନୀର ଥିବା ମୁଖ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ମହାତ୍ମା ଗାନ୍ଧୀଙ୍କୁ ପ୍ରବର୍ତ୍ତାଇବାକୁ ପଣ୍ଡିତ ଗୋପବନ୍ଧୁ ଦାସ କଲିକତା ଓ ନାଗପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ କଂଗ୍ରେସ କମିଟି ବୈଠକରେ ଯୋଗଦେଇଥିଲେ। ତାଙ୍କ ଆମନ୍ତ୍ରଣରେ ମହାତ୍ମା ଗାନ୍ଧୀ ୧୯୨୧ରେ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାରେ ଗୋପବନ୍ଧୁ ଜାତୀୟ ଆନ୍ଦୋଳନର ଜନକ ଥିଲେ- ଏକଥା ନେତାଜୀ ସୁଭାଷଚନ୍ଦ୍ର ବୋଷ କହିଥିଲେ। ସମୟକ୍ରମେ ୧୯୩୪ରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ପୁରୀ ବଡଦାଣ୍ଡରେ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେହି ସମୟରେ ଗାନ୍ଧୀଜୀ ଉଲ୍ଲେଖ କରିଥିଲେ, ଗୋପବନ୍ଧୁ କେବଳ ଉତ୍କଳର ମଣି ନୁହନ୍ତି, ସେ ସାରା ଭାରତର ମଣି।
ସୂଚନା ଯୋଗ୍ୟ , ରାଜ୍ୟ ସରକାର ଓ ଜିଲ୍ଲାପ୍ରଶସନ ପକ୍ଷରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ନିରୂପଣ ସହ ସମସ୍ତ ସହଯୋଗ କରାଯାଇଥିବାବେଳେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ପକ୍ଷରୁ ଏଥିପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି।

Comments are closed.