ରାଜ୍ୟରେ ପ୍ରଥମ ଥର ଇ-ଲୋକ ଅଦାଲତ

କଟକ: ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଥିବା ଜିଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପକ୍ଷମାନଙ୍କ ଅସୁବିଧା ଓ କୋଭିଡ-୧୯ ସମୟରେ ମାମଲା ଗୁଡିକର ଆପୋଷ ବୁଝାମଣାରେ ସମାଧାନ ପ୍ରସଂଗକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ‌ହୋଇଛି। ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଦେଶରେ ରାଜସ୍ଥାନ, ଦିଲ୍ଲୀ, ଛତିଶଗଡ଼, ଜମ୍ମୁ-କଶ୍ମୀର ପରେ ଓଡ଼ିଶାରେ ଏପରି ଇ-ଲୋକ ଅଦାଲତ ଆୟୋଜନ କରାଯାଇଛି। ରାଜ୍ୟ ଆଇନସେବା ପ୍ରଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ନିର୍ଦେଶରେ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୭ଟି ମାମଲା ଫୈସଲା କରାଯାଇଛି। ବିଭିନ୍ନ ଜିଲାରେ ଅନୁଷ୍ଠିତ ଇ-ଲୋକ ଅଦାଲତରେ ଆପୋଷ ବୁଝାମଣାରେ ମୋଟର ଦୁର୍ଘଟଣାଜନିତ ବୀମା କ୍ଷତିପୂରଣ ସଂପର୍କିତ ୬୬୫ଟି ମାମଲାର ଫୈସଲା କରାଯାଇ କ୍ଷତିପୂରଣ ବାବଦରେ ୨୯ କୋଟି ୮୬ ଲକ୍ଷ ୧ ହଜାର ୧୪୩ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ୫୨୧ଟି ଆର୍ଥିକ ସଂସ୍ଥାର ମାମଲା ଫୈସଲା କରାଯାଇ ୭ କୋଟି ୬୪ ଲକ୍ଷ ୪୭ ହଜାର ୪୧୩ ଟଙ୍କା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ୨୩୬ଟି ପରିବାର ଅଦାଲତ ମାମଲା ମଧ୍ୟ ଏହି ଲୋକ ଅଦାଲତରେ ଫୈସଲା କରାଯାଇଛି। ଆଜି ସାରା ରାଜ୍ୟରେ ଅନୁଷ୍ଠିତ ଏହି ଇ-ଲୋକ ଅଦାଲତରେ ୨ ହଜାର ୬୧ଟି ମାମଲାର ଫୈସଲା କରାଯାଇଛି। ଏ ବାବଦରେ ବାବଦରେ ୪୭ କୋଟି ୫୭ ଲକ୍ଷ ୮୫ ହଜାର ୯୯୫ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୧୭୧ଟି ମାମଲା ଫୈସଲା କରାଯାଇ ୧ କୋଟି ୪୦ ଲକ୍ଷ ୧ ହଜାର ୬୩୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.