ଭାଗ୍ୟ ଯାହାର ପୋଡ଼ିଯାଇଛି ତା’ପାଇଁ ବି ଗୋପବନ୍ଧୁ…

କଟକ: କୁହାଯାଇଛି, ‘‘ଭାଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷଂ’’। ସତରେ ମଣିଷ ଜୀବନରେ ପଶୁଭଳି ଯନ୍ତ୍ରଣା ଲଭିବା, ହୀନିମାନ ହେବା ଦେଖିଲେ, କାରଣ କିଛି ଜାଣି ହୁଏନି କି କଳି ହୁଏନି। ମନ ଭିତର କିନ୍ତୁ ଜଣଙ୍କର ଏ ଅବସ୍ଥା ଦେଖି ମନ୍ଥି ହୋଇଯାଏ, ‘ଭାଗ୍ୟ’ ବୋଲି ସେମିତି ଏକ ଶକ୍ତି ଉପରେ ଢେର ରାଗ ଲାଗେ। ଏଇ କାଲି ସକାଳୁ ମହିଳାଟିଏ, ଗୋପବନ୍ଧୁଙ୍କ ‘ସମାଜ’ କାର୍ଯ୍ୟାଳୟ ଆଗରେ ତା’ର ଚାରିବର୍ଷର ଶିଶୁପୁତ୍ରକୁ ଧରି ବସିରହିଥିଲା। ପିଲାଟାକୁ ବାତ ମାରୁଥିଲା, ଦୁଃଖ ଯାତନାରେ ଆଖି ଲୁହଗୁଡ଼ା ତା’ର କାଲୁଆ ହୋଇ ଆଖିରେ ଯେମିତି ଲାଖି ରହିଥିଲା, ବୋହିପାରୁ ନ ଥିଲା। ଆଖିଗୁଡ଼ା ବି ସେମିତି ଦିଶୁଥିଲା। ମହିଳା ଜଣକ କେନ୍ଦୁଝର ଆଦିବାସୀ ଅଞ୍ଚଳରୁ କଟକ ବଡ଼ଡାକ୍ତରଖାନା ଆସିଥିଲା ପିଲାକୁ ଭଲ କରିବା ପାଇଁ, ମାଗିଯାଚି ପଇସା ଯୋଗାଡ଼ କରି, ବିଲରେ ଖଟି ଖଟି। ଡାକ୍ତରଖାନାରେ ରଖିବାକୁ ଡାକ୍ତର ମନା କରିଦେଲେ, ଫାଳେ କାଗଜରେ ଓଷୁଧ ଲେଖିଦେଲେ। କିଣିବ କେମିତି ? ପଇସା କାହିଁ ? ଗୋପବନ୍ଧୁଙ୍କ ‘ସମାଜ’ ରିଲିଫ୍‌ ଜରିଆରେ ଆଗରୁ କିଛି ସାହାଯ୍ୟ ପାଇଥିଲା। ଏଥର କିନ୍ତୁ ଆଉ ମିଳିବନି ବୋଲି ତାକୁ ଜଣେ କିଏ କହିଲା। କିନ୍ତୁ ତା’ର ଦୃଢ଼ ବିଶ୍ବାସ, ଯାହାର ଭାଗ୍ୟ ପୋଡ଼ି ଯାଇଛି ତା’ ପାଇଁ ବି ଗୋପବନ୍ଧୁ ସାହାଭରସା। ବର ନିଆଁଲଗା ତ ତାକୁ ଛାଡ଼ିଦେଇଛି। କଟକ ବଡ଼ ଡାକ୍ତରଖାନା ଆସିଥିବାରୁ ‘ସମାଜ’ ଅଫିସ୍‌ ଠିକଣା ଖୋଜି ପହଞ୍ଚିଲା।କ ‘ସମାଜ ରିଲିଫ’ କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ଏକଥା ଆସିଲା।
ତାକୁ ତୁରନ୍ତ ୪ ହଜାର ଟଙ୍କା ଔଷଧ ଓ ବାଟଖର୍ଚ୍ଚ ପାଇଁ ଦିଆଯିବା ସହ ଖାଇବା ବ୍ୟବସ୍ଥା କରାଯାଇଥିଲା। ତା’ ମୋବାଇଲ ନମ୍ବର ଲୋଡ଼ାପଡ଼ିବାରୁ କହିଲା, ‘‘ମୋବାଇଲଟେ ଥିଲା ଯେ, ଆସିବାକୁ ପଇସା ଅଣ୍ଟିଲାନି, ତାକୁ ଗାଁର ଜଣକୁ ହାତଗୋଡ଼ ଧରି ପାଞ୍ଚଶହ ଟଙ୍କାରେ ବିକି ଦେଇଛି। ଭତ୍ତାପାଇଁ ବ୍ଲକରେ ଦରଖାସ୍ତ କରିିଛି; ମାତ୍ର ପୋଡ଼ା କପାଳକୁ କୋଉ ଭତ୍ତା କାଇଁ ? ଏ ଗୋପବନ୍ଧୁ ତ’ ମୋର ସାହାଭରସା ଓ ଆଶ୍ରା। ୟେ ହେଲା ଏମିତି ଘଟୁଥିବା ବହୁ ପୋଡ଼ା କପାଳିଆଙ୍କ କରୁଣ କାହାଣୀ।

Comments are closed.