ମନୋଜ ଦାସଙ୍କୁ ସାହିତ୍ୟ ଏକାଡେମୀର ବିରଳ ସ୍ବୀକୃତି, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଚୀନ, ଋଷ ଓ ଇଂରାଜୀ ଭାଷାରେ ଅନୂଦିତ

କଟକ: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ଶ୍ରୀଅରବିନ୍ଦ-ଶ୍ରୀମା ଦର୍ଶନର ପ୍ରଖ୍ୟାତ ପ୍ରବକ୍ତା ପଦ୍ମଭୂଷଣ ମନୋଜ ଦାସଙ୍କ ଗଳ୍ପ ସଙ୍କଳନ ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଚୀନ, ଋଷ ଓ ଇଂରାଜୀ ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଛି। ସାହିତ୍ୟ ଏକାଡେମୀ ପକ୍ଷରୁ କେବଳ ଦଶଟି ଭାରତୀୟ ଭାଷାର ଦଶ ଜଣ ମହାନ ସାରସ୍ବତ ସ୍ରଷ୍ଟାଙ୍କ ପୁସ୍ତକ ଏହି ତିନିଟି ଭାଷାରେ ପ୍ରକାଶ ପାଇଥିବାରୁ ଏହା ନିଶ୍ଚତ ଭାବେ ଓଡ଼ିଆ ଭାଷାସାହିତ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଶ୍ରେଷ୍ଠ ଦଶ ଭାରତୀୟ କୃତି ମଧ୍ୟରେ ମନୋଜ ଦାସଙ୍କ କୃତି ଅନୁଦିତ ହୋଇଥିବାରୁ ଏହା ତାଙ୍କ ପାଇଁ ମଧ୍ୟ ଏକ ବିରଳ ସ୍ବୀକୃତି। କହିବା ନିଷ୍ପ୍ରୟୋଜନ ଯେ ମନୋଜ ଦାସଙ୍କୁ ଆଧୁନିକ ଯୁଗର ବିଷ୍ଣୁ ଶର୍ମା ଅଭିହିତ କରାଯାଇଥାଏ ଏବଂ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପରେ ବିଶ୍ବ ସାହିତ୍ୟକୁ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଯଥାର୍ଥ ପ୍ରତିନିଧି ବିବେଚନା କରାଯାଇଥାଏ।

ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ଉପ-ରାଷ୍ଟ୍ରପତି ଏମ୍‌. ଭେଙ୍କିଆ ନାଇଡ଼ୁ ସାଂଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ)ର ଭର୍ଚୁଆଲ ସମ୍ମିଳନୀରେ ଏହି ଦଶଟି ଶ୍ରେଷ୍ଠ ପୁସ୍ତକର ଅନୁବାଦ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଘୋଷଣା କରିଥିଲେ। ସେ କହିଥିଲେ ଚୀନ, ଋଷିଆ ଓ ଇଂରାଜୀ ଭାଷାରେ ଏହା ଅନୂଦିତ ହେବା ଫଳରେ ଭାରତର ଗରିମାମୟ ଐତିହ୍ୟ ଓ ସଂସ୍କୃତିକୁ ପ୍ରତିନିଧିତ୍ବ କରୁଥିବା ଏହି ଅନବଦ୍ୟ କୃତି ବିଷୟ​‌େ​‌ର ସାରା ବିଶ୍ବବାସୀ ଅବଗତ ହେବେ।
ମନୋଜ ଦାସଙ୍କ ସମେତ ଅନ୍ୟ ଯେଉଁ ସାରସ୍ବତ ସ୍ରଷ୍ଟା ଏଥିରେ ଅଛନ୍ତି ସେମାନେ ହେଲେ ତାରାଶଙ୍କର ବଙ୍ଗୋପାଧ୍ୟାୟ (ବଙ୍ଗଳା), ଜାଭେରଚନ୍ଦ ମେଘାନି (ଗୁଜରାଟୀ), ସଇଦ ଅବୁଦଲ ମଲିକ (ଅହମିଆ), ନିର୍ମଳ ବର୍ମା (ହିନ୍ଦୀ), ଏସ.ଏଲ୍‌ ଭାଇରାପ୍ପା (କନ୍ନଡ), ଗୁରଦୟାଲ ସିଂହ (ପଞ୍ଜାବୀ), ଜୟକାନ୍ଥନ(ତାମିଲ), ବିଶ୍ବନାଥ ଶାସ୍ତ୍ରୀ(ତେଲୁଗୁ) ଓ ରାଜିନ୍ଦର ସିଂହ ବେଦୀ(ଉର୍ଦୁ)।
୨୦୧୯ ଜୁନରେ କାରଗଜିସ୍ଥାନର ବିଶକେକ୍‌ଠାରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାର ପ୍ରତିନିଧିମୂଳକ ୧୦ଟି ଶ୍ରେଷ୍ଠ କୃତି ଚୀନ ଓ ରୁଷ ଭାଷାରେ ଅନୂଦିତ ହେବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତାର ୨୪ଟି ସ୍ବୀକୃତିପ୍ରାପ୍ତ ଭାଷା ମଧ୍ୟରୁ ମାତ୍ର ଦଶଟି ଭାଷାର ପୁସ୍ତକକୁ ବାଛିଥିଲେ। ଏହି ପରିପ୍ରେକ୍ଷୀରେ ଏକାଡେମୀର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ମନୋଜ ଦାସଙ୍କୁ ଅଭିନନ୍ଦନ ଜଣାଇବା ପୂର୍ବକ ଭାରତ ସରକାର ଓ ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.