ସାଂସଦଙ୍କ ସହିତ ଇପିଏଫ ପେନସନର୍ସ ସଂଘର ଆଲୋଚନା

କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି। ଆସୋସିଏସନର ଏକ ୧୭ ଜଣିଆ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟିଥିଲେ।
ରାଜ୍ୟ ସମେତ ଦେଶରେ ମୋଟ ୬୫ ଲକ୍ଷ ପେନସନ ଭୋଗୀ ରହିଛନ୍ତି। ସେଥିମଧ୍ୟରୁ ୩୬ ଲକ୍ଷ ପେନସନ ଭୋଗୀ ମାସିକ ୧ ହଜାର ଟଙ୍କା ମଧ୍ୟରେ ପେନସନ ପାଉଥିବା ବେଳେ ୧୮ଲକ୍ଷ ପେନସନ ଭୋଗୀ ମାସିକ ୧ ରୁ ୨ହଜାର ଟଙ୍କା ଏବଂ ଅବଶିଷ୍ଟ ୧୧ ଲକ୍ଷ ମାସକୁ ୨ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ପେନସନ ପାଉଛନ୍ତି। ଫଳରେ ପେନସନଭୋଗୀ ଆର୍ଥିକ ଅଭାବ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ଏଣୁ ସର୍ବନିମ୍ନ ପେନସନ ୭ହଜାର ୫ଶହ ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଏବଂ ସମସ୍ତ ଇପିଏଫ ପେନସନଭୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ପେନସନ ଭୋଗୀଙ୍କ ସମସ୍ୟାକୁ ଷ୍ଟାଣ୍ଡିଂ କମିଟିରେ ଆଲୋଚନା କରି ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀ ମହାତାବ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜର୍ମାନ ରାୟ, ଧୀରେନ୍ଦ୍ର ପ୍ରତାପ, ବିନୋଦ ବେହେରା, ପ୍ରମୋଦ ତ୍ରିପାଠୀ, ଦେବେନ୍ଦ୍ର ସାହୁ, ପ୍ରଫୁଲ୍ଲ ପରିଡା, ନରେନ୍ଦ୍ର ଘୋଷ, ସୁକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.