କଟକରେ କରୋନା ମହାମାରୀ ମୁକାବିଲା: କଣ୍ଟେନ୍‍ମେଣ୍ଟ ଜୋନ୍‍ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, କୋଭିଡ୍‍ ଟେଷ୍ଟିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କଟକ ମହାନଗର ନିଗମ(ସିଏମ୍‍ସି)ରେ କରୋନା ମହାମାରୀ ମୁକାବିଲା ପାଇଁ କୋଭିଡ୍‍ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସିଏମ୍‍ସିରେ ୪ଟି ମୋବାଇଲ୍‍ ୟୁନିଟ୍‍ ଏବଂ ୪ଟି ଫିକ୍ସଡ୍‍ ସେଣ୍ଟର କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ୧୩ଟି ବ୍ଲକ ଲେବଲ୍‍ ଟେଷ୍ଟିଂ ଟିମ୍‍ କାର୍ଯ୍ୟ କରୁଛି। ଅପରପକ୍ଷରେ କଣ୍ଟେନ୍‍ମେଣ୍ଟ ଜୋନ୍‍ଗୁଡ଼ିକରେ ଟେଷ୍ଟିଂ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱୀତ କରାଯାଇଛି। ଏବେ କଟକ ସହରରେ ୧୦୦୪ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୧ଜଣ ସୁସ୍ଥ ହୋଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧୪ କଣ୍ଟେନ୍‍ମେଣ୍ଟ ଜୋନ୍‍ରୁ ଚିହ୍ନଟ ହୋଇଥିବାବେଳେ ହୋମ୍‍ କ୍ୱାରେନ୍‍ଣ୍ଟାଇନ୍‍ରୁୁ ୧୧୮, ଇନ୍‍ଷ୍ଟିଚ୍ୟୁସ୍‍ନାଲ୍‍ କ୍ୱାରେଣ୍ଟାଇନ୍ରୁ ୫୯ ଓ ଲୋକାଲ୍‍ କଣ୍ଟାକ୍ଟରେ ୪୫ଜଣ ଚିହ୍ନଟ ହୋଇଥିଲେ। ଏଥିରୁ ବିଶ୍ଲେଷଣ କରି କୁହାଯାଇପାରିବ ଯେ କଣ୍ଟେନ୍‍ମେଣ୍ଟ ଜୋନ୍‍ରୁ ଅଧିକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆଧାରରେ ତାଲିକା ପ୍ରସ୍ତୁତ କରାଯାଇଛି। ବୃଦ୍ଧ, ରୋଗୀ, ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ନମୁନା ସଂଗ୍ରହ ହୋଇଛି ଏବଂ କୋଭିଡ୍‍ ପରୀକ୍ଷା କରାଯାଇଛି ବୋଲି ସିଏମ୍‍ସି କମିଶନର ଅନନ୍ୟା ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୁରୁଣା ରାଉସପାଟଣା ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟକର୍ମୀମାନେ ଏଠାରେ ବହୁ ପରିଶ୍ରମ କରୁଛନ୍ତି। ପଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସେହିପରି ମାଲ୍‍ଗୋଦାମ୍‍ର ବେହେରା ସାହିରେ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି। ଏଠାକାର ଘରଗୁଡ଼ିକ ଲାଗିଲାଗି ରହିଥିବାରୁ ଆମ ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏଠାରେ କୋଭିଡ୍‍ ଟେଷ୍ଟିଂର ଆବଶ୍ୟକତା ରହିଛି। କୋଭିଡ୍‍ ରୋଗୀଙ୍କ ପାଇଁ ଆମେ ସପ୍ତାହକୁ ୨ଥର ୱେବ୍‍ବିନାର୍‍ ଆୟୋଜନ କରାଯିବାକୁ ଯୋଜନା ରହିଛି। କରୋନା ଆକ୍ରାନ୍ତ କେହି ବି ହୋଇ ପାରନ୍ତି। ତେଣୁ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଦରକାର ଓ କୋଭିଡ୍‍ ନିୟମ ପାଳନ କରିବା ଆବଶ୍ୟକ ।
କଟକରେ କରୋନା ଯେପରି ଭାଇଚାରା ଭାଙ୍ଗି ନପାରିବ, ସେଥିପାଇଁ ଆମେ ଗୁରୁତ୍ୱ ଦେବା। କିନ୍ତୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାର ଅଛି। କଟକରେ ପଂଜୀକୃତ ଘରୋଇ ଲ୍ୟାବ ଆଣ୍ଟିଜେନ ଟେଷ୍ଟ କରିପାରିବେ। ପୋଷ୍ଟ ପିଜି ଡକ୍ଟରଙ୍କୁ ନିଯୁକ୍ତ କରାଯାଇଛି। ସିସିସିରେ ପିଜି ଡାକ୍ତର ନିଯୁକ୍ତ କରାଯାଇଛି। ଅଶ୍ୱିନୀ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରାଯାଉଛି। ଆକ୍ଟିଭ ସର୍ଭିଲେନ୍ସ ବଢ଼ାଇଛୁ। ଆଜି ଓ ଗତକାଲି ସପ୍ତାହାନ୍ତ ସଟଡାଉନ ଥିଲା। କୋଭିଡ ଆମ ସହିତ ଅଛି। ବ୍ୟବସାୟୀଙ୍କ ସହିତ ଆମେ ଆଜି କଥା ହେବୁ। ବଜାରରେ ଭିଡ ଜମାନ୍ତୁ ନାହିଁ। ବଜାରରେ ଭିଡ ହ୍ରାସ କରିବାରେ ଗ୍ରାହକଙ୍କ ମଧ୍ୟ ବଡ଼ ଭୂମିକା ରହୁଛି ବୋଲି ସିଏମ୍‍ସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।
ଏହି ଅବସରରେ କଟକ କୋଭିଡ ପର୍ୟ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି ଯେ ଆସନ୍ତା ଏକ ସପ୍ତାହ ମଧ୍ୟରେ କଟକରେ ଶଯ୍ୟା ସଂଖ୍ୟା ବଢ଼ିବ। ଭୁବନେଶ୍ୱର ଓ ଯାଜପୁର ଭଳି କଟକରେ ମଧ୍ୟ କରୋନା ମୁକାବିଲା ଲାଗି ଆବଶ୍ୟକୀୟ ଶଯ୍ୟା ଅଛି। ଅନଲକ-୩ ପାଇଁ ଆର୍ଥିକ କାରବାରକୁ ଗୁରୁତ୍ୱ ଦିଆଯାଇଛି। ଏହି ପର୍ୟ୍ୟାୟରେ ଦୋକାନ ଓ ବଜାର ଖୋଲାକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଲୋକେ ଜରୁରୀକାମ ଥିଲେ ବାହାରକୁ ଯାଆନ୍ତୁ। ସାମାଜିକ ଦୂରତା ରକ୍ଷାକରି ଏବଂ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ।

Comments are closed.