ନୈତିକତା ନ ଲଙ୍ଘୁ ଗଣମାଧ୍ୟମ: ବାଲକ୍ରିଷ୍ଣନ୍‌

0

କଟକ : ନୈତିକତା ନ ଲଙ୍ଘୁ ଗଣମାଧ୍ୟମ। ଏବେ ଗଣମାଧ୍ୟମ ଅତ୍ୟନ୍ତ ସକ୍ରିୟ। ଆମ ସମ୍ବିଧାନ ଗଣମାଧ୍ୟମକୁ ଯଥେଷ୍ଟ ସ୍ୱାଧୀନତା ଦେଇଛି। ଗଣମାଧ୍ୟମ ଉପରେ ବିଶେଷ ଅଙ୍କୁଶ ନାହିଁ। ସମାଜ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି; ମାତ୍ର ଅନେକ ସମୟରେ କେତେକ ବିଦ୍ୱେଶମୂଳକ ଭାଷଣକୁ ଗଣମାଧ୍ୟମ ପ୍ରସାରଣ କରିବାରୁ ହିଂସାକାଣ୍ଡ ଘଟୁଛି। ସାମାଜିକ ବିଶୃଙ୍ଖଳା ଦେଖାଦେଉଛି। ତେଣୁ ଗଣମାଧ୍ୟମରେ କ’ଣ ପ୍ରସାରଣ କରାଯିବ ଓ କ’ଣ କରା ନ ଯିବ ସେ ନେଇ ଚିନ୍ତା କରାଯିବା କଥା। ତେଣୁ ଗଣମାଧ୍ୟମ ସବୁବେଳେ ନୈତିକତା ତଥା ମୂଲ୍ୟବୋଧକୁ ଅନୁସରଣ କରି ଖବର ପ୍ରସାରଣ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଲକ୍ରିଷ୍ଣନ୍।
ବିଶ୍ୱନାଥ ପଶାୟତ ସ୍ମୃତି କମିଟି ଓ ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ ସମ୍ବର୍ଦ୍ଧିତ କମିଟି ଆନୁକୂଲ୍ୟରେ ବୁଧବାର ସହିଦ ଭବନରେ ଅନୁଷ୍ଠିତ ବିଶ୍ୱନାଥ ପଶାୟତଙ୍କ ୧୦୬ତମ ଜୟନ୍ତୀ ସମାରୋହ ସ୍ମାରକୀ ବକ୍ୃତାରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ କେ.ଜି ବାଲକ୍ରିଷ୍ଣନ୍‍ ଉପରୋକ୍ତ ପରାମର୍ଶ ଦେଇଛନ୍ତି। ଏଥିସହିତ ସେ ମାନବିକ ଅଧିକାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀ ଯୋଗଦେଇ କହିଥିଲେ ଯେ ବିଶ୍ୱନାଥ ପଶାୟତ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଜଣେ ବିଶିଷ୍ଟ ଆଇନଜ୍ଞ ଓ ଚିନ୍ତାନାୟକ ଥିଲେ। ଗରିବ ଓ ଦୀନଜନଙ୍କୁ ସେବା ଓ ନ୍ୟାୟ ପ୍ରଦାନ କରାଇବାରେ ତାଙ୍କ ଜୀବନାଦର୍ଶ ବର୍ତ୍ତମାନର ଯୁବ ପିଢିଙ୍କ ପାଇଁ ଆଦର୍ଶ ହେବା ଉଚିତ। ସେ ସର୍ବଦା ଦୁର୍ବଳ ଓ ଅବହେଳିତଙ୍କ ପାଇଁ କାର୍ଯ୍ୟ କରୁଥିଲେ। ସମାଜରେ ସଂସ୍କାର ପାଇଁ ଚେଷ୍ଟିତ ଥିଲେ। ଏହାବ୍ୟତୀତ ଜଷ୍ଟିସ ଅରିଜିତ ପଶାୟତଙ୍କ ଆଇନସେବା କ୍ଷେତ୍ରରେ ୫୦ ବର୍ଷର ଅନୁଭୂତି ରହିଛି। ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ। ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ତାଙ୍କର ସର୍ବାଧିକ ରାୟ ବିଭିନ୍ନ ଆଇନ ପତ୍ରିକାରେ ପ୍ରକାଶିତ ହୋଇଥିଲା ବୋଲି ଜଷ୍ଟିସ ଜାଭେରୀ କହିଥିଲେ।
ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଜେ.ଚେଲାମେଶ୍ୱର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ବିଚାର ପ୍ରକ୍ରିୟାରେ ମନ୍ଥରତା ଅତ୍ୟନ୍ତ ପୀଡ଼ାଦାୟକ। ଦେଶର ବିଭିନ୍ନ ବିଚାରାଳୟରେ ପାଖାପାଖି ୩ କୋଟି ମାମଲା ବିଚାରାଧୀନ ଥିବାବେଳେ ସୁପ୍ରିମକୋର୍ଟରେ ୫୦ ହଜାର ମାମଲା ବିଚାରାଧୀନ ରହିଥିବା ଦର୍ଶାଇଥିଲେ। କିଭଳି ନ୍ୟାୟିକ ବ୍ୟବସ୍ଥାରେ ତୁରନ୍ତ ନ୍ୟାୟପ୍ରଦାନ କରାଯିବ ସେଥିପାଇଁ ଗୁରୁତ୍ବ ଦିଆଯିବା ଜରୁରୀ ବୋଲି ଜଷ୍ଟିସ ଚେଲାମେଶ୍ବର କହିଛନ୍ତି।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ହାଉସ ଅଫ ଲର୍ଡ୍ସ’ର ସଦସ୍ୟା ଥିବା ଭାରତର ପ୍ରଥମ ମହିଳା ତଥା ଲେଇସେଷ୍ଟର ୟୁରୋପିଆନ ଏକ୍ସଟରନାଲ ଅଫାୟାର୍ସ କମିଟି ଅଧ୍ୟକ୍ଷ ତଥା ୟୁନାଟେଡ ନେସନ୍ସ(ମହିଳା) ଅଧ୍ୟକ୍ଷ ବାରୋନେସ ବର୍ମା ଯୋଗଦେଇ କହିଥିଲେ ଯେ ଅନ୍ୟାୟ ଓ ଅସମାନତା ବିରୋଧରେ ଲଢେଇ ସମସ୍ତଙ୍କ ଅଧିକାର। ବିଶ୍ୱନାଥ ପଶାୟତ ସାମାଜିକ ନ୍ୟାୟ ଓ ସାଧାରଣଙ୍କ ଅଧିକାର ପାଇଁ ଏଭଳି ଲଢେଇ କରୁଥିଲେ। ଏହି ପରମ୍ପରା ଡକ୍ଟର ଅରିଜିତ ପଶାୟତ ଜାରି ରଖିଛନ୍ତି। ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନ କିଭଳି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ସେନେଇ ମତ ରଖିଥିଲେ। ତେଣୁ ସମସ୍ତେ ଏଥି ପାଇଁ ସଚେତନ ହୋଇ କାର୍ଯ୍ୟ କରିବାକୁ ସେ କହିଥିଲେ।
ନ୍ୟାୟିକ ବୃତ୍ତିରେ ଜଷ୍ଟିସ ଅରିଜିତ ପଶାୟତ ୫୦ ବର୍ଷ ପୂର୍ଣ୍ଣାଙ୍ଗ କରିଥିବାରୁ ଏହି ଅବସରରେ ଡକ୍ଟର ଜଷ୍ଟିସ ପଶାୟତଙ୍କୁ ଅତିଥିଗଣଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଏମ୍‌ଏସ୍‌ ଆଇନ ମହାବିଦ୍ୟାଳୟ ୫ବର୍ଷିଆ ସମନ୍ବିତ ଆଇନ କୃତି ଛାତ୍ରୀ ଶ୍ୱେତା ଦାଶଙ୍କୁ ଜଷ୍ଟିସ ଅରିଜିତ ପଶାୟତ ସମ୍ମାନରେ ସମ୍ମାନିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଛାୟା ଅଦାଲତ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ମଧୁସୂଦନ ଆଇନ ମହାବିଦ୍ୟାଳୟ ବିଦ୍ୟାର୍ଥୀ ନାଜିଆ ଫାଜଲଙ୍କୁ ପ୍ରଥମ ପୁରସ୍କାର, ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଛାତ୍ରୀ ପ୍ରଗତୀ ପ୍ରିୟଦର୍ଶିନୀ ଜେନାଙ୍କୁ ଦ୍ୱିତୀୟ ଓ ସୋଆର ଅଙ୍କିତା ଗଙ୍ଗଦେବଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜି କେ ଦାସଙ୍କୁ ଓଡ଼ିଶା ହାଇକୋର୍ଟ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ସମ୍ବର୍ଦ୍ଧିତ କରିଥିବାବେଳେ ବିରୋଧୀ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ରଙ୍କୁ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ ଓ ଡକ୍ଟର ହେମଲତା ସ୍ୱାଇଁଙ୍କୁ ଏଏସଜି ଅନୁପ ବୋଷ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧାମନଗର, କାମାକ୍ଷାନଗର ବାର, ରଣପୁର, ଟାଙ୍ଗୀ, ଜୟପାଟଣା(କଳାହାଣ୍ଡି)ବାର ଆସୋସିଏସନକୁ ଆଇନ ପୁସ୍ତିକା ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ କେ.ଜି.ବାଳକ୍ରିଷ୍ଣନ୍‍ଙ୍କୁ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଜାଭେରୀଙ୍କୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ବାରୋନେସ ବର୍ମାଙ୍କୁ ଆଇନଜୀବୀ ଧରଣୀଧର ନାୟକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ସ୍ୱାଗତ ଭାଷଣ ଗୋପାଳକୃଷ୍ଣ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ ଅଭିଭାଷଣ ରଖିଥିଲେ। ଆଇନଜୀବୀ ଦେବୀପ୍ରସାଦ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply