ଜାତୀୟ ଖାଉଟି ଦିବସ; ‘ସୁରକ୍ଷା ପାଇଁ ଲୋଡ଼ା ସଚେତନତା’

କଟକ : ବିଭିନ୍ନ ଦ୍ରବ୍ୟ ବା ସେବା ଉପଯୋଗ କରୁଥିବା ଖାଉଟି ଅନେକ ସମୟରେ ଠକାମିର ଶିକାର ହେଉଛନ୍ତି। ସଚେତନତା ଅଭାବରେ ଖାଉଟି କ୍ଷତିଗ୍ରସ୍ତ ହେଉଥିବା ବେଳେ ଏନେଇ କୌଣସି ଆଇନଗତ ବ୍ୟବସ୍ଥା ମଧ୍ୟକୁ ଯାଇପାରୁ ନାହିଁ। ଖାଉଟିମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଯଥେଷ୍ଟ ସଚେତନ ହେବା ଜରୁରୀ ବୋଲି ଆଠଗଡ଼ ଖାଉଟି କଲ୍ୟାଣ ସଂଘ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି।
ବକ୍ସିବଜାର ‘ସମାଜ’ କାର୍ଯ୍ୟାଳୟ ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ କୋଭିଡ୍‍ ଗାଇଡ୍‍ ଲାଇନ୍‍ ପାଳନ କରି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ସଂଘ ଦ୍ୱାରା ପ୍ରକାଶିତ ‘ଖାଉଟି ଦର୍ପଣ’ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଖାଉଟି ଦର୍ପଣରେ ପରିବେଷିତ ବିଭିନ୍ନ ଆଇନ ଓ ଅଧିକାର ସମ୍ପର୍କିତ ତଥ୍ୟ ବିଶେଷ ଭାବେ ଉପଯୋଗୀ ହେବ। ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ଉଦ୍ୟମ କରାଯିବା ସହ ସେମାନଙ୍କୁ ଏ ଦିଗରେ ସଚେତନ କରାଇବାକୁ ମୁଖ୍ୟ ଅତିଥି ଶ୍ରୀ ରଥ ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି କହିଲେ, ଖୋଲା ବଜାର ବ୍ୟତୀତ ବିଭିନ୍ନ ଦ୍ରବ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ ଉପଲବ୍ଧ ହେଉଛି। ଲୋକମାନେ ସଚେତନ ନହେବାରୁ ଦ୍ରବ୍ୟର ଗୁଣବତ୍ତା ଠିକ୍‍ ନପାଇ ଅଯଥାରେ ହଇରାଣ ହେଉଛନ୍ତି। ବିନା ରସିଦ୍‍ରେ ଜିନିଷ ଆଣିବା ନାହିଁ କି ଠକାମିରେ ପଡ଼ିବା ନାହିଁ। ଏଥିସହ ଖାଉଟି ଅଧିକାର ସୁରକ୍ଷା ଦିଗରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଶ୍ରୀ ମହାନ୍ତି ନିବେଦନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସ କହିଲେ, ଖାଉଟି ସୁରକ୍ଷା ଏକ ଯୁଗାନ୍ତକାରୀ ଆଇନ୍‍। ପୂର୍ବରୁ ଖାଉଟି ଆଇନ୍‍ରେ ଥିବା ଦୋଷ ଦୁର୍ବଳତାକୁ ଏହି ଆଇନ୍‍ରେ ଦୂରେଇ ଦିଆଯାଇଛି। ଖାଉଟି ଆଇନ୍‍ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଏହି ଆଇନ୍‍ରେ ବ୍ୟବସ୍ଥା ଥିବା ଶ୍ରୀ ଦାସ ସୂଚନା ଦେଇଥିଲେ। ପୁସ୍ତକର ଲେଖକ ତଥା ସଂଘର ସମ୍ପାଦକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ। ସଂଘର ସଭାପତି ପ୍ରାଣକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଅ​‌େ​‌ଦ୍ବୖତଚରଣ ପଣ୍ଡା, ସମାଜସେବୀ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ ପ୍ରସନ୍ନ କୁମାର ରାଉତ, ଶ୍ୟାମାନନ୍ଦ ମହାରଣା, ମନୋଜ ପଟ୍ଟନାୟକ, ଦେବଦତ୍ତ ମହାନ୍ତି, ସନତ କୁମାର ଘୋଷ, ମହେନ୍ଦ୍ର ମହାପାତ୍ର, ଆଲୋକ ପଟ୍ଟନାୟକ ଓ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଆଠଗଡ଼ ଖାଉଟି କଲ୍ୟାଣ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିଥିଲେ।

Comments are closed.