ନକଲି ସାମଗ୍ରୀର ପେଣ୍ଠସ୍ଥଳ କଟକ; ପୁଣି ଭେଜାଲ ଘିଅ, ଲଙ୍କା, ହଳଦୀଗୁଣ୍ଡ କାରଖାନା ଠାବ

କଟକ : କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଦୁଇଦିନ ତଳେ ଫୁଲନଖରା ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଠାବ ହେବା ପରେ ଶନିବାର ଚାଉଳିଆଗଞ୍ଜ ଅଞ୍ଚଳରେ ଦୀର୍ଘଦିନରୁ ଚାଲିଥିବା ନକଲି ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଘିଅ କାରଖାନା ଠାବ ହୋଇଛି। ଏହି ନକଲି କାରବାରରେ ସମ୍ପୃକ୍ତ ଅଧିକ ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ଭେଜାଲ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିପୁଳ ରାସାୟାନିକ ସାମ୍ରଗୀ ସହିତ ସରଞ୍ଜାମ ଜବତ ହୋଇଛି।
ଉଭୟ କାରଖାନାରୁ ବିପୁଳ ପରିମାଣର ଭେଜାଲ ସାମଗ୍ରୀ ସହିତ କାରବାରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତିକୁ ପୁଲିସ ଜବତ କରିଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଭଦିମୂଳ ଅଞ୍ଚଳର ତପନକୁମାର ରାୟ ଓ ପଶ୍ଚିମବଙ୍ଗର ମୂଳବାସିନ୍ଦା ତଥା ନୂଆବଜାରରେ ରହୁଥିବା ତୁଷାର କୁମାର ଦାସ। ଉଭୟ କାରଖାନାରୁ ପୁଲିସ ଶ୍ରୀ କ୍ରିଷ୍ଣା ନାମ ଥିବା ୧କ୍ୱିଣ୍ଟାଲ ଭେଜାଲ ଖାଇବା ଓ ପୂଜା ଘିଅ,୨ଲକ୍ଷ(୫୦ଗ୍ରାମରୁ ଆରମ୍ଭ କରି ୫୦୦ଗ୍ରାମ ପର୍ଯ୍ୟନ୍ତ) ଜରି ପାଉଚ, ଡବା, ଖାଲିଟିଣ ସହିତ ବିପୁଳ ପରିମାଣର ଘିଅରେ ମିଶାଯାଉଥିବା ମଷ୍ଟର୍ଡ ସିନ୍ଥେଟିକ୍‍ ଓ ସୁୁଗନ୍ଧ କେମିକାଲ, ମଞ୍ଜି, ଚୁଆ, ପାମୋଲିନ୍‍ ଓ ବନସ୍ପତିି ଜବତ କରିଛି। ନୋଭା ନାମ ଥିବା ଲଙ୍କା ଓ ହଳଦୀ ଗୁଣ୍ଡ ତିଆରି କାରଖାନାରୁ ୫କ୍ୱିଣ୍ଟାଲ ଭେଜାଲ ଲଙ୍କା ଓ ହଳଦୀ ଗୁଣ୍ଡ, ମୁଣ୍ଡଫଟା ରଙ୍ଗ, ରାଗ ଓ ସୁଗନ୍ଧ କେମିକାଲ ସହିତ ତିଆରିରେ ବ୍ୟବହୃତ ହେଉଥିବା ବହୁ ଯନ୍ତ୍ରପାତି ଓ ସରଞ୍ଜାମକୁ ମଧ୍ୟ ପୁଲିସ ଜବତ କରିଛି। ଉଭୟ କାରଖାନାକୁ ପୁଲିସ ସିଲ୍‍ କରିଦେଇଛି। ଭେଜାଲ କାରବାର ପଛରେ ଏକ ସୁସଂଗଠିତ ରାକେଟ୍‍ କାର୍ଯ୍ୟ କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଇ ସେମାନଙ୍କ ତଥ୍ୟ ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଇନ୍ସପେକ୍ଟର ତାପସକୁମାର ପ୍ରଧାନ ସୂଚନା ଦେଇଛନ୍ତି।
ସହରରେ ଚାଲିଥିବା ନକଲି ତଥା ଭେଜାଲ ଖାଦ୍ୟ ସାମଗ୍ରୀ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ମାସ ହେବ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ମାଲଗୋଦାମରେ ପୁଲିସ ପ୍ରଥମେ ଭେଜାଲ ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଓ ଗୋଦାମ ଠାବ କରିବା ପରେ ଏ ନେଇ ବିଭିନ୍ନ ଥାନା ପକ୍ଷରୁ ବେଶ୍‍ ତତ୍ପରତା ପ୍ରକାଶ ପାଇଥିଲା। ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ଜୋନ୍‍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେଇ ଏକ ଦଳ ଗଠନ କରାଯାଇଥିଲା। ମୁଖ୍ୟତଃ ମାଲଗୋଦାମ ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଭେଜାଲ କାରବାର ରୋକିବା ଉପରେ କାର୍ଯ୍ୟ କରୁଛି। ତଦ୍‍ନୁଯାୟୀ ଆଜି ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଭଦିମୂଳ ଓ ନୂଆବଜାର ହାଇସ୍କୁଲ ନିକଟରେ ଦୁଇଟି ସ୍ଥାନରେ ଭେଜାଲ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ଖବର ମିଳିବା ପରେ ଏସିପି ଶ୍ରୀ ପଣ୍ଡା ଓ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ଅନ୍ୟ ଅଫିସରଙ୍କ ସହିତ ତୁରନ୍ତ ଉଭୟ ସ୍ଥାନ ଉପରେ ଚଢ଼ଉ କରି କାରଖାନାକୁ ଠାବ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଘନଘନ ଜେରାପରେ ଏହି କାରବାର ସମ୍ପର୍କରେ ତପନ ଓ ତୁଷାର ଅନେକ ତଥ୍ୟ ପୁଲିସ ନିକଟରେ ପ୍ରକାଶ କରିଥିଲେ। ପାଉଚ ଓ ରାସାୟାନିକ ଦ୍ରବ୍ୟ ସେ ହାଇଦରାବାଦ ଓ କଲକାତାରୁ ଆଣିଥାନ୍ତି। ଭେଜାଲ ଘିଅ ,ଲଙ୍କା ଓ ହଳସୀ ଗୁଣ୍ଡ ପ୍ରସ୍ତୁତ ପରେ ତାହାକୁ ଡବା ଓ ଜରିରେ ଭର୍ତ୍ତିକରି ପାର୍କିଂ କରାଯାଇଥାଏ। ନିୟୋଜିତ ଏଜେଣ୍ଟଙ୍କ ଜରିଆରେ କଟକ ମାଲଗୋଦାମ, ଆଠଗଡ଼, ଭୁବନେଶ୍ୱର, ଜଗତସିଂହପୁର, ପୁରୀ, ଯାଜପୁର ଓ ଅନ୍ୟ ଅଞ୍ଚଳର ବ୍ୟବସାୟଙ୍କ ନିକଟରେ ଏହାକୁ ପହଞ୍ଚାଇ ଦିଆଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜବତ ଭେଜାଲ ଏଠାରେ ତିଆରି କରାଯାଉଥିଲେ ହେଁ ଡବା ଓ ପାଉଚ ଉପରେ ରହିଥିବା ଲୋଗୋ ଓ ସୂଚନା ମିରଟରେ କଂପାନୀ ବୋଲି ଉଲ୍ଲେଖ କରାଯାଇଛି। ୧୫ବର୍ଷ ହେଲାଣି ବଦିମୂଳରେ ଭେଜାଲ ଲଙ୍କା ଓ ହଳଦୀ ଏବଂ ଦୁଇବର୍ଷ ହେଲାଣି ନୂଆବଜାରରେ ଘିଅ କାରଖାନା ଚଳାଇଥିବା ଉଭୟ ଅଭିଯୁକ୍ତ ସୂଚନା ଦେଇଛନ୍ତି। ଏହି କାରବାରର ଚେର ଆହୁରି ଅଧିକ ଅଞ୍ଚଳକୁ ବ୍ୟାପିବା ସହିତ ବହୁ ବ୍ୟବସାୟୀ ଏଥିରେ ସଂପୃକ୍ତ ଥିବା ଆଶଙ୍କା ରହିଛି। ଜବତ ଭେଜାଲ ସାମଗ୍ରୀର ଅଧିକ ଯାଞ୍ଚ ପାଇଁ ଆସନ୍ତାକାଲି ପରୀକ୍ଷାଗାରକୁ ପଠାଯିବ ବୋଲି ପୁଲିସ କହିଛି।

Comments are closed.