କଟକଣାକୁ ବେଖାତିର

0

ଜଗତପୁର : ଅସୁରକ୍ଷିତ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ଯେଉଁମାନେ ଆଇନ ଖିଲାପ କରିବେ ସେମାନଙ୍କ ପାଇଁ ଦଣ୍ଡବିଧାନ ରହିଛି। ହେଲେ ଏପରି ଆଇନ କେବଳ କାଗଜକଲମରେ ସୀମିତ ଥିବାରୁ ଅମାନିଆ ଗାଡ଼ିଚାଳକ ଆଇନକୁ ଫାଙ୍କି ଯାତ୍ରୀଙ୍କୁ ଅସୁରକ୍ଷିତଭାବେ ନେବାଆଣିବା କରୁଛନ୍ତି।
କଟକ-ଚାନ୍ଦବାଲି ରାସ୍ତାର ଗୋଲେଇ ଛକଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ରହିଛି ଜଗତପୁର ଥାନା। ଥାନା ସମ୍ମୁଖ ଦେଇ ଦୈନିକ ଶହଶହ ବସ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ଆବଶ୍ୟକଠକାରୁ ଅଧିକ ଯାତ୍ରୀ ନେବା ଆଣିବା କରୁଥିଲେ ମଧ୍ୟ ପୁଲିସ ସଂପୃକ୍ତ ଗାଡିଚାଳକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବିଶେଷକରି ଛୋଟଛୋଟ ଗାଡ଼ି ସୁରକ୍ଷିତ ଯାତ୍ରାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଗୋଟିଏ ମ୍ୟାଜିକ ଗାଡ଼ିରେ ୭ରୁ ୯ଜଣ ବସିବାର କ୍ଷମତା ରହିଥିବାବେଳେ ୧୮ରୁ ଊର୍ଦ୍ଧ୍ବ ଯାତ୍ରୀ ବୁହାଯାଉଛି।
ପାଗା, ବହୁଗ୍ରାମ, ଜପକୁଦ, ରାମେଶ୍ୱର, ସାଲେପୁର, ଶିଶୁଆ ତଥା ଏହାର ଆଖପାଖ ଅଞ୍ଚଳରୁ ଦୈନିକ ୭୦ରୁ ଊର୍ଦ୍ଧ୍ବ ଏହିଭଳି ଛୋଟଛୋଟ ଗାଡ଼ିରେ କଟକକୁ ବିପଦପୂର୍ଣ୍ଣ ଯାତ୍ରୀସେବା ଚାଲିଛି। ଦ୍ରୁତଗତିରେ ଏହି ଗାଡ଼ିଗୁଡିକ ଯାଉଥିବା ହେତୁ ଅନେକ ସମୟରେ ଚାଳକ ଭାରସାମ୍ୟ ହରାଇବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅଟୋ ଗୁଡିକରେ ଏବେ ବି ଯାତ୍ରୀ ତଥା ସ୍କୁଲପିଲାମାନଙ୍କୁ ମନଇଛା ଭର୍ତ୍ତିକରି ନିଆଯାଉଛି।

Leave A Reply