ସହରରେ କାୟା ମେଲାଉଛି କରୋନା : ମାସକରେ ୨୭ ସ୍ଥାନୀୟ ସଂକ୍ରମଣ

କଟକ : ଏପ୍ରିଲ ମାସରେ ସହରରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିପର୍ଯ୍ୟନ୍ତ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରୁ ୨୨୯ ଜଣ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଏଥିମଧ୍ୟରେ ସରକାରୀ ସଙ୍ଗରୋଧ କେନ୍ଦ୍ର, ଗୃହ ସଙ୍ଗରୋଧ କେନ୍ଦ୍ର ଏବଂ ଲୋକାଲ କେସ୍‌ ରହିଛି। ଲୋକାଲ କେସ୍‌ ଯଦି କ୍ରମାଗତ ଭାବେ ବୃଦ୍ଧି ପାଏ ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି। ଜୁନ୍‌ ଓ ଜୁଲାଇ ମାସରେ କରୋନା ସଂକ୍ରମଣ ବଢ଼ିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ଜନସାଧାରଣ କରୋନା ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ୟ ନିର୍ଦେଶନାମା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଜୁନ୍‌ ୧୦ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ୨୭ ଲୋକାଲ ବା ସ୍ଥାନୀୟ କେସ୍‌ ଚିହ୍ନଟ ହୋଇଛି। ମେ ମାସରେ ଲୋକାଲ କଣ୍ଟାକ୍ଟ କେସ ସେତେ ନ ଥିବା ବେଳେ ଜୁନ୍ ଓ ଜୁଲାଇରେ ଲୋକାଲ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି।
ସିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜୁନ୍‌ ୧୧ରେ ୩ଟି ଗୃହ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ୧୨ରେ କେହି ଚିହ୍ନଟ ହୋଇ ନ ଥିବା ବେଳେ ୧୩ରେ ଗୃହ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଥିବା ଜଣାପଡ଼ିଥିଲା। ଜୁନ୍ ୧୫ ଓ ୧୬ରେ ଜଣେ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିଲେ। ଜୁନ୍‌ ୧୭, ୧୮ ଓ ୧୯ରେ କେହି ଚିହ୍ନଟ ହୋଇ ନ ଥିବା ବେଳେ ୨୦ରେ ଜଣେ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ। ଏହାପରେ ଜୁନ୍ ୨୧ରୁ ହଁି ଲୋକାଲ କେସ ବଢ଼ିବାରେ ଲାଗିଛି। ଉକ୍ତ ଦିନ କ୍ୟାଣ୍ଟନମେଣ୍ଟ ରୋଡ୍ ଅଞ୍ଚଳରୁ ଜଣେ ୬୫ ବର୍ଷୀୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜୁନ୍ ୨୬ରେ ଗୋଟିଏ ଲୋକାଲ କେସ କ୍ରମରେ ବାଦାମବାଡ଼ି ପରିଡ଼ା ସାହିର ୨୫ ବର୍ଷୀୟ ଯୁବକଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ୨୭ ଜୁନ୍‌ରେ ମହାନଦୀ ବିହାରରୁ ୪୭ ବର୍ଷୀୟ ମହିଳା, ୨୮ରେ ୪୬ ବର୍ଷୀୟ ଜଣେ ପୁଲିସ ଅଧିକାରୀ ମର୍କତନଗର ସେକ୍ଟର-୯ରୁ ଚିହ୍ନଟ ହେବା ପରେ ମହାନଗର ନିଗମ କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ। ୨୯ରେ ଦୁଇଟି ଲୋକାଲ କେସ ଜଣାପଡ଼ିଥିଲା। ମଙ୍ଗଳାବାଗରୁ ୨୪ ବର୍ଷୀୟ ଯୁବତୀ ଏବଂ ରାଣୀହାଟ ଶଗଡ଼ିଆ ସାହିରୁ ୨୮ ବର୍ଷୀୟ ଜଣେ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିଲେ। ଜୁନ୍ ୩୦ରେ ରାଣୀହାଟର ଜଣେ ୫୨ ବର୍ଷୀୟ ପୁରୁଷ ଓ ମର୍କତନଗର ସେକ୍ଟର-୯ରୁ ଜଣେ ୩୭ ବର୍ଷୀୟ ମହିଳା ପଜିଟିଭ ବାହାରିବା ପରେ ଜୁଲାଇ ୧ରେ ସର୍ବାଧିକ ଗୋଟିଏ ଦିନରେ ୭ ଜଣ ଲୋକାଲ କେସ ଜଣାପଡ଼ିଥିଲା। ଏଥିରେ କାଠଗୋଲା ସାହିରୁ ଜଣେ ୩୩ ବର୍ଷୀୟ ମହିଳା, ଥୋରିଆ ସାହିରୁ ୫୨ ବର୍ଷୀୟ ମହିଳା, ନୂଆପାଟଣାରୁ ୨୪ ବର୍ଷୀୟ ଯୁବତୀ, ନୂଆପାଟଣାରୁ ୩୦ ବର୍ଷୀୟ ମହିଳା, ମଙ୍ଗଳାବାଗରୁ ୨୩ ବର୍ଷୀୟ ପୁରୁଷ, ଜଗତପୁରରୁ ଜଣେ ପୁରୁଷ ଓ ମହାନଦୀ ବିହାରରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଜୁଲାଇ ୩ରେ ସହରରୁ ସର୍ବାଧିକ ୫୯ ପଜିଟିଭ ଚିହ୍ନଟ କରାଯାଇଥିଲା। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଏସ୍‌ସିବିରୁ କରୋନା ସଂକ୍ରମଣ ବିସ୍ଫୋରଣ ହୋଇଥିଲା। ଉକ୍ତ ଦିନ ୨ଟି ଲୋକାଲ କେସ ଚିହ୍ନଟ କରାଯାଇଥିଲା। ଶଙ୍କରପୁରର ୩୬ ବର୍ଷୀୟ ପୁରୁଷ ଜଣେ ଓ ଚାନ୍ଦିନୀଚୌକରୁ ୩୦ ବର୍ଷର ମହିଳା କରୋନା ସଂକ୍ରମିତ ହୋଇଥିଲେ। ଜୁଲାଇ ୬ରେ ଗୋଟିଏ ଲୋକାଲ କେସ ମଧ୍ୟରେ ଏକ ଘରୋଇ ନର୍ସିଂହୋମରୁ ୫୮ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିଲେ। ଜୁଲାଇ ୭ରେ କନିକା ଛକରୁ ଜଣେ ଲୋକାଲ କେସ ଜଣାପଡ଼ିଥିଲା। ଜୁଲାଇ ୮ରେ ମଧ୍ୟ ବାସୁଳି ସାହିରୁ ଜଣେ ପଜିଟିଭ, ୯ରେ ଲୋକାଲ କଣ୍ଟାକ୍ଟ କେସ୍‌ ୩ଟା ଜଣା ପଡ଼ିଥିଲା। ଏଥିମଧ୍ୟରୁ ୨୬ ବର୍ଷିୟ ମହିଳା ସିଡିଏ ସେକ୍ଟର-୭, ୩୮ ବର୍ଷର ପୁରୁଷ ଜଗତପୁର ଓ ୩୧ ବର୍ଷୀୟ ପୁରୁଷ ସେକ୍ଟର-୯ରୁ ଜଣାପଡ଼ିଥିଲା। ସେହିପରି ଜୁଲାଇ ୧୦ରେ ତିନିଟି ଲୋକାଲ କେସ ଜଣାପଡ଼ିଛି। ଏଥିମଧ୍ୟରୁ କେବଳ ପଟ୍ଟାପୋଲ, ମର୍କତନଗର ସେକ୍ଟର-୯ ଓ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ କର୍ତ୍ତୃପକ୍ଷ ଘୋଷଣା କରିଥିଲେ।

Comments are closed.