ବିଦେଶୀଙ୍କ ବିନା ଆଇପିଏଲ୍‍ ମୁସ୍ତାକ୍‍ ଅଲୀ ଟୁର୍ଣ୍ଣାମେଣ୍ଟ ପରି ଲାଗିବ : ସିଏସକେ

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ର ଫ୍ରାଞ୍ଚାଇଜ୍‌ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ) ବିଦେଶୀଙ୍କ ବିନା ଆଇପିଏଲ୍‍ ଖେଳାଯିବା ପ୍ରସ୍ତାବକୁ ଖାରଜ କରିଦେଇଛି। କେବଳ ଭାରତୀୟଙ୍କୁ ନେଇ ଆଇପିଏଲ୍‍ ଆୟୋଜନ କରିବାର ପ୍ରସ୍ତାବ ଅନ୍ୟ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍‍ସ ଦେଇଥିଲା। ତେବେ ଏଥିରେ ଅରାଜି ହେବା ସହ ସିଏସ୍‍କେ ପକ୍ଷରୁ କୁହାଯାଇଛି ଯେ ବିଦେଶୀ ଖେଳାଳିଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପରି ଲାଗିବନାହିଁ। ବରଂ ଏହା ଘରୋଇ ଆନ୍ତଃରାଜ୍ୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍ତାକ୍‍ ଅଲୀ ଟ୍ରଫି ପରି ମନେହେବ; ଯେଉଁଥିରେ କେବଳ ଭାରତୀୟ କ୍ରିକେଟର୍‍ମାନେ ଖେଳିଥାଆନ୍ତି।
ସାରାବିଶ୍ୱରେ ଏକ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଆୟୋଜନ ନେଇ ଘୋର ସନ୍ଦେହ ଦେଖାଦେଇଛି। ୨ ଥର ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭହେବାର ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ ଦେଶରେ କରୋନା ସଂକ୍ରମଣର ସ୍ଥିତି ଅଧିକ ବିଗିଡ଼ି ଯାଇଥିବା ବେଳେ ଏହାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅଷ୍ଟ୍ରେଲିଆରେ ହେବାକୁୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପୂର୍ବରୁ ସେପ୍ଟେମ୍ବର-ଅକ୍ଟୋବରରେ ଥିବା ଖାଲି ସମୟରେ ଆଇପିଏଲ୍‍ ଆୟୋଜନ କରିବାକୁ ଆୟୋଜକ ବିସିସିଆଇ ଅନାଇ ବସିଛି। ତେବେ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‍ କମାଇ ଏହାକୁ ସଂକ୍ଷିପ୍ତ କରିବାକୁ ହେବ। ହେଲେ ଏହା ସମ୍ଭବ ହେବ ଯଦି ସେପ୍ଟେମ୍ବର ଆରମ୍ଭରୁ ଦେଶ କରୋନାମୁକ୍ତ ହୋଇ ସାରିଥିବ। ଆଇପିଏଲ୍‍ର ଆୟୋଜନ ପାଇଁ ବ୍ୟଗ୍ର ଥିବା ଅନ୍ୟ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍‍ସ କେବଳ ଭାରତୀୟଙ୍କୁ ନେଇ ଆଇପିଏଲ୍‍ ଖେଳିବାକୁ ପ୍ରସ୍ତାବ ଦେଇଥିଲା। ଏବେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବିଦେଶୀଙ୍କ ବିନା ଆଇପିଏଲ୍‍ ଖେଳିବାକୁ ଚେନ୍ନଇ ସୁପର କିଙ୍ଗ୍‍ସ ରାଜିନୁହେଁ। ଏହା ବର୍ଷରେ ୨ ଥର ସୟଦ୍‍ ମୁସ୍ତାକ୍‍ ଅଲୀ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାହେଁନାହିଁ। ସିଏସ୍‍କେ ୩ ଥର ଆଇପିଏଲ୍‍ ଚମ୍ପିଆନ୍‍ ହୋଇଛି। ଯଦି ୨୦୨୦ ଆଇପିଏଲ୍‍ ଟୁର୍ଣ୍ଣାମେଣ୍ଟ ନହୁଏ; ତେବେ ବିସିସିଆଇ ୪୦୦୦ କୋଟିର ଆର୍ଥିକ କ୍ଷତି ସହିବ। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ ପରି ବିସିସିଆଇ ମଧ୍ୟ ଆର୍ଥିକ ସଙ୍କଟରେ ପଡ଼ିପାରେ। ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡ ଏବଂ ୟୁଏଇ କ୍ରିକେଟ୍‍ ବୋର୍ଡ ମଧ୍ୟ ଆଇପିଏଲ୍‍ ଆୟୋଜନ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି। ତେବେ ସବୁ ନିର୍ଭରକରେ କରୋନାର ସଂକ୍ରମଣ ରୋକିବା ଉପରେ। ଦେଶର ଟ୍ରାକ୍‍ରେ ସିନା ରେଳଗାଡ଼ି ଗଡ଼ିବା ଆରମ୍ଭ କରିଛି; କ୍ରିକେଟ୍‍ର ଗାଡ଼ି ଗଡ଼ିବା ଲାଗି ବହୁତ ଅପେକ୍ଷା କରିବାକୁ ପଡ଼ିବ।

Comments are closed.