ସନ୍‌ରାଇଜର୍ସ ପରାସ୍ତ : ଶୀର୍ଷକୁ ଫେରିଲା ଚେନ୍ନଇ

ଚେନ୍ନଇ : ମାତ୍ର ଗୋଟିଏ ଦିନ ପରେ ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲ୍‌ର ଶୀର୍ଷସ୍ଥାନକୁ  ପୁଣି ଫେରିପାରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) । ସେନ୍ ୱାଟ୍‌ସନଙ୍କ ୯୬ ରନ୍ ବଳରେ ମଙ୍ଗଳବାର ୬ ୱିକେଟରେ ସନ୍‌ରାଇଜର୍ସ ହାଇଦରାବାଦକୁ ହରାଇ ସିଏସ୍‌କେ ଏହି କୃତିତ୍ବ ହାସଲ କରିଛି। ଡେଭିଡ ୱାର୍ଣ୍ଣର ଓ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦରାବାଦ ୩ ୱିକେଟରେ ୧୭୫ ରନ କରିଥିଲା। ପରେ ସିଏସ୍‌କେ ଗୋଟିଏ ବଲ୍‌ ବାକିଥାଇ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‌ରେ ୮ମ ବିଜୟ ପରେ ୧୬ ପଏଣ୍ଟ ସହ ସିଏସ୍‌କେ ପଏଣ୍ଟ ଟେବୁଲ ଶୀର୍ଷକୁ ଫେରିଛି। ସନ୍‌ରାଇଜର୍ସ ୧୦ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିିଛି।
ଚେନ୍ନଇ ସୁପର କିଙ୍ଗ୍‌ସ ୧୭୬ ରନ୍‌ର ପିଛା କରିଥିବା ବେଳେ ୩ୟ ଓଭରରେ ଫାଫ୍ ଡୁ ପ୍ଲେସି ୧ ରନ୍‌କରି ରନ୍‌ଆଉଟ ହୋଇ ଯାଇଥିଲେ। ତେବେ ଅଷ୍ଟ୍ରେଲୀୟ ସେନ୍ ୱାଟ୍‌ସନ୍ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ସୁରେଶ ରୈନା ତାଙ୍କୁ ଉପଯୋଗୀ ସହଯୋଗ ଦେଇଥିଲେ। ଫଳରେ ମାତ୍ର ୭.୩ ଓଭର​‌େ​‌ର ସିଏସ୍‌କେ ୭୭ ରନ୍ ଯୋଗ କରିଥିଲା। ଏହି ଭାଗିଦାରୀ ସିଏସ୍‌କେକୁ ବିଜୟପଥରେ ଆଗେଇ ନେଇଥିଲା। ବାମହାତି ରୈନା ୨୪ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୮ ରନ୍‌ କରିଥିଲେ। ପରେ ଅମ୍ବତି ରାୟୁଡୁ ଓ ସେନ୍ ୱାଟ୍‌ସନ ଦ୍ରୁତଗତିରେ ସ୍କୋର୍‌କରି ମାତ୍ର ୭ ଓଭରରେ ୮୦ ରନ୍ ଯୋଗ କରିିଥିଲେ। ଶତକ ଦ୍ବାରରେ ଥିବା ୱାଟ୍‌ସନ ମାତ୍ର ୪ ରନ୍ ପାଇଁ ଏହି ମାଇଲ୍‌ଖୁଣ୍ଟରୁ ବଞ୍ଚିତ ହୋଇଥିଲେ। ୱାଟ୍‌ସନ୍ ୫୩ ବଲ୍‌ରୁ ୬ଟି ଛକା ଓ ୯ଟି ଚୌକା ସହ ୯୬ ରନ୍‌କରି ଆଉଟ ହୋଇଥିଲେ। ଶେଷ ୩ ଓଭରରୁ ସିଏସ୍‌କେ ୧୬ ରନ୍ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ୨ ଓଭରରୁ ମାତ୍ର ୭ ରନ୍ ହେବାରୁ ଶେଷ ଓଭରରେ ୯ ରନ୍ ଆବଶ୍ୟକ ଥିଲା। କେଦାର ଯାଦବ ଏକ ଛକା ମାରିବାରୁ ସିଏସ୍‌କେର ବିଜୟ ସମ୍ଭବ ହୋଇଥିଲା। ଅମ୍ବତି ରାୟୁଡୁ ୨୫ ବଲ୍‌ରୁ ୨୧ ରନ୍ କରିଥିଲେ। କେଦାର ଯାଦବ ୧୦ ବଲ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ।
ଚେନ୍ନଇ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସ ୨ୟ ଓଭରରେ ସଫଳ ବ୍ୟାଟ୍‌ସମ୍ୟାନ୍ ଜନି ବେୟାରଷ୍ଟୋ (୦)ଙ୍କ ୱିକେଟ ହରାଇଥିଲା। ପରେ ଡେଭିଡ୍‌ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଚେନ୍ନଇ ବୋଲରଙ୍କ ଉଚିତ ମୁକାବିଲା କରି ୨ୟ ୱିକେଟ ପାଇଁ ୧୨ ଓଭରରେ ୧୧୫ ରନ୍‌ ଯୋଗ କରିଥିଲେ। ଦଳୀୟ ସ୍କୋର ୧୨୦ ରନରେ ୱାର୍ଣ୍ଣରଙ୍କୁ ଆଉଟ କରି ହରଭଜନ ଚେନ୍ନଇକୁ ୨ୟ ସଫଳତା ଦେଇଥିଲେ। ଅଦ୍ୟାବଧି ଚଳିତ ସଂସ୍କରଣରେ ସର୍ବାଧିକ ରନ୍ କରିିଥିବା ୱାର୍ଣ୍ଣର ୪୫ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହ ୫୭ ରନ୍‌ କରିଥିଲେ। ୱାର୍ଣ୍ଣର ଆଉଟ ହେବା ପରେ ସନରାଇଜର୍ସର ରନ୍‌ଗତି ଧିମେଇ ଯାଇଥିଲା। ଫଳରେ ଶେଷ ୬.୩ ଓଭରରୁ ମାତ୍ର ୫୫ ରନ୍ ହୋଇଥିଲା। ମନୀଷ ଓ ବିଜୟ ଶଙ୍କର ୩ୟ ୱିକେଟ ପାଇଁ ୫.୩ ଓଭରରେ ୪୭ ରନ ଯୋଡ଼ିଥିଲେ। ଶଙ୍କର ୨୦ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହ ୨୬ ରନ୍ କରିଥିଲେ। ବେଶ୍ କିଛି ମ୍ୟାଚ୍ ପରେ ସୁଯୋଗ ପାଇଥିବା ମନୀଷ ପାଣ୍ଡେ ୪୯ ବଲରୁ ୭ଟି ଚୌକା ଓ ୩ଟି ଛକା ସହ ୮୩ ରନରେ ଅପରାଜିତ ଥିଲେ। ହରଭଜନ ସିଂହ ୨ଟି ୱିକେଟ ନେଇଥିଲେ।

Comments are closed.