ୱାର୍ଣ୍ଣର-ଧୋନି ଲଢ଼େଇ ଆଜି

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ମଙ୍ଗଳବାର ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳର ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସହ ହେବ।
ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଚେନ୍ନଇ। ୩ଥର ଚମ୍ପିଆନ୍‌ ତଥା ଗତ ସଂସ୍କରଣରେ ରନର୍ସଅପ୍‌ ହୋଇଥିବା ଚେନ୍ନଇ ଦଳ ଚଳିତ ସଂସ୍କରଣରେ ୭ଟି ମ୍ୟାଚ୍‌ ଖେଳି ୫ଟିରେ ପରାସ୍ତ ହୋଇଛି। ତେଣୁ ସନରାଇଜର୍ସ ହାଇଦରାବାଦ୍‌ ଦଳକୁ ପରାସ୍ତ କରିବାକୁ ଚେନ୍ନଇ ଉପରେ ପ୍ରବଳ ଚାପ ରହିଛି। ଦଳର ଓପନର୍‌ ସେନ୍‌ ୱାଟସନ୍‌ ଓ ଫାଫ୍‌ ଡୁପ୍ଲେସି ଠିକ୍‌ଠାକ୍‌ ପ୍ରଦର୍ଶନ କରୁଥିଲେ ମଧ୍ୟ ଦଳର ମଧ୍ୟଭାଗ ବ୍ୟାଟିଂ ବିଫଳ ହୋଇଛି। ଧୋନି ନିଜେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ବେଳେ ଗତ ମ୍ୟାଚ୍‌​‌େ​‌ର କେଦାର ଯାଦବଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ନାରାୟଣ ଜଗଦେସାନ୍‌ ଓ ବରିଷ୍ଠ ବ୍ୟାଟସମ୍ୟାନ୍‌ ଅମ୍ବାତି ରାୟୁଡୁ ଭଲ ପ୍ରଦର୍ଶନ କରିଥିଲେ; ତଥାପି ଚେନ୍ନଇ ଦଳ ବିଜୟୀ ହୋଇପାରିନଥିଲା। ସାମ୍‌ କରନ୍‌, ରବିନ୍ଦ୍ର ଜାଡେଜା ଓ ଡୁଏନ୍‌ ବ୍ରାଭୋଙ୍କ ବିଫଳତା ଦଳର ଚିନ୍ତା ବଢ଼ାଇ ଦେଇଛି।
ଦଳର ବ୍ୟାଟିଂ ମୁଖ୍ୟ ଚିନ୍ତାର କାରଣ ବୋଲି ସ୍ବୀକାର କରିଛନ୍ତି ଧୋନି। ଦଳର ବ୍ୟାଟସମ୍ୟାନ୍‌ଙ୍କୁ ଇନିଂସ ଶେ​‌ଷ ଆଡ଼କୁ ବିସ୍ଫୋରକ ବ୍ୟାଟିଂ କରିବାକୁ ଧୋନି ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗକୁ ଦେଖିଲେ ଦୀପକ ଚହର୍ ଓ ରବିନ୍ଦ୍ର ଜାଡେଜା ଠିକ୍‌ଠାକ୍‌ ପ୍ରଦର୍ଶନ କରୁଥିବା ବେଳେ ବ୍ରାଭୋ ଦଳକୁ ଫେରିବା ଖୁସି ଖବର। ତେ​‌େ​‌ବ ସାମ୍‌ କରନ୍‌, ସାର୍ଦ୍ଦୁଳ ଠାକୁର ଓ କର୍ଣ୍ଣ ଶର୍ମାଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ।
ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ ୭ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛି। ତେଣୁ ଦଳ ଚେନ୍ନଇକୁ ପରାସ୍ତ କରି ନିଜ ସ୍ଥାନ ମଜଭୁତ୍‌ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ। ଦଳର ବ୍ୟାଟିଂ ବେଶ୍‌ ମଜଭୁତ୍‌ ଅଛି। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର, ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ ଓ କେନ୍‌ ୱିଲିୟମସନ୍‌ ପ୍ରମୁଖ ବେଶ୍‌ କିଛି ରନ୍‌ କରିଛନ୍ତି। ତେବେ ଦଳର ବୋଲିଂକୁ କିଛିଟା ଚିନ୍ତା ରହିଛି। ଆଘାତଜନିତ କାରଣରୁ ଭୁବନେଶ୍ବର କୁମାର ବାଦ୍‌ ପଡ଼ିଥିବା ବେଳେ ଅଲରାଉଣ୍ଡର ମିଚେଲ୍‌ ମାର୍ଶ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବା ଦଳର ଚିନ୍ତା ବଢ଼ାଇ ଦେଇଛି। ଦଳର ବୋଲିଂ ମୁଖ୍ୟତଃ ସ୍ପିନର ରସିଦ୍‌ ଖାନ୍‌ ଓ ୟର୍କର ସ୍ପେଶାଲିଷ୍ଟ ଟି.ନଟରାଜନ୍‌ଙ୍କ ଉପରେ ନିର୍ଭରଶୀଳ। ସନ୍‌ରାଇଜର୍ସ ଦଳର ଅନ୍ୟତମ ବୋଲର ସନ୍ଦୀପ ଶର୍ମା, ଖଲିଲ୍‌ ଅହମ୍ମଦ ଓ ଅଭିଷେକ ଶର୍ମାଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

Comments are closed.