କେକେଆର୍‌ ବ୍ୟାଟିଂ ବିଫଳ; ଚେନ୍ନଇର ସହଜ ବିଜୟ

ଚେନ୍ନଇ: ଆଇପିଏଲ୍‌ରେ ଏହି ମ୍ୟାଚ୍ ପୂର୍ବରୁ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା କଲକାତା ନାଇଟ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ତା’ର ୬ଷ୍ଠ ମ୍ୟାଚ୍‌ରେ ବିଫଳ ହୋଇଛି। ଫଳରେ ଏହା ବିପକ୍ଷରେ ମଙ୍ଗଳବାର ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୭ ୱିକେଟରେ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂକରି କେକେଆର୍ ୯ ୱିକେଟରେ ୧୦୮ ରନ୍ କରିଥିଲା। ବିପର୍ୟ୍ୟୟ ପରେ ଆ​‌େ​‌ନ୍ଦ୍ର ରସେଲଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଯୋଗୁଁ କେକେଆର୍‌ର ଏହି ସ୍କୋର୍ ସମ୍ଭବ ହୋଇଥିଲା। ପରେ ଫାଫ୍ ଡୁ ପ୍ଲେସିଙ୍କ ଧୈର୍ୟ୍ୟପୂର୍ଣ୍ଣ ଇନିଂସ ବଳରେ ୧୭.୨ ଓଭରରେ ୩ ୱିକେଟ ହରାଇ ଚେନ୍ନଇ ଜିତି ନେଇଥିଲା। ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୦ ପଏଣ୍ଟ ସହ ଚେନ୍ନଇ ଟେବୁଲ ଶୀର୍ଷକୁ ଉଠିଛି। ୬ଷ୍ଠ ମ୍ୟାଚ୍‌ରେ ୨ୟ ପରାଜୟ ପରେ କେକେଆର୍ ୨ୟ ସ୍ଥାନକୁ ଖସିଆସିଛି।

୧୦୯ ରନ୍ ଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍‌ସ ଇନିଂସ ଆରମ୍ଭ କରିବା ପରେ ୫ମ ଓଭର ସୁଦ୍ଧା ୩୫ ରନ୍‌ରେ ୨ଟି ୱିକେଟ ହରାଇଥିଲା। ଓପ୍‌ନର ସେନ୍‌ ୱାଟ୍‌ସନ ଦ୍ରୁତଗତିରେ ସ୍କୋର୍ କରିବା ଆରମ୍ଭ କରିଥିଲେ। ତେବେ ସେ ବେଶି ସମୟ ରହି ପାରିନଥିଲେ। ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୱାଟ୍‌ସନ୍ ୧୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ସୁରେଶ ରୈନା ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟ ଓପ୍‌ନର ଫାଫ୍ ଡୁ ପ୍ଲେସି ଓ ଅମ୍ବତି ରାୟୁଡୁ ୩ୟ ୱିକେଟ ପାଇଁ ୪୬ ରନ୍ ଯୋଡ଼ିଥିଲେ। ରାୟୁଡୁ ୩୧ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ପରେ ଡୁ ପ୍ଲେସି ଓ କେଦାର ଯାଦବ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ପାରିଥିଲେ। ଡୁ ପ୍ଲେସି ୪୫ ବଲ୍‌ରୁ ୩ଟି ଚୌକା ସହ ୪୩ ଏବଂ କେଦାର ୮ ରନ୍‌କରି ଅପରାଜିତ ଥିଲେ।

ଏହି ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ୧୦.୧ ଓଭରରେ କେକେଆର୍ ୪୭ ରନ୍‌କରି ୬ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ତେବେ ଆ​‌େ​‌ନ୍ଦ୍ର ରସେଲଙ୍କ ପ୍ରୟାସ ଯୋଗୁଁ କେକେଆର୍ ଶହେ ରନ୍ ପାର କରି ପାରିଥିଲା। କ୍ରିସ୍ ଲିନ୍ ଓ ନୀତୀଶ ରାଣା ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ ସୁନୀଲ ନାରାୟଣ ୬ ଓ ରବିନ୍ ଉଥପ୍ପା ୧୧ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ କିଛି ଓଭର କ୍ରିଜ୍‌ରେ ରହି ୩ଟି ଚୌକା ସହ ୧୯ ରନ୍ କରି ପାରିଥିଲେ। ଶୁବ୍‌ମାନ ଗିଲ୍ ୧୨ ବଲ୍‌ରୁ ୯ ରନ୍ କରି ପାରିଥିଲେ। ଏହାପରେ ଏକା ଆ​‌େ​‌ନ୍ଦ୍ର ରସେଲ ଇନିଂସ ସମ୍ଭାଳିଥିଲେ। ଶେଷ ଓଭରରେ ୧୫ ରନ୍ ନେଇଥିବା ରସେଲ ଇନିଂସର ଅନ୍ତିମ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ରସେଲ ଆରମ୍ଭରୁ ଧୈର୍ୟ୍ୟର ସହ ଖେଳିଥିଲେ ଏବଂ ଶେଷ ୩ ଓଭରରେ ଗିଅର ବଦଳାଇ ଷ୍ଟ୍ରୋକ୍ ଖେଳିଥିଲେ। ରସେଲ ୪୪ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ଥିଲେ। ଦୀପକ ଚହର ୩ଟି ଏବଂ ହରଭଜନ ସିଂହ ଓ ଇମ୍ରାନ୍ ତାହିର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.