‘କଠିନ ସମୟର ମୁକାବିଲା କଳା ସିଏସ୍‌କେରେ ରହି ଶିଖିଛି’ : ଧୋନି

ଚେନ୍ନାଇ  : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ତରଫରୁ ଖେଳିବାକୁ ଚେନ୍ନାଇରେ ପହଞ୍ଚିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନି ସିଏସ୍‌କେ ଦଳର ନେତୃତ୍ବ ନେଉଥିବା ବେଳେ ସେ ଅନ୍ୟ କେତେଜଣ ଖେଳାଳିଙ୍କ ସହ ଅଭ୍ୟାସ ଆରମ୍ଭ କରି ସାରିଲେଣି।

ଇତିମଧ୍ୟରେ ଧୋନି ସିଏସ୍‌କେର ଅଫିସିଆଲ୍‌ ଚ୍ୟାନେଲ୍‌ରେ ଏକ ଭିଡିଓ ପୋଷ୍ଟ କରିବା ସହ କଠିନ ସମୟର ମୁକାବିଲା କରିବା କଳା ସିଏସ୍‌କେ ଦଳରେ ରହି ଶିଖିଥିବା ମତ ଦେଇଛନ୍ତି। ସିଏସ୍‌କେ ତରଫରୁ ଖେଳିବା ଫଳରେ ସବୁ କ୍ଷେତ୍ରରେ ତାଙ୍କର ଉନ୍ନତି ଘଟିଛି। ଜଣେ ମଣିଷ ଏବଂ କ୍ରିକେଟର୍‌ ଭାବେ ସେ ନିଜକୁ ଅଧିକ ପରିପକ୍ବ କରି ପାରିଛନ୍ତି। ପଡ଼ିଆରେ ଭିତରେ ଓ ବାହାରେ କଠିନ ସମୟର ମୁକାବିଲା କିପରି କରିବାକୁ ହୁଏ ତାହା ସିଏସ୍‌କେରେ ଖେଳିବା ସମୟରେ ଶିଖି ପାରିଛନ୍ତି। ସଫଳତା ମିଳୁଥିବା ବେଳେ ଜଣେ କିପରି ନମ୍ର ରହିପାରିବ ତାହା ସିଏସ୍‌କେରେ ରହି ଶିକ୍ଷାଲାଭ କରିଥିବା ଧୋନି ମତ ଦେଇଛନ୍ତି।

ସିଏସ୍‌କେର ପ୍ରଶଂସକ ତାଙ୍କୁ ‘ଥାଲା’ ବୋଲି ସମ୍ବୋଧନ କରୁଥିବା ବେଳେ ଏ ସଂପର୍କରେ ମତ ଦେଇ ଧୋନି କହିଛନ୍ତି ଥାଲାର ଅର୍ଥ ହେଲା ଭାଇ। ଏହି ଦଳର ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଉଥିବାରୁ ଭାଇ ବୋଲି ସମ୍ବୋଧନ କରିଥାନ୍ତି। ଏହା ତାଙ୍କ ପାଇଁ ବେଶ୍‌ ଗୌରବର ବିଷୟ।
ସୂଚନାଥାଉକି ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ ପରଠାରୁ ଧୋନି ଭାରତୀୟ ଦଳ ତରଫରୁ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଧୋନି କିଛିସମୟ କ୍ରିକେଟ୍‌ରୁ ଦୂରେଇ ରହିବା ଫଳରେ ସେ ଆଇପିଏଲ୍‌ରେ ନୂତନ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇବେ ବୋଲି କିଛିଦିନ ତଳେ ମତ ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର।

Comments are closed.