ରାଜ୍ୟରେ ରାତି ୯ରୁ ସକାଳ ୫ କର୍ଫ୍ୟୁ, ଜରୁରୀ ସେବାକୁ ମିଳିବ ଅନୁମତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ-୨ର ନିର୍ଦ୍ଦେଶାନାମା ଅନୁସାରେ ଆଜି ଓଡିଶାରେ ଅନଲକ-୨ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଗାଇଡଲାଇନ ଅନୁସାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କୋହଳ କରିଥିବା ବେଳେ ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ଓଡିଶାରେ ରାତ୍ରକାଳୀନ କର୍ଫ୍ୟୁ ୧୦ଟା ପରିବର୍ତ୍ତେ ୯ଟା କରାଯାଇଛି। ରାଜ୍ୟରେ ଆସନ୍ତାକାଲି ତଥା ଜୁଲାଇ ୧ରୁ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ। ପୂର୍ବରୁ ଏହା ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଥିଲା। ସେହିଭଳି ଏହି ରାତ୍ରକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ କିଛି ସେବା ଉପରେ କରୋନା କଟକଣା ଛାଡ୍ କରିଛନ୍ତି । ତେବେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜରୁରୀ ସେବା ସହ ଡାକ୍ତର, ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲର ସ୍ୱାସ୍ଥ୍ୟକର୍ମୀ, ସ୍ଥାନୀୟ ପ୍ରଶାସନୀକ ଅଧିକାରୀ, ପୁଲିସ୍, ସରକାରୀ ଅଧିକାରୀ, ମେଡିକାଲ ଇମରଜେନ୍ସ, ଔଷଧ ଦୋକାନୀ ଏବଂ ଏଠାରେ କାମ କରୁଥିବା କର୍ମଚାରୀ ଆଦିଙ୍କୁ ନାଇଟ୍‌ କର୍ଫ୍ୟୁ ସମୟରେ ଯିବା ଆସିବା ପାଇଁ ଅନୁମତି ମିଳିବ। ସେହିପରି ରାଜ୍ୟ ସରକାରଙ୍କ ଦ୍ୱିତୀୟ ଅନଲକ୍ ପର୍ଯ୍ୟାୟରେ ଇଣ୍ଡଷ୍ଟ୍ରିଆଲ୍ ଇନଷ୍ଟିଚ୍ୟୁଟରେ ନିୟୋଜିତ କର୍ମଚାରୀମାନଙ୍କୁ ମଧ୍ୟ ଅନୁମତି ମିଳିପାରିବ। ଏମାନେ ନିଜର ଆଇଡି କାର୍ଡ ଦେଖାଇ ଯିବା ଆସିବା କରିପାରିବେ। ସେହିଭଳି ସମସ୍ତ କନଷ୍ଟ୍ରକସନର କର୍ମଚାରୀଙ୍କୁ ବି ଏହି ସମୟରେ ଅନୁମତି ମିଳିବ । ନାଇଟ୍ କର୍ଫ୍ୟୁ ବେଳେ ପବ୍ଲିକ ଏବଂ ପ୍ରାଇଭେଟ୍ ଟ୍ରାନ୍ସଫୋର୍ଟ ବନ୍ଦ ରହିବ । କିନ୍ତୁ ଓଲା, ଉବେର ସେବା, ଏୟାରପୋର୍ଟ, ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଚଳାଚଳା ପାଇଁ ଅନୁମତି ଦିଆଯାଇଛି। ସେହିଭଳି ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ ଖୋଲା ରହିବା ସହ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ କର୍ଫ୍ୟୁ ସମୟରେ ଯିବାଆସିବା ପାଇଁ ଅନୁମତି ମିଳିବ ବୋଲି ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.