ଗଗନଯାନ ପାଇଁ କ୍ରାୟୋଜେନିକ ଇଞ୍ଜିନର ଯୋଗ୍ୟତାପର୍ଯ୍ୟାୟ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ: ଭାରତର ବହୁ ଆକାଂକ୍ଷିତ ଗଗନଯାନ ପ୍ରକଳ୍ପ ପାଇଁ ଦେଶର ମହାକାଶ ଗବେଷଣା ଓ ବିକାଶ ସଂଗଠନ (ଇସ୍ରୋ) କ୍ରାୟୋଜେନିକ ଇଞ୍ଜିନର ଯୋଗ୍ୟତାପର୍ଯ୍ୟାୟ ପରୀକ୍ଷା କରିଛି । ବୁଧବାର କରାଯାଇଥିବା ଏହି ପରୀକ୍ଷା ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ତାମିଲନାଡୁର ମହେନ୍ଦ୍ରଗିରିଠାରେ ଥିବା ଇସ୍ରୋ ପ୍ରପଲ୍ସନ କଂପ୍ଲେକ୍ସରେ ୭୨୦ ସେକେଣ୍ଡ ପାଇଁ ଏହି ପରୀକ୍ଷା କରାଯାଇଥିଲା । ପରୀକ୍ଷଣ ସମୟରେ ଇଞ୍ଜିନର ପ୍ରଦର୍ଶନ ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା ଏବଂ ଇସ୍ରୋର ବୈଜ୍ଞାନିକମାନେ ଏହାର ସମସ୍ତ ବିଷୟକୁ ଅତି ନିବିଡ ଭାବରେ ନିରୀକ୍ଷଣ କରିଥିଲେ । ଏହି ଦୀର୍ଘାବଧି ସଫଳ ପରୀକ୍ଷା ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ ଗଗନଯାନ ନିମନ୍ତେ ଏକ ବୃହତ ସଫଳତା କୁହାଯାଉଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଗଗନଯାନର ପ୍ରକ୍ଷେପଣ ଯାନରେ ସଂଯୋଗ ନିମନ୍ତେ ଏହି କ୍ରାୟୋଜେନିକ ଇଞ୍ଜିନର ଭରସାଯୋଗ୍ୟତା ଏବଂ ମଜଭୁତପଣ ଏହାଦ୍ୱାରା ସୁନିଶ୍ଚିତ ହୋଇଛି । ପରବର୍ତ୍ତୀ ସମୟରେ ଏହି ଇଞ୍ଜିନ ଆଉ ଚାରିଟି ପରୀକ୍ଷା ପର୍ଯ୍ୟାୟ ଦେଇ ଯିବ ଏବଂ ମୋଟ ୧୮୧୦ ସେକେଣ୍ଡର ପରୀକ୍ଷା କରାଯିବ । ଏଥିସହିତ ଆଉ ଏକ ଇଞ୍ଜିନକୁ ନେଇ ସ୍ୱଳ୍ପ ଅବଧିର ପରୀକ୍ଷଣ ଏବଂ ଗୋଟିଏ ଥର ଦୀର୍ଘ ଅବଧି ପରୀକ୍ଷଣ କରାଯିବା ପରେ ଗଗନଯାନ କାର୍ଯ୍ୟକ୍ରମ ପାଇଁ କ୍ରାୟୋଜେନିକ ଇଞ୍ଜିନର ଯୋଗ୍ୟତା ପରୀକ୍ଷା ସମ୍ପୂର୍ଣ୍ଣ ହେବ ।

Comments are closed.