ଉତ୍ତରକୋରିଆରେ ନୂଆ ନିୟମ: ଅସୁସ୍ଥ ପିଲା ସ୍କୁଲରୁ ଘରକୁ ଫେରିପାରିବେ ନାହିଁ

ଲଣ୍ଡନ:  ଏକପକ୍ଷରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ମୃତ୍ୟୁକୁ ନେଇ ଯାବତୀୟ ଖବର ପ୍ରଚାରିତ ହେଉଛି । ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରିତ ହୋଇଛି । ମାତ୍ର ସେ ମୃତ ବା ଜୀବିତ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହି ସ୍ଥିତିରେ ଉତ୍ତରକୋରିଆ ସରକାର ଏକ ବିଚିତ୍ର ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବରରେ ସ୍କୁଲ ଖୋଲାଯିବ ଓ ସବୁ ପିଲାଙ୍କୁ ସ୍କୁଲ ପଠାଇବାକୁ ଅନିବାର୍ଯ୍ୟ କରାଯାଇଛି । କୌଣସି ଅଭିଭାବକ କୌଣସି ବାହାନାରେ ପିଲାଙ୍କୁ ଘରେ ଅଟକାଇ ରଖି ପାରିବେ ନାହିଁ । ଅନ୍ୟପକ୍ଷରେ ଯେଉଁ ପିଲାମାନେ ଅସୁସ୍ଥ ଥିବେ ବା ସ୍କୁଲରେ ଅସୁସ୍ଥ ଅନୁଭବ କରିବେ ସେମାନଙ୍କୁ ଆଉ ଘରକୁ ଛନାଯିବ ନାହିଁ କିମ୍ବା ଅଭିଭାବକମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଚିକିତ୍ସା କରିପାରିବେ ନାହିଁ । ସେମାନଙ୍କୁ ସ୍କୁଲ ପାଖରେ ଅଲଗା ରଖାଯାଇ ଚିକିତ୍ସା କରାଯିବ । ଉତ୍ତରକୋରିଆ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଦେଶର ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।  ଲଣ୍ଡନରୁ ପ୍ରକାଶିତ  ‘‘ଏକ୍ସପ୍ରେସ.କୋ.ୟୁକେ’’ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣ ଆଶଙ୍କାରେ କିମ୍ ଜଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଅତୀତରେ ଉତ୍ତରକୋରିଆରେ କରୋନା ସଂକ୍ରମଣ ସଂକ୍ରାନ୍ତ କୌଣସି ଖବର ବିଶ୍ବ ନଜରକୁ ଆସିନାହିଁ । ଦେଶରେ କରୋନା ପ୍ରବେଶ କରିନାହିଁ ବୋଲି ଶାସକ କିମ୍ ଜଙ୍ଗ ବାରମ୍ବାର ଦାବି କରି ଆସୁଥିଲେ । ମାତ୍ର ଏହାପରେ ଉତ୍ତରକୋରିଆରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଦକ୍ଷିଣ କୋରିଆର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ତେବେ  ଯେତେବେଳେ କିମ୍ ଜଙ୍ଗ ଏକ ବୈଠକରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ବ ବଜାୟ ରଖୁଥିବା ନେଇ ଏକ ଫଟୋ ପ୍ରକାଶିତ ହେବା ପରେ ଉତ୍ତରକୋରିଆରେ କରୋନା ସଂକ୍ରାନ୍ତରେ କିଛି ତଥ୍ୟ ବାହାରକୁ ଆସିଥିଲା । ତେବେ ବାସ୍ତବରେ ଉତ୍ତରକୋରିଆରେ କରୋନା ସ୍ଥିତି କ’ଣ ତାହା ଏଯାଏ ମଧ୍ୟ ଜଣାପଡ଼ିନାହିଁ ।
ଇଣ୍ଟରନେସନାଲ ଫେଡ଼େରେସନ ଅଫ୍ ରେଡ଼କ୍ରସ ଜୁଲାଇ ମାସରେ ଉତ୍ତରକୋରିଆ ସୀମାନ୍ତବର୍ତୀ ଅଞ୍ଚଳରେ କରୋନା ସଂକ୍ରାନ୍ତ ସଚେତନତା ସୃଷ୍ଟି ନିମନ୍ତେ ପହଞ୍ଚିବା ପରେ ଏଠାରେ କରୋନା ସଂକ୍ରାନ୍ତ କିଛି ତଥ୍ୟ ସୂଚନା ମିଳିଥିଲା । ଲୋକମାନେ ସଂକ୍ରମିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ରିପୋର୍ଟ ସରକାର ଉଲ୍ଲେଖ କରି ନ ଥିଲେ । ତେଣୁ ଦେଶରେ କରୋନା ବ୍ୟାପିଥିବା ସ୍ପଷ୍ଟ ହୋଇ ଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସ୍କୁଲ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର । ‘‘ଏକ୍ସପ୍ରେସ.କୋ.ୟୁକେ’’ ରିପୋର୍ଟ ଅନୁସାରେ ଉତ୍ତରକୋରିଆର ସବୁ ପିଲାଙ୍କୁ ସ୍କୁଲ ଆସିବାକୁ କୁହାଯାଇଛି । ମାତ୍ର ଯଦି କୌଣସି ଛାତ୍ରଛାତ୍ରୀ ଜ୍ବର ବା ସର୍ଦିରେ ପୀଡ଼ିତ ଥିବା ଦେଖାଯାଏ ତେବେ ତାଙ୍କୁ ସ୍କୁଲରେ ଅଟକାଇ ଦିଆଯିବ । ସ୍କୁଲ ନିକଟରେ ପିଲାଙ୍କୁ ଆଇସୋଲେଟ କରି ରଖାଯିବ ଓ ପାଠ ପଢ଼ାଯିବ । ତାଙ୍କୁ ଘରକୁ ଫେରିବା ବା ଡ଼ାକ୍ତରଖାନା ଯାଇ ଚିକିତ୍ସିତ ହେବା ନିମନ୍ତେ ଅନୁମତି ମିଳିବ ନାହିଁ । ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯଦି କୌଣସି ପିଲାଙ୍କୁ ଜ୍ବର ବା ଥଣ୍ଡା ହେଲା ତେବେ ଅଭିଭାବକଙ୍କୁ ନୁହେଁ, ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଖବର ଦେବେ। ପିଲାଙ୍କୁ ସେମାନଙ୍କର ପିତାମାତା ଭେଟ କରିପାରିବେ ନାହିଁ କିମ୍ବା ଘରକୁ ନେଇ ପାରିବେ ନାହିଁ ।  ଏହାକୁ ନେଇ ଦେଶର ଅଭିଭାବକମାନେ ବେଶ ଚିନ୍ତିତ, ମାତ୍ର କିମ୍ ଜଙ୍ଗଙ୍କ ନିର୍ଦେଶକୁ ବିରୋଧ କରିବା ପାଇଁ ସେମାନଙ୍କର ସାହସ ନାହିଁ ।
ଉତ୍ତରକୋରିଆରେ କିମ୍ ପରିବାରର କଥା ନ ମାନିବାକୁ ଦେଶଦ୍ରୋହ ଭାବରେ ଗଣାଯାଏ ଓ ପୁରା ପରିବାରକୁ ଜେଲ ପଠାଇ ଦିଆଯାଇଥାଏ । ଏପରିକି ଅନେକ ସମୟରେ ଏହି ଦଣ୍ଡ ତିନି ପିଢ଼ି ପର୍ଯ୍ୟନ୍ତ ଭୋଗୁଥିବାର ଉଦାହରଣ ରହିଛି । ୩ ପିଢ଼ି ଦଣ୍ଡ ଭୋଗିବା ପରେ ପୁଣିଥରେ ବିଚାର କରାଯାଇଥାଏ ଓ ସେତେବେଳେ ଯଦି ଦେଶ (କିମ୍ ପରିବାର) ପ୍ରତି ବିଶ୍ବସ୍ତ ରହିବାର ପ୍ରମାଣ ମିଳେ ତେବେ ଯାଇ ଦଣ୍ଡରୁ ମୁକ୍ତି ମିଳିଥାଏ ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ ପ୍ରସଙ୍ଗରେ ବିଶ୍ବରେ ପଛୁଆ ଥିବା ଉତ୍ତରକୋରିଆ କିନ୍ତୁ ଶିକ୍ଷିତ ହାରରେ ବିଶ୍ବରେ ଏକନମ୍ବର ବୋଲି ଦାବି କରିଥାଏ । ଏହି ଦେଶରେ ସାକ୍ଷରତା ହାର ୧୦୦% ବୋଲି କୁହାଯାଏ । ୧୯୮୮ ମସିହାରେ ୟୁନେସ୍କୋ ଏହି ପ୍ରସଙ୍ଗରେ ଯାଞ୍ଚ କରିବା ପରେ ଏଥିରେ ସତ୍ୟତା ଥିବା ସୂଚନା ଦେଇଥିଲା । ଦେଶରେ ଶିକ୍ଷକ ସଂଖ୍ୟା ଓ ଅନୁପାତ ହାର ବେଶ୍ ଅଧିକ ଏବଂ ପ୍ରାକ୍ -ପ୍ରାଥମିକଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ଅନ୍ୟ ଦେଶ ଅପେକ୍ଷା ବେଶୀ ଓ ଶିକ୍ଷିତ ହାର ମଧ୍ୟ ୧୦୦%।

Comments are closed.