ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜବାନଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା: ସିଆରପିଏଫରେ ଚାକିରି କରୁଥିବା ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହର ବାସିନ୍ଦା କମଳାକାନ୍ତ ରୋହିଦାସ(୨୫) ଛତିଶଗଡ଼ ସୁକମା ନିଜ କ୍ୟାମ୍ପରେ ଆତ୍ମହତ୍ୟା କରିଛନ୍ତି। ନିଜ ସର୍ଭିସ ରିଭଲବରରୁ ଗୁଳିକରି ​ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ।
ସୂଚନାନୁସାରେ କମଳାକାନ୍ତ ୨୦୧୭ ମସିହାରେ ସିଆର୍‌ପିଏଫ୍‌ରେ ଯୋଗଦେଇ ଝାଡଖଣ୍ଡରେ ନିଯୁକ୍ତି ପାଇଥିଲେ। ଏହାର କିଛିଦିନ ପରେ ଛତିଶଗଡ଼ର ସୁକମା ଜିଲାକୁ ତାଙ୍କର ବଦଳି ହୋଇଥିଲା। ଦଶହରା ସମୟରେ ଛୁଟି ନେଇ ଘରକୁ ଆସିଥିଲେ ଓ ମାତ୍ର ୩ଦିନ ଆଗରୁ କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ। ଗତରାତିରେ ଡୋରାନ୍‌ ପାଲ୍‌ କ୍ୟାମ୍ପରେ ଥିବା ବେଳେ ନିଜ ସର୍ଭିସ ରିଭଲଭର୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ସୁକମା ପୁଲିସ କମଳାକାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇ ବ୍ରଜରାଜନଗର ଅଭିମୁଖେ ପ୍ରେରଣ କରିଥିବା ଜଣାଯାଇଛି । ସୁକମା ଏସପି କେ.ଏଲ୍ ଧ୍ରୁବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କମଳାକାନ୍ତଙ୍କ ଫୋନ ରେକର୍ଡ ଆଧାରରେ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ପ୍ରେମ ପ୍ରସଙ୍ଗ ଯୋଗୁଁ ଆତ୍ମହତ୍ୟା କରୁଥିବା ଜଣାଯାଇଛି ବୋଲି ପୁଲିସ କହିଛି।

Comments are closed.