ବନ୍ଧୁକରୁ ଗୁଳି ଫୁଟି ସିଆରପିଏଫ୍ ଯବାନ ମୃତ

ସମ୍ବଲପୁର: ଯୁଜୁମୁରା ସିଆରପିଏଫ୍ କ୍ୟାମ୍ପରେ ଏକ ବଡ ଧରଣର ଅଘଟଣ ଘଟିଛି। ବନ୍ଧୁକରୁ ଗୁଳି ଫୁଟି ସିଆରପିଏଫର ଜଣେ ଯବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନାରୁ ଜଣାପଡିଛି, ୧୨ ବାଟାଲିଅନର ଯବାନ ବୁଟା ସିଂ ମଙ୍ଗଳବାର ଅପରାହ୍ନ ସମୟରେ ଖାଇ ସାରିବା ପରେ ତାଙ୍କ ସର୍ଭିସ ବନ୍ଧୁକ ଇନସାସ ରାଇଫଲରୁ ନିଜ ମୁହଁକୁ ବ୍ରଷ୍ଟ ଫାୟାର କରିଥିଲେ। ସମ୍ବଲପୁର ଜିଲ୍ଲା ଯୁଜୁମୁରା କ୍ୟାମ୍ପରେ ସେ ନିଜକୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଅଣା ଯାଇଥିଲା, ମାତ୍ର ବୁର୍ଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯବାନ ଜଣକ ବୁର୍ଲା ଫାଇରିଙ୍ଗ ରେଞ୍ଜକୁ ପ୍ରାକ୍ଟିସ କରିବା ପାଇଁ ଆସି ଅପରାହ୍ନ ପାୟ ୧୨ଟାରେ କ୍ୟାମ୍ପକୁ ପେରିଥିଲେ। ଯବାନଙ୍କ ନିକଟରେ ତାଙ୍କ ମୋବାଇଲ ପଡି ରହିଥିବାରୁ ସେ କାହା ସାଙ୍ଗରେ ବାର୍ତ୍ତାଳାପ କରୁଥିବା ସମୟରେ ଏହି ଘଟଣା ଭିଆଇଥିବା ଅନୁମାନ କରାଯାଉଛି। ବ୍ରଷ୍ଟ ଫାୟାରରେ ପ୍ରାୟ ତିନୋଟି ଗୁଳି ଏକ ସଙ୍ଗରେ ବାହାରିଥାଏ। ଏହି ଘଟଣା ପଛର ରହସ୍ୟ ଉନ୍ମୋଚିତ ହୋଇ ନ ଥିବା ବେଳେ ବୁର୍ଲା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।

Comments are closed.