ସିଆରପିଏଫ ଡ଼ିଜିଙ୍କୁ ଛତିଶଗଡ଼ ଯାଇ ପରିସ୍ଥିତି ଆକଳନ ପାଇଁ ନିର୍ଦ୍ଦେଶ

ଛତିଶଗଡର ବିଜାପୁର ଏବଂ ସୁକମା ସୀମାରେ ସୁରକ୍ଷା ବାହିନୀ ଉପରେ ନକ୍ସଲ ଆକ୍ରମଣ ପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଦିନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ ଆଲୋଚନା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେବା ସହ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ମହାନିର୍ଦ୍ଦେଶକ କୁଲଦୀପ ସିଂଙ୍କୁ ଛତିଶଗଡ ପରିଦର୍ଶନ କରି ସ୍ଥିତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଛତିଶଗଡ ନକ୍ସଲ ଆକ୍ରମଣ ଘଟଣାରେ ଆଜି ଅଧିକ ୧୯ଟି ମୃତଦେହ ଉଦ୍ଧାର ହେବାପରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି।ନିଖୋଜ ସୁରକ୍ଷାକର୍ମୀଙ୍କୁ ଖୋଜିବା ପାଇଁ ଏନକାଉଣ୍ଟର ସାଇଟକୁ ସର୍ଚ୍ଚ ପାର୍ଟି ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟୁଇଟ୍ ବାର୍ତ୍ତାରେ କହିଛନ୍ତି ଯେ ଛତିଶଗଡରେ ମାଓବାଦୀଙ୍କ ସହ ଲଢ଼ୁଥିବା ବେଳେ ଶହୀଦ ହୋଇଥିବା ଆମର ସାହସୀ ସୁରକ୍ଷା କର୍ମୀଙ୍କ ବଳିଦାନକୁ ମୁଁ ପ୍ରଣାମ କରୁଛି। ଜାତି ସେମାନଙ୍କ ବୀରତ୍ୱକୁ କେବେବି ଭୁଲି ପାରିବ ନାହିଁ। ସେମାନଙ୍କ ପରିବାର ସହିତ ମୋର ସମବେଦନା ରହିଛି। ଶାନ୍ତି ଏବଂ ପ୍ରଗତିର ଏହି ଶତ୍ରୁମାନଙ୍କ ବିରୁଦ୍ଧରେ ଆମେ ଆମର ସଂଗ୍ରାମ ଜାରି ରଖିବା।

୧୦ ଦିନ ମଧ୍ୟରେ ପୋଲିସ୍ ଫୋର୍ସ ଉପରେ ହୋଇଥିବା ଏହି ଦ୍ୱିତୀୟ ଆକ୍ରମଣରେ ପ୍ରତିବନ୍ଧିତ ସିପିଆଇର ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (ପିଏଲଜିଏ) କମାଣ୍ଡର ହିଡମାଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ସନ୍ଦେହ କରାଯାଉଛି। ରାଜ୍ୟରେ ହୋଇଥିବା ଅନେକ ଆକ୍ରମଣରେ ସେ ସମ୍ପୃକ୍ତ ଅଛି ଏବଂ ବିଶେଷ କରି ୨୦୧୩ରେ ହୋଇଥିବା ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ଘଟଣାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଉଛି।

Comments are closed.