ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ରୋକିବାକୁ ଟିସ୍‍ ଓ ଏମ୍ସର ସହାୟତା

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ(ସିଆରପିଏଫ୍‍)ରେ ଯବାନଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧିପାଉଛି। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ସେମାନଙ୍କୁ ଅବସାଦ ଗ୍ରାସ କରୁଛି। ଏ ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିବା ସହ ପ୍ରତିକାର ପାଇଁ ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ ସାଇନ୍ସ(ଟିସ୍‍) ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ସହାୟତାରେ କିଭଳି କାର୍ଯ୍ୟଚାପ ଓ ସୁସ୍ଥ ଜୀବନ ଧାରଣ ମଧ୍ୟରେ ତାଳମେଳ ରଖିହେବ ସେ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ଯବାନଙ୍କ ମାନସିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଏଭଳି ପ୍ରଥମ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ମହାନିର୍ଦେଶକ ଆର.ଆର ଭଟନାଗର।
ସିଆରପିଏଫ୍‍ ହେଉଛି ଦେଶର ସର୍ବବୃହତ୍‍ ଅର୍ଦ୍ଧସାମରିକ ବାହିନୀ; ଯାହା ଯୁଦ୍ଧଠାରୁ ଶାନ୍ତିରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ନିୟୋଜିତ ହୋଇଥାଏ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ସେମାନେ କାର୍ଯ୍ୟ ନିର୍ବାହ କରିଥାନ୍ତି। ଆଇନଶୃଙ୍ଖଳା ରକ୍ଷା ସମୟରେ ବା ଉଗ୍ରବାଦୀଙ୍କ ମୁକାବିଲା ସମୟରେ ଯେତିକି ଯବାନ ସହିଦ ହୋଇ ଥାଆନ୍ତି ତା’ଠାରୁ ୧୫ଗୁଣ ଅଧିକ ଯବାନ ଅବସାଦ କାରଣରୁ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ବା ଆତ୍ମହତ୍ୟା କରିଥାଆନ୍ତି। ତଥ୍ୟାନୁସାରେ, ଗତ ବର୍ଷକ ମଧ୍ୟରେ ହୃଦ୍‍ଘାତରେ ୧୫୬ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅବସାଦର ଶିକାର ହୋଇଛନ୍ତି ୩୮ ଓ ଅନ୍ୟାନ୍ୟ କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୩୫ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ବର୍ଷ (୨୦୧୬) ହୃଦ୍‍ଘାତରେ ୯୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୬ଜଣ ଆତ୍ମହତ୍ୟା କରିଥିଲେ ଓ ୩୫୩ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିଲା।
ଏଭଳି ଅବସ୍ଥାରେ ବାହିନୀର ୩ ଲକ୍ଷରୁ ଊର୍ଦ୍ଧ୍ବ ଯବାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶଦାତା (କାଉନ୍‍ସେଲର୍‍) ନିଯୁକ୍ତି ଦିଆଯାଉଛି ଓ ପ୍ରଥମ ଦଫା କାଉନ୍‍ସେଲରଙ୍କ ତାଲିମ ଜାରି ରହିଥିବା ଭଟନାଗର କହିଛନ୍ତି। ଏହାକୁ ଏକ ପାଇଲଟ୍‍ ପ୍ରୋଜେକ୍ଟ ଭାବେ ହାତକୁ ନିଆଯାଇଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମନସ୍ତତ୍ତ୍ୱବିତ୍‍ ଓ ମାନସିକ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ଯବାନମାନଙ୍କୁ ପରାମର୍ଶ ଦେବା ସହ ଆବଶ୍ୟକସ୍ଥଳେ ଚିକିତ୍ସା କରୁଛନ୍ତି। ଏଥିରୁ ସୁଫଳ ମିଳୁଥିବା ଭଟନାଗର କହିଛନ୍ତି। କାଉନ୍‍ସେଲରମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି କରାଯିବ ଓ ଯବାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପ୍ରକ୍ରିୟା ବ୍ୟାପକ କରାଯିବା ବୋଲି ସେ ସୂଚନା ଦେଇଛନ୍ତି।

Leave A Reply