୨୩ ଦିନହେଲା ବାହାରେ ଅସୁରକ୍ଷିତ ଭାବେ ବୁଲୁଛି ଘଡିଆଳ

ବନ ବିଭାଗକୁ ଘାରିଛି ସୁରକ୍ଷା ଚିନ୍ତା, ମାଛ ଧରାକୁ ବାରଣ

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡ ଅଭୟାରଣ୍ୟ ସୁନାଖଣିଆ କୋର ଏରିଆରୁ ଗତ ଜାନୁୟାରୀ ୧୯ରୁ ଗୋଟିଏ ଘଡିଆଳ କୁମ୍ଭୀର ୨୩ଦିନ ହେଲା ବାହାରେ ବୁଲୁଛି। ବର୍ତ୍ତମାନ କୁମ୍ଭୀରଟି କୋର ଏରିଆଠାରୁ ୨୭ କିଲୋମିଟର ଦୂର ମହାନଦୀ ଉପରଭାଗରେ ରହିଥିବା ପୁରୁଣାକଟକ ଫରେଷ୍ଟ ରେଞର ସଦଲଗଣ୍ଡା ମହାନଦୀ ଘାଟରେ ରହିଥିବା ଜଣାପଡ଼ିଛି।କୁମ୍ଭୀରର ସୁରକ୍ଷାକୁ ନେଇ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ଦୀଘ ୨୩ଦିନ ହେଲା ନାକେଦମ୍‍ ହେଲାଣି।ବର୍ତ୍ତମାନ ଆରାଗଡ ସଂରକ୍ଷିତ ଜଙ୍ଗଲର ସଦଲଗଣ୍ଡା ମହାନଦୀ ଘାଟରେ ବନକର୍ମଚାରୀମାନେ କୁମ୍ଭୀରର ଗତିବିଧି ଉପରେ କଡା ନଜର ରଖି ଜଗିରହିଛନ୍ତି। ଘଡିଆଳ ପାଇଁ ମାଛଧରା ଜାଲ କାଳ ହୋଇଥିବାରୁ ଏହି ଅଞ୍ଚଳରେ ଜାଲ ସାହାଯ୍ୟରେ ମାଛଧରାକୁ ବନବିଭାଗ ବାରଣ କରିଛି। ଏହା ସହିତ ଏ ସଂର୍ପକରେ ପାଣିଘରା ଗ୍ରାମର ମାଛଧରାଳିଙ୍କ ସହିତ ବନବିଭାଗ ଆଲୋଚନା ମାଧ୍ୟମରେ ସଚେତନ କରୁଥିବା ମଧ୍ୟ ଜଣାପଡ଼ିଛି।ଗୋଟିଏ ପଟେ ମାଛଧରା ବାରଣ ଯୋଗୁଁ ମତ୍ସଜୀବିମାନଙ୍କ ଜୀବିକା ଉପରେ ପ୍ରଭାବ ପଡୁଥିବା ବେଳେ ଅନ୍ୟପଟେ ଜାଲରୁ କୁମ୍ଭୀରକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଆପ୍ରାଣ ଚେଷ୍ଟା ଚଳାଇଛି।ଏଭଳି ଏକ ଘଡିସନ୍ଧି ପରିସ୍ଥିତିରେ ବନ ବିଭାଗ ଅକୁଆଡରେ ପଡ଼ିଥିବାବେଳେ ଘଡିଆଳର ସୁରକ୍ଷା ଦୃଷ୍ଟିରୁ ପୁର୍ନବାର କୁମ୍ଭୀରଟିକୁ ଏଠାରୁ କାବୁ କରାଯାଇ କୋର ଏରିଆକୁ ଫେରାଇନେବାକୁ ବୁଦ୍ଧିଜୀବୀ ,ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଦାବୀ ଉଠୁଛି। ଏ ଦିଗରେ ସାତକୋଶିଆ ମହାନଦୀ ଗଣ୍ଡ ଅଭୟାରଣ୍ୟର ଡି.ଏଫ.ଓ ଏବଂ ନୟାଗଡ ବନ୍ୟପ୍ରାଣୀ ବିଭାଗ ଡି.ଏଫ.ଓ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ସୂଚନା ଥାଉ କି ଗତ ଜାନୁୟାରୀ ୫ ତାରିଖରେ ୬ଟି ଘଡିଆଳ କୁମ୍ଭୀର ନନ୍ଦନକାନନରୁ ଅଣାଯାଇ କୁଶଙ୍ଗ ବନ୍ୟପ୍ରାଣୀ ରେଞର ସୁନାଖଣିଆ ମହାନଦୀରେ ଛଡାଯାଇଥିଲା। ସମସ୍ତଙ୍କ ଲାଞରେ ସେମାନଙ୍କ ଗିତିବିଧି ଅନୁଧ୍ୟାନ ପାଇଁ ଭି.ଏଚ.ଏଫ ଖଞା ଯାଇଥିଲା। ଦୁର୍ଭାଗ୍ୟବଶତଃ ସେଥିରୁ ଗତ ଜାନୁୟାରୀ ୧୧ରେ ଗୋଟିଏ ପୁରୁଷ ଘଡିଆଳର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଘଡିଆଳ ମଧ୍ୟ ସେଦିନଠାରୁ କୋର ଏରିଆ ବାହାରକୁ ଚାଲିଯାଇ ୨୩ ଦିନହେଲା ବାହାରେ ବୁଲୁଛି। ଫଳରେ ଘଡିଆଳ ବଂଶ ବୃଦ୍ଧି ପାଇଁ ବନ୍ୟପ୍ରାଣୀ ବିଭାଗ ନନ୍ଦନକାନନରୁ ବିଭିନ୍ନ ପର୍ଯ୍ୟ୍ୟାରେ ୨୦ରୁ ଅଧିକ ଘଡିଆଳ ଛାଡିସାରିଥିବାବେଳେ କେଉଁ କାରଣରୁ ପ୍ରାକୃତିକ ପରିବେଶରେ ଏମାନଙ୍କ ଗତିବଦ୍ଧି ଖାପଖାଉନି ତାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କ ଆକଳନ ମଧ୍ୟ ଫେଲ ମାରିଥିବା କୁହାଯାଉଛି।

Comments are closed.