କୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ବନ୍ଦ

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ ଗଣନା କରାଯିବ। ଏହି ଗଣନାରେ ଫରେଷ୍ଟର, ଫରେଷ୍ଟଗାର୍ଡଙ୍କ ସହ କର୍ମଚାରୀମାନେ ଅଂଶଗ୍ରହଣ କରିବେ। କୁମ୍ଭୀର ବିଶାରଦ ତଥା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଗଣନା କରାଯିବ ବୋଲି ଜଣାପଡ଼ିଛି। ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି। ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି, ଗହୀରମଥା ରେଞ୍ଜରେ ୨ଟି ଓ ମହାକାଳପଡା ରେଞ୍ଜରେ ୨ଟି ଦଳ ଗଠନ କରାଯାଇଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶ ସୁଚନା ଦେଇଛନ୍ତି।

Comments are closed.