ଆଇସିୟୁରେ ଉନ୍ନତମାନର ଚିକିତ୍ସା ​‌ସେବା ଯୋଗାଇବା ଡାକ୍ତରମାନଙ୍କ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ବିଭିନ୍ନ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ କ୍ରିଟିକାଲ କେୟାର ୟୁନିଟରେ ଯଥାଶୀଘ୍ର ଉନ୍ନତ ଚିକିତ୍ସା ସେବା ଯୋଗାଇ ସେମାନଙ୍କ ଜୀବନ ରକ୍ଷା କରିବା ଡାକ୍ତରମାନଙ୍କ ପ୍ରମୁଖ ଦାୟିତ୍ବ। କ୍ରିଟିକାଲ କେୟାର ୟୁନିଟରେ ରୋଗୀଙ୍କୁ ଯେଭଳି ଉପଯୁକ୍ତ ଚିକିତ୍ସା ସେବା ମିଳେ ସେଥିପ୍ରତି ଦାୟିତ୍ବରେ ଥିବା ଡାକ୍ତରମାନେ ଧ୍ୟାନ ଦେବା ଆବଶ୍ୟକ। ଜୀବନ ମରଣ ସମସ୍ୟାରେ ଥିବା ରୋଗୀ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ବେଶ ସହାୟକ ହୋଇଥାଏ। ଏହା ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀର ଜୀବନ ରକ୍ଷା କରିଥାଏ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ରୋଗୀଙ୍କ ନିମନ୍ତେ ଗୁଣାତ୍ମକ ଚିକିତ୍ସା ପଦ୍ଧତି, ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ଏବଂ କ୍ରିଟିକାଲ କେୟାର ଶିକ୍ଷାର ବିନିମୟ ନେଇ ଶନିବାର ଭୁବନେଶ୍ବରରେ କ୍ରିଟିକାଲ କେୟାର ଡାକ୍ତର ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିବ।

ସମ୍ମିଳନୀରେ ଯୋଗଦେଇ କ୍ରିଟିକାଲ କେୟାର ସୋସାଇଟିର ଅଧ୍ୟକ୍ଷା ଡକ୍ଟର ଶର୍ମିଳୀ ସିହ୍ନା କହିଛନ୍ତି, କ୍ରିଟିକାଲ କେୟାର ପାଇଁ ରାଜ୍ୟର ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଉପଲବ୍ଧ ଆଇସିୟୁରେ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ଆବଶ୍ୟକ। ଏଥିପ୍ରତି କର୍ତ୍ତୃପକ୍ଷ ଅଧିକ ଗୁରୁତ୍ବ ଦେଲେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଆଇସିୟୁରେ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଜେଡି ମୁଖପାତ୍ର ତଥା କ୍ରିଟିକାଲ କେୟାର ବିଶେଷଜ୍ଞ ହରିଶ ଚୌଧୁରୀ ଆଲୋକପାତ କରିଥିଲେ।

ଜୀବନ ମରଣ ସମସ୍ୟାରେ ଥିବା ରୋଗୀଙ୍କୁ ଆଇସିୟୁ ବା କ୍ରିଟିକାଲ ୟୁନିଟରେ ଭର୍ତ୍ତି କରାଯାଏ। ସେଠାରେ ରୋଗୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ପଦ୍ଧତିରେ ଚିକିତ୍ସା ସେବା ଯୋଗାଇ ଦିଆଯାଏ। ସଂପ୍ରତି ଦୁର୍ଘଟଣାରେ ଗୁରୁତର ଭାବେ ଆହତଙ୍କ ବ୍ୟତୀତ କ୍ୟାନସର ଓ ଡାଇବେଟିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି। ଏହାକୁ ଧ୍ୟାନ ଦେଇ ବିଭିନ୍ନ ଚିକିତ୍ସାଳୟରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଅନେକ ସମୟରେ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ହେଲେ ଲୋକେ ଗୁଣାତ୍ମକ ଚିକିତ୍ସା ନେଇ ପ୍ରଶ୍ନ ଉଠାଉଛନ୍ତି। ଆଇସିୟୁରେ ଗୁଣାତ୍ମକ ଚିକିତ୍ସା ସେବା ପ୍ରସଙ୍ଗରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି।

ସମ୍ମିଳନୀରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରୁ ଆସିଥିବା ପ୍ରାୟ ୨୫୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ ସିବିକେ ମହାନ୍ତି, ବିଶେଷଜ୍ଞ ସମୀର ସାହୁ, ବାନାମ୍ବର ରାୟ, ସୋସାଇଟିର ସମ୍ପାଦକ ଶରତ ବେହେରା ପ୍ରମୁଖ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆୟୋଜିତ ବୈଜ୍ଞାନିକ ବକ୍ତୃତା, ଭେଣ୍ଟିଲେଟର କର୍ମଶାଳା, କ୍ରିଟିକାଲ କେୟାର ଅଲଟ୍ରାସାଉଣ୍ଡ କର୍ମଶାଳାରେ ବହୁ ନବାଗତ ଡାକ୍ତର ଅଂଶ ଗ୍ରହଣ କରିଥିଲେ। ଯୁବ ଡାକ୍ତରଙ୍କ ପ୍ରତିଭା ଅନ୍ବେଷଣ ସହ ବରିଷ୍ଠ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋସାଇଟିର କାର୍ୟ୍ୟକାରୀ ସମ୍ପାଦକ ଧନ୍ୟବାଦ ଅର୍ପଣ କରି କ୍ରିଟିକାଲ କେୟାର ଶିକ୍ଷାରେ ସରକାରଙ୍କ ସହଯୋଗ କାମନା କରିଥିଲେ।

Comments are closed.