ପୁଲିସ ସମ୍ମୁଖରେ ବଳାତ୍କାର ପୀଡ଼ିତାଙ୍କ ବାପାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା

କାନପୁର: ଉତ୍ତର ପ୍ରଦେଶକୁ ଛାଡ଼ିବ ନାହିଁ ବଳାତ୍କାର ଓ ହତ୍ୟା ଅପରାଧ। ବୁଧବାର କାନପୁର ନିକଟରେ ଏମିତି ଏକ ଅପରାଧ ଘଟିଛି ଯାହା ଉନାଓ ଓ ହାତରସ୍‌ଠାରୁ ବି କମ୍‌ ନୁହେଁ। ଗଣବଳାତ୍କାର ହୋଇଥିବା ଝିଅକୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ଆଣିଥିବା ବାପାଙ୍କୁ ଦୁର୍ବୃତ୍ତମାନେ ଟ୍ରକ୍‌ ଚଢ଼ାଇ ହତ୍ୟା କରିଛନ୍ତି। ପୀଡ଼ିତା ନାବାଳିକା ସହିତ ଡାକ୍ତରଖାନାରୁ ଫେରୁଥିବାବେଳେ ପୁଲିସ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି; ଯାହାକୁ ଦୁର୍ଘଟଣା ରୂପ ଦେବା ଉଦ୍ୟମ ହେଉଛି। ପୂର୍ବରୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ତିନି ଯୁବକ ପୀଡ଼ିତା ଓ ତାଙ୍କ ବାପାଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ପୁଲିସ ଏହି ଘଟଣାକୁ ଦୁର୍ଘଟଣା ଦର୍ଶାଇ ମାମଲା ରୁଜୁ କରିଥିବାବେଳେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ପୁଲିସର ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦ ସ୍ବରୂପ ବୁଧବାର ସ୍ଥାନୀୟ ଜନତା ନ୍ୟାୟ ପାଇଁ କାନପୁର-ସାଗର ରାଜପଥ ଅବରୋଧ କରିଥିଲେ।
ପୁଲିସ ସୂଚନାନୁଯାୟୀ ବଳାତ୍କାର ଅଭିଯୁକ୍ତ ଦୀପୁ ଯାଦବ ଓ ତା’ର ଭାଇ ସୌରଭ ଯାଦବ ସହ ସାଙ୍ଗ ଗୋଲୁ ଯାଦବଙ୍କ ନାମରେ ମାମଲା ରୁଜୁ ହୋଇଛି। ଦୀପୁ ଓ ସୌରଭ ପୁଲିସ ସବ୍‌- ଇନ୍ସପେକ୍ଟର ଦେବେନ୍ଦ୍ର ଯାଦବଙ୍କ ପୁଅ ବୋଲି ସ୍ଥାନୀୟ ଏସ୍‌ପି ସ୍ବୀକାର କରିଛନ୍ତି। ସୂଚନାନୁଯାୟୀ, ସୋମବାର ସଜେତି ଅଞ୍ଚଳର ୧୩ବର୍ଷୀୟା ନାବାଳିକା ଗୋଖାଦ୍ୟ ସଂଗ୍ରହ ପାଇଁ ଯାଇଥିବାବେଳେ ଏହି ତିନି ଅଭିଯୁକ୍ତ ତାଙ୍କୁ ଅପହରଣ କରିନେଇ ରାତିସାରା ବଳାତ୍କାର କରିଥିଲେ। ଏହି ଘଟଣା ପ୍ରଘଟ କଲେ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ; କିନ୍ତୁ ପରଦିନ ସକାଳେ ପୀଡ଼ିତା ଘରକୁ ​‌େ‌ଫରି ସବୁ କଥା କହିଥିଲା। ମଙ୍ଗଳବାର ପୀଡ଼ିତାଙ୍କ ବାପା ଥାନାକୁ ଯିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇବା ଉଦ୍ୟମ କରି ବିଫଳ ହୋଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମାମଲା ରୁଜୁ ହୋଇଥିଲା। ରାତି ୧୨ଟାରେ ପୁଲିସ ଯୁବତୀଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ଡାକ୍ତରଖାନା ନେଇଥିଲା। ରାତି ପ୍ରାୟ ୨ଟା ରେ ପୀଡ଼ିତାଙ୍କ ଯାଞ୍ଚ ହେବା ପରେ ପୁଲିସ ପୀଡିତା ଓ ସାଙ୍ଗରେ ଥିବା ତାଙ୍କ ବାପାକୁ ନେଇ ଥାନାକୁ ଯାଇଥିଲା। ବୁଧବାର ସକାଳୁ ପୁଲିସ ବାପ-ଝିଅଙ୍କୁ ଗାଡ଼ିରେ ବସାଇ ଘାଟମପୁର ଯାଇଥିଲା। ମୁଗଲ ରୋଡ଼ସ୍ଥିତ ଡାକ୍ତରଖାନା ସମ୍ମୁଖରେ ସେମାନେ ପୁଲିସ ଗାଡ଼ିରୁ ଓହ୍ଲାଉଥିବାବେଳେ ଏକ ଟ୍ରକ ଆସି ପୀଡିତାଙ୍କ ବାପାକୁ ଚାପି ଦେଇଥିଲା। ଅପରପକ୍ଷରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସପି ବିରାଜେଶ ଶ୍ରୀବାସ୍ତବ କହିଛନ୍ତି।

Comments are closed.