କଳୁଷିତ ରାଜନୀତି ; ସୁପ୍ରିମକୋର୍ଟଙ୍କ ନିର୍ଦେଶ ଯଥେଷ୍ଟ ନୁହେଁ

ରାଜନୀତିରେ ଅପରାଧୀ ସାମିଲ ହେଲେ କିମ୍ବା ତାହାକୁ ସେମାନେ ନିୟନ୍ତ୍ରଣ କଲେ ଗଣତନ୍ତ୍ର ବିପନ୍ନ ହୋଇଥାଏ। ସେଥିପାଇଁ ଅପରାଧୀଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରଖିବାର ବ୍ୟବସ୍ଥା ରହିଛି। ଦୁଇବର୍ଷରୁ ଅଧିକ ଜେଲ ଭୋଗୀଥିଲେ କୌଣସି ଅପରାଧୀ ନିର୍ବାଚନ ରାଜନୀତିରେ ସିଧାସଳଖ ସଂପୃକ୍ତ ହୋଇପାରିବେ ନାହିଁ ବୋଲି ଭାରତୀୟ ଲୋକପ୍ରତିନିଧି ଆଇନରେ ବ୍ୟବସ୍ଥା ରହିଛି। ତେବେ ଏପରି ଅନେକ ବାହୁବଳୀ ଓ ବିତ୍ତଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥାଇ ମଧ୍ୟ ଲୋକପ୍ରତିନିଧି ହେଉଛନ୍ତି। ଏଥିରେ ଆମ ଆଇନଗତ ବ୍ୟବସ୍ଥାର ଦୁର୍ବଳତା ସେମାନଙ୍କୁ ସୁହାଉଛି। ଲୋକ ପ୍ରତିନିଧି ଆଇନ ଅନୁସାରେ ଜଣେ ଯେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ନ’ହୋଇଛି, ତା’ନାମରେ ଯେତେ ଗୁରୁତର ଅଭିଯୋଗ ଥାଉ ପଛକେ ତାଙ୍କୁ ଅପରାଧୀ ବା ଦାଗୀ କୁହାଯାଇ ପାରିବ ନାହିଁ। ଦାଗୀ ଶବ୍ଦର ସରଳ ଓଡ଼ିଆ ହେଲା ଅପରାଧ ପାଇଁ ଦଣ୍ଡିତ ହୋଇଥିବା ବ୍ୟକ୍ତି। ଏବେ ଯେଉଁ ଦାଗୀ ଶବ୍ଦ ସାଧାରଣତଃ ବ୍ୟବହୃତ ହେଉଛି ତାହାର ଇଂରାଜୀ ‘ଟେଣ୍ଟେଡ’ ବା କଳଙ୍କିତ। ବାସ୍ତବରେ କୌଣସି ଦଣ୍ଡିତ ଜଘନ୍ୟ ଅପରାଧୀ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଉନାହାନ୍ତି। ସୁପ୍ରିମକୋର୍ଟ ଯେଉଁ ଅର୍ଥରେ ଏଇ ଟେଣ୍ଟେଡ ନେତାଙ୍କ କଥା କହୁଛନ୍ତି ତାହା ହେଲା ଗୁରୁତର ବା ସଂଗିନ ଅପରାଧ ଅଭିଯୋଗଥିବା ବ୍ୟକ୍ତି। ତେଣୁ ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ନ’ହୋଇଛି ସେ ଯାଏ ଆଇନତଃ ତାକୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିହେବ ନାହିଁ। ଆମ ବିଚାର ବ୍ୟବସ୍ଥା ଉଭୟ ଦୀର୍ଘସୂତ୍ରୀ (ଅଳସୁଆ) ଓ ଦୀର୍ଘମିଆଦୀ। ତେଣୁ ସଂଗିନ ଅପରାଧର ଅଭିଯୋଗ ସତ୍ତ୍ବେ ଅନେକ ଗୁଣ୍ଡା ଓ ଦୁଷ୍ଟପ୍ରବୃତ୍ତିର ଲୋକ ରାଜନୀତି କରିବାର ସୁଯୋଗ ପାଉଛନ୍ତି। ଏହା ମଧ୍ୟ ରାଜନୀତିର ଅପରାଧିକରଣ ବୃଦ୍ଧିରେ ସହାୟକ ହେଉଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।
ସେ ଦୃଷ୍ଟିରୁ ସୁପ୍ରିମକୋର୍ଟ ଗୁରୁତର ଅପରାଧ ମାମଲା ଥିବା ନେତା ବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରଖିବାକୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଗଣତନ୍ତ୍ରକୁ ନିର୍ମଳ କରିବା ସହ ଆପରାଧିକ ପୃଷ୍ଠଭୂମିର ଲୋକଙ୍କୁ ଏଥିରୁ ଦୂରେଇ ରଖିବା ନିମନ୍ତେ ଏହା ଅବଶ୍ୟ ଏକ ଭଲ ପ୍ରୟାସ। ଏଥିପାଇଁ ସର୍ବୋଚ୍ଚ ଅଦାଲତ ନେତାମାନଙ୍କ ସଂପୂର୍ଣ୍ଣ ଅାପରାଧିକ ବିବରଣୀ ଲୋକଙ୍କୁ ଜଣାଇବାକୁ ସବୁ ରାଜନୈତିକ ଦଳଙ୍କୁ ନିର୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ କେବଳ ବିଜୟ ସମ୍ଭାବନା ଆଧାରରେ କୌଣସି ଗୁରୁତର ଅାପରାଧିକ ମାମଲାରେ ସଂପୃକ୍ତ ଥିବା ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିପାରିବ ନାହିଁ। ଏହାଛଡ଼ା କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ଓ କାହିଁକି ସେମାନେ ପ୍ରାର୍ଥୀ ହେବାକୁ ଯୋଗ୍ୟ ତାହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ରାଜନୈତିକ ଦଳମାନଙ୍କୁ ଶୀର୍ଷ ଅଦାଲତ କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ଦୃଷ୍ଟିଭଙ୍ଗୀ ଓ ରାଜନୀତିକୁ ନିର୍ମଳ କରିବାକୁ ଚେଷ୍ଟା କରୁଥିବା ପକ୍ଷଙ୍କର ଏହି ଆଭିମୁଖ୍ୟ ସ୍ବାଗତଯୋଗ୍ୟ ନିଶ୍ଚିତ; କିନ୍ତୁୁ ଆମ ବ୍ୟବସ୍ଥା ଓ ଆଇନକାନୁନ୍‌ ଯାହା ସେଥିରେ ସର୍ବୋଚ୍ଚ ଅଦାଲତଙ୍କ ଏଇ ଛାଟ ଯେ କାମ କରିବ ସେ ସମ୍ଭାବନା କମ୍‌ ଦିଶୁଛି।
ଲୋକପ୍ରତିନିଧି ଆଇନର ସଂଶୋଧନ ଓ କାର୍ଯ୍ୟକାରିତା ବିଧାନପାଳିକାର କାର୍ଯ୍ୟ। ଏ ସଂକ୍ରାନ୍ତ ଆଇନର ସଂଶୋଧନ କରିବାକୁ ହେଲେ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ା। ସଂସଦରେ ସଂଖ୍ୟାଗରିଷ୍ଠ ଦଳ ବା ମେଣ୍ଟ ଚାହିଁଲେ ଏ ସମ୍ପର୍କରେ ଆଇନ ପ୍ରଣୟନ ବା ସଂଶୋଧନ କରିପାରିବେ। ବାସ୍ତବତାଟି ହେଲା ଆମ ରାଜନୈତିକ ବ୍ୟବସ୍ଥାରେ ସବୁ ଦଳ ଧନବଳ ଓ ବାହୁବଳକୁ ଅଗ୍ରାଧିକାର ଦେଇଥାନ୍ତି। ଏଇ ଦୁଇଟି ଶକ୍ତି ବିନା କୌଣସି ରାଜନୈତିକ ଦଳ ତିଷ୍ଠିବା ସହଜ ନୁହେଁ। କଳେବଳେ କଉଶଳେ ବିଜୟ ହାସଲ କରିବାରେ ଧନ ଓ ବାହୁବଳର ଆବଶ୍ୟକତା ସବୁୁଠୁୁ ଅଧିକ। ଅପରାଧୀମାନେ ଆଜିକାଲି କେବଳ ବାହୁବଳୀ ନୁହନ୍ତି ସେମାନେ କୁବେର ମଧ୍ୟ। ତେଣୁ ଦଳର ଦୈନନ୍ଦିନ କାର୍ଯ୍ୟପରିଚାଳନାଠାରୁ ନିର୍ବାଚନ ଜିତିବା ପର୍ଯ୍ୟନ୍ତ ଯେଉଁ ‘ଅସଲ ଶକ୍ତି’ର ଆବଶ୍ୟକତା ରହିଛି ତାହା ହେଲା ଧନାଢ଼୍ୟ ଅପରାଧୀ ଓ ବାହୁବଳୀଙ୍କୁ ପାଖରେ ରଖିବା। ଗୋଟେ ଗୁଣ୍ଡା ବା ଡକାୟତକୁ ହରାଇବା ପାଇଁ ଅନ୍ୟ ଦଳମାନେ ତା’ସହ ଟକ୍କର ଦେବାଭଳି ପ୍ରାର୍ଥୀ ଛିଡ଼ା କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଏ ସଂକ୍ରାନ୍ତ ଆଇନର ସଂଶୋଧନ ଏବଂ ନୂତନ ଆଇନ ପ୍ରଣୟନ କରିବା ପାଇଁ ସବୁଦଳଙ୍କ ସମ୍ମତି ଲୋଡ଼ା। ତେଣୁ ଏ କ୍ଷେତ୍ରରେ ଯେ ରାଜନୈତିକ ମତୈକ୍ୟ ଆସିବ ସେ ସମ୍ଭାବନା ସୁଦୂରପରାହତ ମନେହେଉଛି। ଆଉ ଗୋଟିଏ କଥା ହେଲା ଯେଉଁ ନେତା ବା ବ୍ୟକ୍ତିଙ୍କ ବିରୋଧରେ ଗୁରୁତର ଅପରାଧ ମାମଲାମାନ ରହିଛି ସେ ସବୁ ମାମଲାର ବିଚାର ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବା ଉଚିତ। ଏ କାମଟି ନ୍ୟାୟପାଳିକାର। ଏଥିରେ ବିଧାନପାଳିକା ବା କାର୍ଯ୍ୟପାଳିକାର ପ୍ରମୁଖ ଭୂମିକା ନାହିଁ। ଆଜିକାଲି କାହା ବିରୋଧରେ କୌଣସି ଗୁରୁତର ଅଭିଯୋଗ ଆଣିବା ବିଶେଷ କଷ୍ଟସାଧ୍ୟ ନୁହେଁ। ରାଜନୀତିରେ ପ୍ରତ୍ୟେକ ଦଳରେ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅଭିଯୋଗମାନ ଆସିଥାଏ। ଅସଲରେ ଆଇନ ଅନୁସାରେ ଜଣେ ଦୋଷୀ ସାବ୍ୟସ୍ତ ନ’ହେବା ପର୍ଯ୍ୟନ୍ତ ତାକୁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ।
ଏଣୁ ରାଜନୀତିକୁ ନିର୍ମଳ ଓ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବାକୁ ହେଲେ ସବୁ ରାଜନୈତିକ ଦଳର ଅକୁଣ୍ଠ ସହଯୋଗ ଏବଂ ଲୋକପ୍ରତିନିଧି ଆଇନରେ ପରିବର୍ତ୍ତନ ଲୋଡ଼ା। କେବଳ ସର୍ବୋଚ୍ଚ ନ୍ୟାୟାଳୟ ଏକା ଆଗ୍ରହ ଦେଖାଇଲେ ଏଇ କାମଟି ହୋଇପାରିବ ନାହିଁ।

Comments are closed.