ଅପରାଧ ସମୀକ୍ଷା : ବଢୁଛି ବାଇକ୍ ଚୋରଙ୍କ ପ୍ରାଦୁର୍ଭାବ

ବୌଦ୍ଧ : ବୌଦ୍ଧ ଜିଲାରେ ଦିନ କୁ ଦିନ ବାଇକ୍ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରୁ ଅନାୟାସରେ ବାଇକ୍ ଚୋରି କରି ଚୋରମାନେ ଫେରାର ହେବାରେ ସଫଳ ହେଉଛନ୍ତି। ପୁଲିସ ନିକଟରେ ବିଳମ୍ବରେ ସୂଚନା ପହଞ୍ଚୁଥିଲେ ମଧ୍ୟ କେବଳ ଥାନାରେ ମାମଲା ରୁଜୁ କରିବା ବ୍ୟତୀତ ବାଇକ୍ ଚୋରଙ୍କୁ କାବୁ କରିବାକୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା କରାଯାଉନାହିଁ । ଫଳରେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥ ଉପରେ ବୌଦ୍ଧଥାନା ପକ୍ଷରୁ ବିଜୁପଟ୍ଟନାୟକ ଛକଠାରେ ଓ ମନମୁଣ୍ଡା,ବାଉଁଶୁଣୀ ଓ ଚାରିଛକଠାରେ ପ୍ରାୟତଃ ପୋଲିସ ପକ୍ଷରୁ ପ୍ରତିଦିନ ଗାଡି ମୋଟର ଯାଞ୍ଚ କରାଯାଉଥିଲେ ମଧ୍ୟ ଚୋରମାନେ ବିଭିନ୍ନ ରାସ୍ତା ଦେଇ ଫେରାର ହେବାରେ ସଫଳ ହେଉଛନ୍ତି। ଜିଲାରେ ଗଂଜେଇ ବ୍ୟବସାୟ କମିବାର ନାମ ନେଉନଥିବାବେଳେ ଗଂଜେଇ ଚୋରାଚାଲାଣ ପାଇଁ ଏହି ସମୟରେ ଅନେକ ସଂଖ୍ୟାରେ ଚୋରା ଗାଡି ଚଳପ୍ରଚଳ କରିଥାଏ। ଅନେକ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଗଲେ ଗଂଜେଇ ଚାଲାଣକାରୀମାନେ ଗାଡି ଛାଡି ଫେରାର ହୋଇଯାଉଛନ୍ତି। କିନ୍ତୁ ଉକ୍ତ ମାମଲାରେ ଧରାପଡୁଥିବା ଗାଡି ଗୁଡିକ ସଂପର୍କରେ ଉପଯୁକ୍ତ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ସେହିପରି ବୌଦ୍ଧରେ ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ ଓ ବାଇକ୍ ଷ୍ଟାଣ୍ଡ ଆଦି ନଥିବାରୁ ବଜାର ଓ ବ୍ୟାଙ୍କ ଆଦି ଜନଗହଳି ସ୍ଥାନକୁ ଆସୁଥିବା ଲୋକମାନେ ବାଧ୍ୟ ହୋଇ ଏଣେତେଣେ ଗାଡି ରଖିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ବାରମ୍ବାର ଡିକି ଭାଙ୍ଗି ଟଙ୍କା ଚୋରି ଓ ବାଇକ୍ ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି।

Comments are closed.