ରାଜନେତାଙ୍କ ବିରୁଦ୍ଧରେ ଥିବା ଅପରାଧ ମାମଲାର ତୁରନ୍ତ ଫଇସଲା ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ହାଇଦରାବାଦ : ଦଳ ତ୍ୟାଗ ନିର୍ବାଚନ ପିଟିସନ୍‍ ଏବଂ ରାଜନେତାଙ୍କ ବିରୁଦ୍ଧରେ ଥିବା ଅପରାଧ ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଆହ୍ୱାନ କରିଛନ୍ତି । ଶନିବାର ହାଇଦରାବାଦଠାରେ ହାଇଦ୍ରାବାଦ୍‍ ମ୍ୟାନେଜ୍‍ମେଣ୍ଟ ଆସୋସିଏସନ୍‍ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହିସବୁ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାରେ ବିଳମ୍ବ ଦେଶ ପାଇଁ ଶୁଭଙ୍କର ନୁହେଁ। ଖୁବ୍‍ ଶୀଘ୍ର ଏହିସବୁ ମାମଲାର ଫଇସଲା ପାଇଁ ସ୍ୱତନ୍ତ୍ର ହାଇକୋର୍ଟ ବେଞ୍ଚ୍‍ମାନ ପ୍ରତିଷ୍ଠା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସଂସଦୀୟ ସଂସ୍ଥାର ଅଧ୍ୟକ୍ଷତା କରୁଥିବା ବ୍ୟକ୍ତିମାନେ ଏହିସବୁ ମାମଲାର ତୁରନ୍ତ ଫଇସଲା ଦିଗରେ ପଦକ୍ଷେପ ନେବା ଉଚିତ୍‍ ବୋଲି ସେ କହିଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି, ଉତ୍କୃଷ୍ଟ ପରିଚାଳନା ନୀତି ଏବଂ ପାରଙ୍ଗମତା ଘରୋଇ କ୍ଷେତ୍ର ମଧ୍ୟରେ ସୀମିତ ନ ରହି ସରକାରୀ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବା ଉଚିତ। ଉପରାଷ୍ଟ୍ରପତି ୨୦୧୮ ମସିହା ପାଇଁ ହାଇଦ୍ରାବାଦ୍‍ ମ୍ୟାନେଜ୍‍ମେଣ୍ଟ ଆସୋସିଏସନ୍‍ ପୁରସ୍କାର ପ୍ରଦାନ କରିବା ପରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ।

ଘରୋଇ କ୍ଷେତ୍ରଗୁଡ଼ିକ କର୍ପୋରେଟ୍‍ ସାମାଜିକ ଦାୟିତ୍ୱର ଅଂଶସ୍ୱରୂପ କୃଷି, ସ୍ୱାସ୍ଥ୍ୟ ଗ୍ରାମୀଣ ଅର୍ଥନୀତି ଆଦି କ୍ଷେତ୍ରରେ ଉତ୍କୃଷ୍ଟ ପରିଚାଳନା ନୀତିକୁ ପ୍ରଣୟନ କରିବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି । ଭାରତ ଏବେ ବିଶ୍ୱର ଦୃତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇପାରିଛି ଏବଂ ଆସନ୍ତାବର୍ଷ ସୁଦ୍ଧା ଦେଶର ଅଭିବୃଦ୍ଧିହାର ୭.୫ ପ୍ରତିଶତରେ ପହଞ୍ଚିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଅନ୍ତର୍ଭୁକ୍ତିକୃତ ଅଭିବୃଦ୍ଧି
ହାସଲ କରିବା ପାଇଁ ଆର୍ଥିକ ସଂସ୍କାରକୁ ଅଧିକ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ, ବେଟି ବଚାଓ-ବେଟି ପଢ଼ାଓ ଭଳି ଧ୍ୱଜାଧାରୀ କାର୍ଯ୍ୟକ୍ରମଗୁଡ଼ିକୁ କେବଳ ସରକାରୀ କାର୍ଯ୍ୟକ୍ରମ ନଭାବି ଏହାକୁ ଜନଆନ୍ଦୋଳନ ଭାବେ ଦେଖିବା ଉଚିତ।  କାରଣ ଏହିସବୁ ଯୋଜନା ଜନସାଧାରଣଙ୍କର ଜୀବନ ଧାରଣ ମାନରେ ଉନ୍ନତି ପାଇଁ କାର୍ଯ୍ୟକାରୀ କରାଯାଉଛି ।

ଆଗାମୀ ଆନ୍ତର୍ଜାତିକ ଯୋଗଦିବସ ପାଳନ ସମ୍ପର୍କରେ ଶ୍ରୀ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଏବେ ୭୨ଟି ଦେଶ ଯୋଗକୁ
ଅନୁସରଣ କରୁଛନ୍ତି । ସେ କହିଛନ୍ତି, ଯୋଗକୁ ଧର୍ମ ସହିତ ସଂଶ୍ଳିଷ୍ଟ ନ କରି ଏହାକୁ ଶାରିରୀକ ଓ ମାନସିକ ବ୍ୟାୟାମ ଭାବେ ଦେଖିବା ଉଚିତ । ପୂର୍ବରୁ ଉପରାଷ୍ଟ୍ରପତି ୨୦୧୮ ମସିହା ପାଇଁ ହାଇଦ୍ରାବାଦ୍‍ ମ୍ୟାନେଜ୍‍ମେଣ୍ଟ ଆସୋସିଏସନ୍‍ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.