ଲକଡ଼ାଉନ ପ୍ରଭାବ: କମିଶନରେଟ ପୁଲିସରେ କମିଛି ୬୨% ଅପରାଧ ମାମଲା

ଭୁବନେଶ୍ବର: କମିସନରେଟ୍‌ ପୁଲିସର ଭୁବନେଶ୍ବର  ସହରାଞ୍ଚଳ ଜିଲାରେ ଏପ୍ରିଲ୍‌ ମାସରେ ପୂର୍ବ ମାସ ତୁଳନାରେ ମାମଲା ପଞ୍ଜୀକରଣ ୬୨ ପ୍ରତିଶତ ହ୍ରାସ ପାଇଛି। କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯିବା ଫଳରେ ମାମଲା ପଞ୍ଜୀକରଣ ଆଶାତୀତ ଭାବେ ହ୍ରାସ ପାଇଛି। ଲକ୍‌ଡାଉନ୍‌ ସମୟରେ ବିଶେଷ କରି ସମ୍ପତ୍ତି ଲୁଟ୍‌ପାଟ୍‌ ଓ ବିଭିନ୍ନ ପ୍ରକାର ବିବାଦୀୟ ମାମଲା କମ ହୋଇଥିବାରୁ ପଞ୍ଜୀକରଣ ହାର ହ୍ରାସ ପାଇଛି। ଭୁବନେଶ୍ବର ସହରାଞ୍ଚଳର ୨୨ଟି ଥାନାରେ ଚଳିତ ବର୍ଷ ପ୍ରଥମ ତିନି ମାସରେ ହାରାହାରି ୭୦୦ ମାମଲା ରୁଜୁ ହୋଇଥିବା ବେଳେ ଏପ୍ରିଲ୍‌ ମାସରେ ମାତ୍ର ୨୫୨ ମାମଲା ରୁଜୁ ହୋଇଥିବା ଜଣାପଡିଛି।
ଭୁବନେଶ୍ବର ସହରାଞ୍ଚଳରେ ଲକ୍‌ଡାଉନ୍‌ ସମୟରେ ମାର୍ଚ୍ଚ ମାସରେ ଶେଷ ସପ୍ତାହରେ ମାମଲା ପଞ୍ଜୀକରଣ ହ୍ରାସ ପାଇଥିଲା। ଏପ୍ରିଲ୍‌ ମାସର ପ୍ରଥମ ଅର୍ଦ୍ଧରେ ଲକ୍‌ଡାଉନ୍‌ର ସମ୍ପୂର୍ଣ୍ଣ କଟକଣା ରହିଥିଲା। ଏପରିକି ଦୁଇ ଦିନ ରାଜଧାନୀ ସଟ୍‌ଡାଉନ୍‌ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ୨.୦ରେ ସାମାନ୍ୟ କୋହଳ ହୋଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କର ଗମନାଗମନ ଉପରେ ଏକ ପ୍ରକାର କଟକଣା ରହିଥିଲା। ତେଣୁ ଏହି ସମୟରେ ଚୋରି, ସିନ୍ଧି ଚୋରି, ରାହାଜାନି ଓ ଡକାୟତି ଭଳି ସମ୍ପତ୍ତି ଲୁଣ୍ଠନ ମାମଲା ପ୍ରାୟତଃ ଅଭିଯୋଗ ହୋଇ ନ ଥିଲା। ରାସ୍ତାଘାଟରେ ଚଳାଚଳ ବନ୍ଦ ଥିଲା। ସେହିପରି ଲୋକମାନେ ସବୁ ସମୟରେ ଘରେ ରହୁଥିଲେ। ଏହା ବ୍ୟତୀତ ଗଣ୍ଡଗୋଳ, ଜମିଜମା ବିବାଦ ଅଭିଯୋଗ ପ୍ରାୟତଃ ନ ଥିଲା। ସଡକ ଦୁର୍ଘଟଣା ମଧ୍ୟ  ନଥିଲା। ଏଭଳି କେତେକ କାରଣରୁ ମାମଲା ପଞ୍ଜୀକରଣ ବହୁ ହ୍ରାସ ପାଇଥିଲା। ସେହିପରି ଲକ୍‌ଡାଉନ୍‌ ଓ କ୍ବାରେଣ୍ଟାଇନ୍‌ ଉଲ୍ଲଘଂନ ନେଇ ଅଳ୍ପ ମାମଲା ରୁଜୁ ହୋଇଛି। ଫଳରେ ମାମଲା ପଞ୍ଜୀକରଣ ତୁଳନାତ୍ମକ ଭାବେ ହ୍ରାସ ପାଇଥିବା ଅତିରିକ୍ତ କମିସନର ତଥା ଡିସିପି ଅନୁପ କୁମାର ସାହୁ କହିଛନ୍ତି।
ଅଧା ଥାନାରେ ମାମଲା ସଂଖ୍ୟା ଦୁଇ ଅଙ୍କ ଛୁଇଁନି
ଭୁବନେଶ୍ବର ସହରାଞ୍ଚଳରେ ୨୨ଟି ଥାନା ମଧ୍ୟରୁ ଅଧା ଥାନାରେ ଏପ୍ରିଲ୍‌ ମାସରେ ମାମଲା ପଞ୍ଜୀକରଣ ଦୁଇ ଅଙ୍କ ଛୁଇଁ ନ ଥିଲା। ମହିଳା ଥାନାରେ କେବଳ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଏନର୍ଜି ଥାନାରେ ଆଦୌ ମାମଲା ରୁଜୁ ହୋଇନାହିଁ। ବାଲିପାଟଣା ଥାନାରେ ସର୍ବାଧିକ ୩୦ଟି ମାମଲା ରୁଜୁ ହୋଇଥିଲା। ପ୍ରାୟତଃ ଭୁବନେଶ୍ବର ସହରାଞ୍ଚଳରେ ସହିଦନଗର, ନୂଆପଲ୍ଲୀ, ମ‌େ‌ଞ୍ଚଶ୍ବର, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଥାନାରେ ପ୍ରାୟତଃ ଅଧିକ ସଂଖ୍ୟାରେ ମାମଲା ରୁଜୁ ହୋଇଥାଏ। ହେଲେ ଏପ୍ରିଲ୍‌ ମାସରେ ବାଲିପାଟଣା ଟପି ଯାଇଥିଲା। ୧୧ଟି ଥାନାରେ ମାମଲା ଦୁଇ ଅଙ୍କ ଛୁଇଁନାହିଁ। ସେଥିରେ ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖପରପୁର, ମଞ୍ଚେଶ୍ବର, ତମାଣ୍ଡୋ, ଏୟାରଫିଲ୍ଡ, ଶ୍ରୀଲିଙ୍ଗରାଜ, ଏୟାରପୋର୍ଟ ଓ କ୍ୟାପିଟାଲ୍‌ ଥାନା ରହିଛି।

Comments are closed.