ଘରୋଇ ବିବାଦ: ନିଜ ହାତ ହାଣିଦେଲେ ଯୁବକ; କଟା ପାପୁଲି ଧରି ବୁଲିଲେ ରାସ୍ତାରେ

ବ୍ରହ୍ମପୁର: ଘରୋଇ ବିବାଦରେ କ୍ରୋଧିତ ହୋଇ ଜଣେ ଯୁବକ ନିଜ ହାତକୁ ହାଣି ନିଜ ଦେହରୁ ଅଲଗା କରିଦେବା ଏବଂ ତାକୁ ଧରି ଗାଁ ଦାଣ୍ଡରେ ବୁଲିବା ଘଟଣା ଗଞ୍ଜାମ ଜିଲାରେ ଚର୍ଚାର ବିଷୟ ହୋଇଛି । ଗାଁ ଲୋକ ଯୁବକକୁ କାବୁ କରି ତାକୁ ପୁଲିସ ଜିମା ଦେଇଛନ୍ତି । ଚିକିତ୍ସା ନିମନ୍ତେ ଯୁବକଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ୨୨ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଛି ।

ଘଟଣାଟି ଘଟିଛି ଦିଗପହଣ୍ଡି ଥାନା ଅଞ୍ଚଳର ତୁରୁବିଡ଼ି ପଞ୍ଚାୟତରେ । ଏହି ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ସମେଶ୍ବର ନାମକ ଯୁବକ ଘରେ କିଛି କାରଣରୁ ପାଟିତୁଣ୍ଡ ହୋଇଥିଲା । କୌଣସି କାରଣରୁ ତାକୁ ପରିବାରର ଲୋକମାନେ ଗାଳି ଦେଇଥିଲେ। ଏଥିରେ ସମେଶ୍ବର କ୍ରୋଧିତ ହୋଇ ଏକ ଧାରୁଆ ଅସ୍ତ୍ରରେ ନିଜର ହାତକୁ ହାଣି ଦେଇଥିଲା । ଏହାପରେ ଏହାକୁ ଏକ ପଲିଥିନରେ ଭର୍ତି କରି ଗାଁ ପୋଖରୀକୁ ଫିଙ୍ଗିବାକୁ ଯାଉଥିଲା ।

ଏହାକୁ ଦେଖି ତାଙ୍କର ମା’ ଚିତ୍କାର କରିଥିଲେ ଓ ଗାଁ ଲୋକମାନଙ୍କୁ ଡ଼କା ପକାଇଥିଲେ । ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଗାଁ ରାସ୍ତାରୁ ସମେଶ୍ବରକୁ କାବୁ କରିଥିଲେ । ଏହାପରେ ପୁଲିସକୁ ସୂଚନା ଦେବା ସହ ତାକୁ ଚିିକିତ୍ସା ପାଇଁ ଦିଗପହଣ୍ଡି ଡ଼ାକ୍ତରଖାନା ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମେଶ୍ବରକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି ।

Comments are closed.