ଫାର୍ମାସୀ କଲେଜ ନିକଟରେ ଯୁବତୀଙ୍କ ଅର୍ଧଦଗ୍ଧ ଶବ; ଟାୟାର ରଖି ଜାଳି ଦେଇଛନ୍ତି ଦୁବୃର୍ତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମହୁଡ଼ା ଫର୍ମାସୀ କଲେଜ ନିକଟରୁ ଜଣେ ଯୁବତୀଙ୍କ ଅର୍ଧଦଗ୍ଧ ମୃତଦେହକୁ ଠାବ କରିଛି ପୁଲିସ । ଶବକୁ ଜବତ କରିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା ପରେ ମୃତ ଦେହ ଉପରେ ଟାୟର ରଖି ଦୁବୃର୍ତ୍ତମାନେ ଜାଳି ଦେଇଛନ୍ତି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ ।

ଏଠାରେ ଏକ ଅର୍ଧଦଗ୍ଧ ମୃତଦେହ ପଡ଼ିଥିବା ସୂଚନା ପୁଲିସ ନିକଟରେ ପହଞ୍ଚିବା ପରେ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କେହି କିଛି କହୁ ନ ଥିବାରୁ ସମ୍ପୃକ୍ତ ଯୁବତୀ ଅନ୍ୟ ଅଞ୍ଚଳର ହୋଇଥିବା ପୁଲିସ ଅନୁମାନ କରୁଛି । ତେଣୁ ବିଭିନ୍ନ ଥାନାକୁ ନିଖୋଜ ଯୁବତୀ ବା ମହିଳାଙ୍କ ସମ୍ପର୍କରେ ସୂଚନା ନିମନ୍ତେ ପୁଲିସ ଯୋଗାଯୋଗ କରୁଛି । ଅନ୍ୟପକ୍ଷରେ ସମ୍ପ୍ରତି ଲକଡ଼ାଉନ ଯୋଗୁଁ ଅନ୍ୟ ଅଞ୍ଚଳରୁ ଫେରୁଥିବାବେଳେ ଏହି ଘଟଣା କେହି ଦୁବୃର୍ତ୍ତ ଘଟାଇଥିବା ଆଶଙ୍କା କରାଯାଉଛି । ମୃତ ଦେହ ନିକଟରେ କିଛି ଭଙ୍ଗା ଚୂଡ଼ି ପଡ଼ିଥିବା ଯୋଗୁଁ ଘଟଣା ଘଟିବା ପୂର୍ବରୁ ଅପରାଧୀଙ୍କ ସହ ଯୁବତୀ ଜଣକ ହାତାହାତି ହୋଇଥିବା ଓ ବଳପ୍ରୟୋଗ ବେଳେ ଯୁବତୀଙ୍କ ଚୂଡ଼ି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି ।

Comments are closed.